ଗଣମାଧ୍ୟମ ଜଣମାଧ୍ୟମ

Leave a Comment


ଅକ୍ଟୋବର ୬ରେ ଅନୁଷ୍ଠିତ ‘ସମାଜ’ର ଶତବାର୍ଷିକ ସମାରୋହରେ ଭାରତର ଉପରାଷ୍ଟ୍ରପତି ଏମ୍ ଭେଙ୍କାୟା ନାଇଡୁ ଗଣମାଧ୍ୟମର ଭୂମିକା ଓ ଦାୟିତ୍ବ ସମ୍ପର୍କରେ ଯେଉଁ ଟିପ୍ପଣୀ ଦେଇଥିଲେ, ତାହା ଭାରତୀୟ ଗଣମାଧ୍ୟମ ପାଇଁ ଚେତାବନୀ ସଦୃଶ। ଏଇଥିପାଇଁ ଏହା ଚେତାବନୀ ଯେ ବର୍ତ୍ତମାନ ଗଣମାଧ୍ୟମର ନିଷ୍ପକ୍ଷତା ନେଇ କେବଳ ପ୍ରଶ୍ନବାଚୀ ସୃଷ୍ଟି ହୋଇନାହିଁ, ତା’ର ସତ୍ୟନିଷ୍ଠା, ବିଶ୍ବସନୀୟତା, ଶୈଳୀ, ଶ୍ଳୀଳତା ଆଦି ଉପରେ ମଧ୍ୟ ଲୋକ ସାଧାରଣରେ ପ୍ରକାଶ ପାଇଚି ଘୋର ସଂଶୟ/ଉଦ୍‌ବେଗ। ଉପରାଷ୍ଟ୍ରପତି ମହୋଦୟ ଯେଉଁ ମହତ୍ତ୍ବପୂର୍ଣ୍ଣ ବିନ୍ଦୁଗୁଡ଼ିକୁ ଅଙ୍ଗୁଳି ନିର୍ଦେଶ କରିଥିଲେ, ସେଥିଭିତରୁ ପ୍ରମୁଖ ହେଲା: ପ୍ରଥମ. ଗଣମାଧ୍ୟମର ସତ୍ୟନିଷ୍ଠତା; ଦ୍ବିତୀୟ, ଗଣମାଧ୍ୟମର ସ୍ବାଧୀନତା; ତୃତୀୟ, ଗଣମାଧ୍ୟମର ବିଶ୍ବସନୀୟତା; ଚତୁର୍ଥ; ଆଞ୍ଚଳିକ ଗଣମାଧ୍ୟମର ଜାତୀୟ ସ୍ବୀକୃତି।

ସତ୍ୟନିଷ୍ଠା ସାମ୍ବାଦିକତାର ସର୍ବପ୍ରଥମ କର୍ତ୍ତବ୍ୟ। ସୂଚନାର ପରଖ ନକରି ପାଠକ/ଦର୍ଶକଙ୍କୁ ପରିବେଷଣ କଲେ ତାହା କେବଳ ସେଥିସହ ସମ୍ପର୍କିତ ବ୍ୟକ୍ତିବିଶେଷଙ୍କ କ୍ଷତି ଘଟାଏ ନାହିଁ, ବରଂ ସମଗ୍ର ସମାଜ/ସଂସାରର ସ୍ଖଳନ/ପତନର କାରଣ ହୋଇପାରେ। ଖବର ସତ୍ୟ ହେବା ଏକ ଅପରିହାର୍ଯ୍ୟ ଆବଶ୍ୟକତା। ଏକଦା ସୋଭିଏତ୍ ରୁଷରେ ଦୁଇଟି ମୁଖ୍ୟ ଖବରକାଗଜକୁ ନେଇ ଯେଉଁ ବକ୍ରୋକ୍ତିଟି ବେଶ୍ ଲୋକପ୍ରିୟ ଥିଲା, ତାହା ହେଲା: ‘ପ୍ରାଭ୍‌ଦା’ରେ ଖବର ନାହିଁ ଓ ‘ଇଜ୍‌ଭେସ୍ତିଆ’ରେ ସତ୍ୟ ନାହିଁ। ରୁଷୀୟ ଭାଷାରେ ‘ପ୍ରାଭ୍‌ଦା’ର ଅର୍ଥ ସତ୍ୟ ଓ ‘ଇଜ୍‌ଭେସ୍ତିଆ’ ମାନେ ଖବର; ଅର୍ଥାତ, ‘ସତ୍ୟ’ରେ ଖବର ନାହିଁ ଓ ‘ଖବର’ରେ ସତ୍ୟ ନାହିଁ। କହିବା ବାହୁଲ୍ୟ ଯେ ତତ୍‌କାଳୀନ ରୁଷିଆରେ କ୍ଷମତାସୀନମାନେ ଜନସାଧାରଣଙ୍କୁ ଯେଉଁ ସୂଚନା ଦେବାକୁ ଚାହୁଁଥିଲେ, ତାହା ହିଁ ‘ଖବର’ ପଦବାଚ୍ୟ ଥିଲା, ସେଥିରେ ସତ୍ୟତା ନଥାଉ ପଛେ; ଅର୍ଥାତ ମିଥ୍ୟା ସୂଚନା ବି ଖବର ପାଲଟୁଥିଲା। ଏହା ଏଇଥିପାଇଁ ହୋଇପାରୁଥିଲା ଯେ ମାଧ୍ୟମ ‘ଗଣ’ର ବୋଲି କୁହାଯାଉଥିଲେ ବି ତାହା ଥିଲା  ରାଷ୍ଟ୍ର/ସରକାରଙ୍କ ମାଧ୍ୟମ। ବର୍ତ୍ତମାନର କର୍ତ୍ତୃତ୍ବବାଦୀ ରୁଷିଆରେ ସେହି ସ୍ଥିତି ହୋଇଚି ଆହୁରି ଉତ୍କଟ। କ୍ଷମତାସୀନ ନେତୃତ୍ବ/ସରକାରଙ୍କ ପାଇଁ ଲୋକଙ୍କ ଉପରେ କର୍ତ୍ତୃତ୍ବ ପ୍ରତିଷ୍ଠାର ଏକ ପ୍ରମୁଖ ଅସ୍ତ୍ର ପାଲଟିଚି ଗଣମାଧ୍ୟମ, ଯେଉଁଠି ‘ପ୍ରୋପାଗଣ୍ଡା’ ବା ନ୍ୟସ୍ତସ୍ବାର୍ଥ ପ୍ରଣୋଦିତ ସୂଚନାକୁ ଖବର ନାଁରେ ଚବିଶଘଣ୍ଟା କରାଯାଉଚି ପ୍ରଚାରପ୍ରସାର। ସେଠାକାର ଷାଠିଏ ଭାଗ ଗଣମାଧ୍ୟମ ସରକାରର ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ଥିଲାବେଳେ ବାକିସବୁ ସରକାରଙ୍କ ବାଧ୍ୟଅନୁଗାମୀ। ଯେଉଁ ଖବରକାଗଜ/ନିଉଜ୍ ଚ୍ୟାନେଲ ଭୁଲରେ ବି ଯଦି ସରକାରଙ୍କ ସାମାନ୍ୟତମ ସମାଲୋଚନା କଲା, ତା’ ପରଦିନ ତା’ର ସଂପାଦକ ବହିଷ୍କୃତ ହେବା ଥୟ କିମ୍ବା କଳେ ବଳେ କୌଶଳେ ତାକୁ ବନ୍ଦ କରାଯିବା ନିଶ୍ଚିତ। ସରକାର ସେଠାରେ ଏକ ସ୍ବତନ୍ତ୍ର ଏଜେନ୍ସି ପ୍ରତିଷ୍ଠା କରିଛନ୍ତି ‘ରସ୍କୋମନାଜୋର୍’, ଯାହାର କାମ ହେଲା ଗଣମାଧ୍ୟମର ସେନ୍ସର୍‌ ବା କାଣ୍ଟଛାଣ୍ଟ୍‌! ଯଦି ଇଣ୍ଟରନେଟ୍‌ରେ ‘ପ୍ରୋଟେଷ୍ଟ୍‌ ରାଲି’ (ପ୍ରତିବାଦ ଶୋଭାଯାତ୍ରା) ଭଳି ଶବ୍ଦ ବି ଲେଖାଯାଏ, ତେବେ ତାହା ଉପରେ ଉଡ଼ାଇ ଦିଆଯାଉଚି ଲାଲ୍‌ ପତାକା। ଏଇ ଭୟରେ ସାମ୍ବାଦିକ ସେଠାରେ କାକୁସ୍ଥ। ସବୁଠୁ ବଡ଼ ବିପଦ, ଆତ୍ମ-ନିୟନ୍ତ୍ରଣ। ସାମ୍ବାଦିକ/ଗଣମାଧ୍ୟମର ସତ୍ୟନିଷ୍ଠା ତା’ ଖବରର ସତ୍ୟତା ଉପରେ ନିର୍ଭରଶୀଳ, ଅଥଚ ତା’ ମୁହଁରେ ଯଦି ଅଦୃଶ୍ୟ ପଟିବନ୍ଧା, ତେବେ ସତ୍ୟ ପ୍ରକାଶ ସମ୍ଭବ ହେବ କେମିତି। ସରକାରୀ ପ୍ରତ୍ୟକ୍ଷ ନିୟନ୍ତ୍ରଣରୁ ଏ ଆତ୍ମ-ନିୟନ୍ତ୍ରଣ କେବଳ ଅଧିକ ଯନ୍ତ୍ରଣାଦାୟକ ନୁହେଁ, ଅନିଷ୍ଟକର ମଧ୍ୟ।

ଲକ୍ଷ୍ୟଣୀୟ ଯେ, ଭାରତର ସାମ୍ପ୍ରତିକ ଗଣମାଧ୍ୟମ ପରିଦୃଶ୍ୟ ମଧ୍ୟ ୟା’ଠୁ ବହୁତ ବେଶୀ ଭିନ୍ନ ନୁହେଁ। ଭାଗ୍ୟ ଭଲ, ସରକାର ଏଠାରେ ଖବର କାଣ୍ଟ୍‌ଛାଣ୍ଟ୍‌ ସଂସ୍ଥା ପ୍ରତିଷ୍ଠା କରିବାକୁ ସୁଯୋଗ ପାଇନାହାନ୍ତି ତୀବ୍ର ବିରୋଧରୁ, ନହେଲେ ଅତୀତରେ ଏଠି ବି ଏକାଧିକ ବାର ଏପରି ସଂସ୍ଥା ଗଠନ ପାଇଁ ହୋଇଚି ଅପଚେଷ୍ଟା। ତେବେ ଆଜି ଗଣମାଧ୍ୟମ ଏତେ ଆତ୍ମ-ନିୟନ୍ତ୍ରିତ ଯେ ମନେହେଉଚି ତାହା ଆଦୌ ଗଣ-ମାଧ୍ୟମ ନୁହେଁ, ବରଂ ଜଣ-ମାଧ୍ୟମ ଅଥବା ସରକାର-ମାଧ୍ୟମ। ଉପରାଷ୍ଟ୍ରପତି ସରକାର/କ୍ଷମତାସୀନଙ୍କ ଦୋଷଗୁଣ ଦର୍ଶାଇ ଉଚିତ ପରାମର୍ଶ ଦେବା ଗଣମାଧ୍ୟମର କର୍ତ୍ତବ୍ୟ ବୋଲି ସଚେତ କରାଇ ଦେଇଛନ୍ତି; ଅଥଚ ଲାଗୁଚି, ଆଜିର ଗଣମାଧ୍ୟମ ସରକାରଙ୍କ ସ୍ତବଗାନ ଓ ବିରୋଧୀ ସ୍ବରକୁ ନିଶ୍ଚିହ୍ନ କରିବାରେ ବେଶି ଆଗ୍ରହୀ। ଗଣମାଧ୍ୟମ, ବିଶେଷକରି ନିଉଜ୍ ଚ୍ୟାନେଲଗୁଡ଼ାକ ପାଲଟିଚନ୍ତି ବସ୍ତୁତଃ ସମ୍ମତି ନିର୍ମାଣ କାରଖାନା (ନୋମ୍ ଚୋମ୍‌ସ୍କି ବହୁବର୍ଷ ତଳୁ ଏଇ ‘ମାନୁଫାକ୍‌ଚରିଂ କନ୍‌ସେଣ୍ଟ’ କଥା କହିଚନ୍ତି)। କ୍ଷମତାସୀନଙ୍କୁ ପ୍ରଶ୍ନ ପଚାରିବା ସତେଯେମିତି ତା’ର ଦାୟିତ୍ବ ନୁହେଁ! ତା’ହେଲେ ତାହା ଗଣର ମାଧ୍ୟମ ହେଲା/ହେବ କେମିତି? ନିଜର ନୈତିକ ଦାୟିତ୍ବକୁ ଚରିତାର୍ଥ କରିବାପାଇଁ ଗଣମାଧ୍ୟମ କେବଳ ସମାଲୋଚକ ହେବନାହିଁ, ଶିକ୍ଷକ ଭୂମିକା ତୁଲାଇବା ଆବଶ୍ୟକ। ତାହା ଗଣମାଧ୍ୟମ କରୁଛି କି?
ଖବର/ଗଣମାଧ୍ୟମର ସତ୍ୟନିଷ୍ଠତା ତା’ର ସ୍ବାଧୀନତା ସହ ଓତପ୍ରୋତ ଭାବେ ଜଡ଼ିତ; କାରଣ ସ୍ବାଧୀନତା ବିନା ସତ୍ୟପ୍ରକାଶ ପ୍ରାୟତଃ ଅସମ୍ଭବ। ସ୍ବାଧୀନତାର ଅର୍ଥ ନୁହେଁ ସ୍ବେଚ୍ଛାଚାରିତା; ଅର୍ଥାତ ଗଣମାଧ୍ୟମ ସ୍ବେଚ୍ଛାଚାରୀ ହେବା ଅବାଞ୍ଛନୀୟ; କିନ୍ତୁ ସତ୍ୟ ଖବର ପ୍ରକାଶନ/ପ୍ରସାରଣରେ ଅଯଥା ହସ୍ତକ୍ଷେପ, ଯାହାର ବି ହେଉପଛେ, ତା’ ମଧ୍ୟ ଅଗ୍ରାହ୍ୟ। ଏକ ସୁସ୍ଥ ଗଣତନ୍ତ୍ର ପାଇଁ ସ୍ବାଧୀନ/ମୁକ୍ତ ଗଣମାଧ୍ୟମ ଅପରିହାର୍ଯ୍ୟ, କହିଚନ୍ତି ଉପରାଷ୍ଟ୍ରପତି; ଅଥଚ ଆମ ଦେଶର ଗଣମାଧ୍ୟମର ସ୍ବାଧୀନତା କଳିଲେ ହତାଶ ହେବାକୁ ପଡ଼େ। ମାନ୍ୟତାପ୍ରାପ୍ତ ‘ବିଶ୍ବ ପ୍ରେସ୍‌ ସ୍ବାଧୀନତା ସୂଚକାଙ୍କ’ରେ ୨୦୧୯ରେ ୧୮୦ଟି ଦେଶ ମଧ୍ୟରେ ଭାରତର ସ୍ଥାନ ରହିଛି ୧୪୦ରେ, ଯାହା ୨୦୧୮ରେ ଥିଲା ୧୩୮ରେ; ଅର୍ଥାତ କ୍ରମାଗତ ଅଧଃପତନ। ମ୍ୟାଁମାର୍‌, ଜିମ୍ବାୱେ, ଥାଇଲାଣ୍ଡ, ଫିଲିପାଇନ୍ସ ପରି ଛୋଟ ଓ ଗରିବ ଦେଶଗୁଡ଼ିକର ଗଣମାଧ୍ୟମ ମଧ୍ୟ ଆମଠାରୁ ଅଧିକ ସ୍ବାଧୀନ। ୟା’ର କାରଣ ଅବଶ୍ୟ ସର୍ବଜଣା। ମୁଖ୍ୟଧାରାର ଗଣମାଧ୍ୟମ (‘ସମାଜ’ ଭଳି ହାତଗଣତି କେତୋଟି ବ୍ୟତୀତ) ଆଜି ବୃହତ୍ ପୁଞ୍ଜି ଓ ସମ୍ଭ୍ରାନ୍ତବର୍ଗ/ରାଜନେତାଙ୍କ ଚାବିଦିଆ ଖେଳନା। ସେମାନଙ୍କ ହାତରେ ହିଁ ତା’ର ସ୍ବାଧୀନତା/ପରାଧୀନତାର ଚାବିକାଠି। ତେଣୁ ଗଣସ୍ବାର୍ଥ ଅବହେଳିତ ହେବାକୁ ବାଧ୍ୟ। ଔପନିବେଶିକ ଭାରତରେ ଗଣସ୍ବାର୍ଥ/ଜନସ୍ବାର୍ଥ କହିଲେ ଗଣମାଧ୍ୟମ (ଖବରକାଗଜ) ପାଇଁ ଥିଲା ସାମ୍ରାଜ୍ୟବାଦ ଧନତାନ୍ତ୍ରିକ/ପ୍ରତିଷ୍ଠାନିକ ଶୋଷଣ ଦାରିଦ୍ର୍ୟ ଅଶିକ୍ଷା ଆଦିରୁ ମୁକ୍ତି। ଅତଏବ ଗଣମାଧ୍ୟମ ସମାଜର ସଂଖ୍ୟାଗରିଷ୍ଠ ନିଃସହାୟ/ନିରକ୍ଷର ନିମ୍ନବର୍ଗର ଲୋକଙ୍କ ସ୍ବାର୍ଥରେ କ୍ଷମତାସୀନଙ୍କ ବିରୋଧରେ ଅଣ୍ଟା ଭିଡ଼ିଆସିଥିଲା। ଖାଲି ସାମ୍ବାଧାନିକ ଅଧିକାରର ସୁରକ୍ଷା ନୁହେଁ; ସମାଜର ତଳସ୍ତରର ଲୋକଙ୍କ ଅଧିକାରକୁ ନୈତିକ ସମର୍ଥନ ଯୋଗାଇଦେବା ମଧ୍ୟ ଗଣମାଧ୍ୟମର ଦାୟିତ୍ବ, ନଚେତ୍ ମତପ୍ରକାଶର ସ୍ବାଧୀନତା ନିରର୍ଥକ। ସ୍ମରଣଯୋଗ୍ୟ, ପଣ୍ଡିତ ଗୋପବନ୍ଧୁ ତାଙ୍କ ସାମ୍ବାଦିକତାର ଉଦ୍ଦେଶ୍ୟ ଦର୍ଶାଇବାକୁ ଯାଇ ଲେଖିଥିଲେ, ‘ସମାଜର ତଳଆଡ଼ୁ ‘ସମାଜ’ର କାର୍ଯ୍ୟ’। ଉପରାଷ୍ଟ୍ରପତି ତାଙ୍କ ବକ୍ତୃତାରେ ଯେଉଁ ‘ସ୍ବରହୀନଙ୍କ ପାଇଁ ସ୍ବର ହେବା’ କଥାଟି କହିଛନ୍ତି, ତାହା ୟା’ଠାରୁ ଭିନ୍ନ ନୁହେଁ। ବର୍ତ୍ତମାନର ଗଣମାଧ୍ୟମ ଏ ଦାୟିତ୍ବ ତୁଲାଉଚି ତ? ଏହା କ୍ଷମତାଶାଳୀ/ସମ୍ଭ୍ରାନ୍ତଙ୍କ ପକ୍ଷରେ ରହୁଚି ନା ନିଃସ୍ବ/କ୍ଷମତାହୀନ/ସ୍ବରହୀନଙ୍କ ପକ୍ଷରେ? ଗଣମାଧ୍ୟମ ମଣମାଧ୍ୟମ(ବଶମ୍ବଦ) ହେଲେ ଅବଶ୍ୟ ତାହା ସମ୍ଭବ ହେବନାହିଁ।

ବିଶ୍ବସନୀୟତା ଗଣମାଧ୍ୟମର ସବୁଠୁ ବଡ଼ ପୁଞ୍ଜି। ଖବରର ସତ୍ୟତା ଓ ନିଷ୍ପକ୍ଷତା ଗଣମାଧ୍ୟମକୁ କରେ ବିଶ୍ବସନୀୟ; ଅଥଚ ବର୍ତ୍ତମାନର ଗଣମାଧ୍ୟମ ପରିଦୃଶ୍ୟ କିଛିଟା ଅଲଗା; କାହିଁକିନା ଏବେ ଖବରର ସତ୍ୟତାକୁ ପରଖିବା ପାଇଁ ବିମୁଗ୍ଧ (ଆଜିକାଲିର ଭାଷାରେ କହିଲେ ‘ଭକ୍ତ’) ପାଠକ/ଦର୍ଶକ ପାଖରେ ନାହିଁ ସମୟ ବା ଧୈର୍ଯ୍ୟ। ସେ ଆପଣାକୁ ଯେଉଁ ପକ୍ଷର ବୋଲି ଥରେ ଧରିନେଇଛି, ତାକୁ ଧରିନେଇଚି ଅକାଟ୍ୟ (ମିଥ୍ୟା ହେଲେ ସୁଦ୍ଧା)! କୌଣସି ନିର୍ଦିଷ୍ଟ ମତାଦର୍ଶରେ ଆବଦ୍ଧ ହୋଇ ରହିଗଲେ ଆଉ ନିଷ୍ପକ୍ଷ ହେବା ସହଜରେ ସମ୍ଭବ ହୁଏନା, ତାହା ଗଣମାଧ୍ୟମ ହେଉ ବା ପାଠକ/ଦର୍ଶକ। ଏଥିରୁ ମୁକୁଳିବାକୁ ହେଲେ ଏକ ସ୍ଥିତପ୍ରଜ୍ଞ ଦୃଷ୍ଟିସଂପନ୍ନ ପରଖ ସର୍ବାଦୌ ଜରୁରୀ। ସ୍ମରଣଯୋଗ୍ୟ, ଆଜିର ସୂୂଚନା/ଖବର ଆହରଣ/ବିତରଣର ନବ୍ୟ ମୁକ୍ତବ୍ୟବସ୍ଥାରେ ପେସାଦାର ସାମ୍ବାଦିକଙ୍କ ଭୂମିକା ଅପେକ୍ଷାକୃତ ହୋଇଯାଇଚି ଗୌଣ ଏବଂ ନାଗରିକଙ୍କ ଭୂମିକା ହୋଇଚି ବୃହତ୍ତର, ଯିଏ ଖାଲି ପାଠକ/ଦର୍ଶକ ନୁହେଁ, ଉପଭୋକ୍ତା ମଧ୍ୟ। ସାମାଜିକ ଗଣମାଧ୍ୟମ ନାଗରିକଙ୍କୁ ଯେଉଁ ସ୍ବାଧୀନତା/ସ୍ବଚ୍ଛନ୍ଦତା ଦେଇଚି, ତାହା ମୁଖ୍ୟଧାରାର ଗଣମାଧ୍ୟମ ଦେଇନାହିଁ ବା ଦେବା ଅସମ୍ଭବ। ସମସ୍ୟା ଯେ, ସାମାଜିକ ଗଣମାଧ୍ୟମର ବିଶ୍ବସନୀୟତା ସର୍ବଦା ସଂଶୟାଚ୍ଛନ୍ନ। ଏ ଦୃଷ୍ଟିରୁ ମୁଖ୍ୟଧାରାର ଗଣମାଧ୍ୟମର ଦାୟିତ୍ବ ଅଧିକ। ବିଂଶ ଶତାବ୍ଦୀରେ ପେସାଦାର ଗଣମାଧ୍ୟମକୁ ଗଣତନ୍ତ୍ରର ‘ଚତୁର୍ଥ ସ୍ତମ୍ଭ’ କୁହାଯାଉଥିଲା; ଏକବିଂଶ ଶତାବ୍ଦୀରେ ହୁଏତ ବିଜ୍ଞ ନାଗରିକ ସମାଜ ‘ପଞ୍ଚମ ସ୍ତମ୍ଭ’ ହୋଇପାରିବ। ଏ ଦୁଇଟିର ସମ୍ମେଳନ ବର୍ତ୍ତମାନ ସମୟର ବଡ଼ ଆବଶ୍ୟକତା।

ଉପରାଷ୍ଟ୍ରପତି ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇ କହିଚନ୍ତି ଯେ ଆଞ୍ଚଳିକ ଗଣମାଧ୍ୟମ ଆଉ ଆଞ୍ଚଳିକ ହୋଇ ରହିନାହିଁ, ତାହା ଜାତୀୟ ହୋଇସାରିଚି। ତଥାକଥିତ ଜାତୀୟ ଗଣମାଧ୍ୟମଗୁଡ଼ିକ ଆଞ୍ଚଳିକ ହେବାକୁ ବାଧ୍ୟ ହେବା (ଆଞ୍ଚଳିକ ଭାଷାରେ ଖବରକାଗଜ ପ୍ରକାଶନ/ନିଉଜ୍ ଚ୍ୟାନେଲ୍‌ ପ୍ରସାରଣ କରିବା) ୟା’ର ସବୁଠୁ ବଡ଼ ଦୃଷ୍ଟାନ୍ତ। ଇଣ୍ଟରନେଟ୍‌ ଯୁଗରେ ଆଞ୍ଚଳିକତାର ସଂଜ୍ଞା ବଦଳିସାରିଚି, ଯାହା ଗଣମାଧ୍ୟମ କ୍ଷେତ୍ରରେ ବି ସତ୍ୟ। ତେବେ ସବୁଠୁ ବଡ଼ ପ୍ରଶ୍ନ ଏଇଆ ଯେ,  ଗଣମାଧ୍ୟମ ଜଣମାଧ୍ୟମ/ମଣମାଧ୍ୟମ ନହେବାପାଇଁ ରକ୍ଷାକବଚ କ’ଣ? ବର୍ତ୍ତମାନ ଏ ପ୍ରଶ୍ନ ମନେହେଉଚି ବେଶି ପ୍ରାସଙ୍ଗିକ, ଖାଲି ଭାରତରେ ନୁହେଁ, ସମଗ୍ର ବିଶ୍ବରେ।

(‘ସମାଜ’ରେ ୧.୧୧.୧୯ରେ ପ୍ରକାଶିତ)
Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.