ଜାତିକୁ ଯିବାକୁ ଦିଅ

1 comment
ମ ଲୋକକାହାଣୀ-ପୁରାଣ-ଇତିହାସ-ସ୍ମୃତିରେ ରାଜା/ରାଜକୁମାରମାନେ କେବଳ ରାଜକୁମାରୀ ନୁହେଁ, ନିମ୍ନବର୍ଗର ଯୁବତୀଙ୍କୁ ପ୍ରେମ ଓ ବିବାହ କରିବାର ଉଦାହରଣ ବିରଳ ନୁହେଁ । (କେତେକ ସ୍ଥଳରେ ସେମାନଙ୍କୁ ଅନ୍ତଃସତ୍ତ୍ୱା କରି ପରିତ୍ୟାଗ କରିବା ଭଳି ଅମାନବୀୟ ଉଦାହରଣ ବି ରହିଛି) ଅକୁଳ-ଅଜାତି ପ୍ରେମ ବା ବିବାହ ପାଇଁ ସାମାଜିକ ବାଧାବନ୍ଧନ ପ୍ରଚୁର; ଦଣ୍ଡ ମୁଣ୍ଡକାଟ । ତେବେ ସ୍ଥୂଳତଃ  ନିମ୍ନବର୍ଗ ପାଇଁ ଏ ଦଣ୍ଡ ନିଶ୍ଚିତ, ଅଥଚ ରାଜା/ରାଜକୁମାରଙ୍କ ଲାଗି ସାତଖୁଣ୍‍ ମାଫ୍‍ । କହିବା ବାହୁଲ୍ୟ ଯେ ଏ ରାଜକୁମାରମାନଙ୍କ ଭିତରୁ ଅଧିକାଂଶ ଉଚ୍ଚବର୍ଗଜ, ସମ୍ଭ୍ରାନ୍ତ, କ୍ଷମତାଶାଳୀ, ବାହୁବଳୀ । କୌଣସି ରାଜକୁମାର ନଥିଲେ ନିମ୍ନବର୍ଗଜ । ଥିବାର ପ୍ରଶ୍ନ ହିଁ ନାହିଁ, କାରଣ ଶାସନ-ସିଂହାସନ ପର୍ଯ୍ୟନ୍ତ ପହଞ୍ଚôବା ସେମାନଙ୍କ ପାଇଁ ଥିଲା ଅଚିନ୍ତନୀୟ (କେବଳ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ବ୍ୟତୀତ) । ଲୋକତନ୍ତ୍ର ଆସିବା ପରେ ଏ ଦେଶରେ ତାହା ହୋଇଛି ସମ୍ଭବ ଓ ନିମ୍ନବର୍ଗର କିଛି ଲୋକ ବସିପାରିଛନ୍ତି ଶାସକ ଆସନରେ; କିନ୍ତୁ ବିଡ଼ମ୍ବନା, ସେମାନେ ସାମାଜିକ-ସାଂସ୍କୃତିକ-ବୌଦ୍ଧିକ-ରାଜନୈତିକ ସ୍ତରରେ ଆଜି ବି ‘ଦଳିତ’ । ନିଜ ପୁଅର ନାଁ ଇଲାଭରସନ (ଯାହାର ଅର୍ଥ ତାମିଲରେ ‘ରାଜକୁମାର’) ରଖିଲେ ବି ସେମାନେ ଅସ୍ପୃଶ୍ୟ; କାରଣ ସେମାନଙ୍କ ଜାତି ‘ଆଦି ଦ୍ରାବିଡ଼’ । ଇଲାଭରସନମାନଙ୍କୁ ଆମ ରାଷ୍ଟ୍ର ଓ ସମ୍ବିଧାନ ସବୁ ଜନଗଣଙ୍କ ପରି ସମାନ ଅଧିକାର ପ୍ରଦାନ କରିଥିଲେ ହେଁ ସେମାନେ ଉଚ୍ଚବର୍ଗ ପାଇଁ ନୀଚ ଓ ଅକୁଳୀନ । ତେଣୁ ତା’ର ମୁଣ୍ଡକାଟ ଅନିବାର୍ଯ୍ୟ । ହଁ, ନିକଟରେ ତାମିଲନାଡ଼ୁର ଧର୍ମପୁରୀ ଜିଲା ଅନ୍ତର୍ଗତ ନାଇକ୍କନକୋଟ୍ଟାଇ ଗାଁର ଯୁବକ ଇଲାଭରସନର ଜୀବନ ଯିବା ପଛରେ ଜାତି ହିଁ ତ ମୁଖ୍ୟ କାରଣ । ତା’ର ଦୋଷ, ସେ ବନ୍ନିୟାର ଜାତିର ଯୁବତୀ ଦିବ୍ୟାକୁ ଭଲ ପାଇଲା ଓ ମନ୍ଦିରରେ ଯାଇ ବାହାହେଲା । ଦିବ୍ୟା-ଇଲାଭରସନଙ୍କ ବିଚ୍ଛେଦ ପାଇଁ ପାରୁପର୍ଯ୍ୟନ୍ତ ଲାଗିପଡ଼ିଥିଲା ବନ୍ନିୟାର ସମ୍ପ୍ରଦାୟ । ଦିବ୍ୟାକୁ ଜାତି-ପଞ୍ଚାୟତ ତରଫରୁ ଆଦେଶ ଦିଆଯାଇଥିଲା ଯେ ସେ ତୁରନ୍ତ ଇଲାଭରସନର ଘର ଛାଡ଼ି ବାପଘରକୁ ପଳାଇଆସୁ; ହେଲେ ଇଲାଭରସନକୁ ଛାଡ଼ି ଯିବନାହିଁ ବୋଲି ସ୍ପଷ୍ଟ ମନା କରିଦେଇଥିଲା ଦିବ୍ୟା । ଦୀର୍ଘଦିନ ଧରି ଗଞ୍ଜଣା ସହି ଆସୁଥିବା ଦିବ୍ୟାର ବାପା ତା’ ପରଦିନ ହିଁ ‘ଲଜ୍ଜା’ରେ ବେକରେ ଦଉଡ଼ି ଦେଇଦେଲେ । ପରବର୍ତ୍ତୀ ଘଟଣା ଆହୁରି ମର୍ମନ୍ତୁଦ । ବନ୍ନିୟାର ସମ୍ପ୍ରଦାୟର ଲୋକେ ଇଲାଭରସନର ଘର ସମେତ ତିନିଟି ଦଳିତ ବସ୍ତିର ୧୬୪ଟି ଘରେ ନିଆଁ ଲଗାଇଦେଲେ ଓ ୩୦୦ ଘରକୁ ଭାଂଗି କରିଦେଲେ ଧୂଳିସାତ୍‍ (ଏହାର ପ୍ରଚ୍ଛଦରେ ଥିଲା ବନ୍ନିୟାର ସଂଘରୁ ରାଜନୈତିକ ଦଳ ପାଲଟିଥିବା ପଟ୍ଟାଲି ମକ୍କଲ କାଚି ବା ପିଏମ୍‍କେ) । ଏ ଘଟଣା ୨୦୧୨ ନଭେମ୍ବର ମାସର । ପରେ ଦିବ୍ୟାକୁ ବଳପୂର୍ବକ ନେଇଆସିଲେ ଇଲାଭରସନଠୁ । ୨୦୧୩ ଜୁଲାଇରେ ଯେଉଁଦିନ ଦିବ୍ୟା ଅଦାଲତରେ ଇଲାଭରସନ ପାଖକୁ ଫେରିବନି ବୋଲି କହିଦେଲା, ତା’ପରଦିନ ହିଁ ଇଲାଭରସନର ଶବ ମିଳିଲା ରେଳଧାରଣା କଡ଼ରୁ । ଶେଷରେ ପ୍ରେମ ହାରିଲା, ଜାତି ଜିତିଲା । ପୁଲିସ, କୋର୍ଟକଚେରି, ସମ୍ବିଧାନ ହାରିଲା, ଜାତି ଜିତିଲା ।

କେବଳ ତାମିଲନାଡ଼ୁ ନୁହେଁ, ଆକୁମାରୀ ହିମାଚଳ ସବୁଠି ଜାତିର ପ୍ରତିପତ୍ତି । ସତେଯେମିତି ଆଗ ମଣିଷ ନୁହଁ, ଆଗ ଜାତି । ପୁରୁଷସୂକ୍ତ (ଋଗ୍‍ବେଦ)ରେ ବର୍ଣ୍ଣିତ ଚତୁର୍ବର୍ଣ୍ଣ ସଂରଚନା (ବ୍ରାହ୍ମଣ ପରମେଶ୍ୱରଙ୍କ ମୁହଁ, କ୍ଷତ୍ରିୟ ବାହୁ, ବୈଶ୍ୟ ଜଙ୍ଘ ଓ ଶୂଦ୍ର ପାଦରୁ ଜାତ)କୁ ବ୍ରାହ୍ମଣ୍ୟ ସଂସ୍କୃତିର ଶ୍ରେଷ୍ଠ ପ୍ରବକ୍ତା ମନୁ ପ୍ରଦାନ କରିଚନ୍ତି ପ୍ରାମାଣିକ ପ୍ରତିଷ୍ଠା । ହିନ୍ଦୁ ସଂସ୍କୃତି ଓ ସାମାଜିକ ସଂହତି ପାଇଁ ଏଭଳି ସଂରଚନା ହୋଇଥାଇପାରେ ତକ୍ରାଳୀନ ଆଦର୍ଶ, କିନ୍ତୁ ଭାରତରେ ପରବର୍ତ୍ତୀ କାଳରେ ଏହା ହିଁ ପାଲଟିଚି ସାମାଜିକ ବିଭାଜନ ଓ ବୈଷମ୍ୟର କାରଣ । ବ୍ରାହ୍ମଣ ଆପଣା ଶ୍ରେଣୀସ୍ୱାର୍ଥର ସୁରକ୍ଷା ଓ ନିରନ୍ତର ଆଧିପତ୍ୟ ଲାଗି କର୍ମ ଓ ଗୁଣବିଭକ୍ତିକୁ ବୈଧ ପ୍ରମାଣିତ କରିବାକୁ ପ୍ରବର୍ତ୍ତନ କରିଚି ଅଜସ୍ର ସୂକ୍ତସଂହିତା, ପୋଥିପୁରାଣ; ଗଢ଼ିଚି ସ୍ୱର୍ଗନର୍କ, ପାପପୁଣ୍ୟ, ପବିତ୍ରଅପବିତ୍ର, ଇହଲୋକପରଲୋକ ଭଳି ଗୁଡ଼ାଏ ବିମୂର୍ତ୍ତ, କାଳ୍ପନିକ ଓ ଆଧିଭୌତିକ ଅନୁଷ୍ଠାନ । ସେ ଯେ ଅନ୍ୟ ତିନି ବର୍ଗଠୁ ଶ୍ରେଷ୍ଠ ଓ ଭଗବାନସ୍ୱରୂପ, ତାହା ଚେତାଇ ଦିଆଯାଇଚି ଅନୁକ୍ଷଣ । ପରାଶର ସଂହିତା ଲକ୍ଷ୍ମଣରେଖା କାଟି କହିଦେଇଚି: ଜଣେ ବ୍ରାହ୍ମଣର ଅନେକ ଦୋଷ ଥିଲେ ବି ସେ ବ୍ରାହ୍ମଣ, ଶୂଦ୍ରର ଅନେକ ଗୁଣ ଥିଲେ ବି ସେ ଶୂଦ୍ର । ଭୟ ହେତୁ ହେଉ କି ଅଜ୍ଞାନତାବଶତଃ, ହଜାରହଜାର ବର୍ଷ ଧରି ଭାରତୀୟ ସମାଜ ଏ ଆପାତନିରର୍ଥକ କର୍ମକାଣ୍ଡରେ ରହିଚି ବ୍ୟାପୃତ ଓ ଏହାରି ବିରୋଧରେ କେବେ କରିନାହିଁ ସ୍ୱରୋତ୍ତୋଳନ । ଅତଏବ ବ୍ରାହ୍ମଣ୍ୟ ଆଧିପତ୍ୟକୁ ମିଳିଯାଇଚି ସମର୍ଥନ । ଫଳସ୍ୱରୂପ ସାମନ୍ତତାନ୍ତ୍ରିକ ବ୍ୟବସ୍ଥାରେ ବି ବ୍ରାହ୍ମଣ ହୋଇଛି ଅଗ୍ରପୂଜ୍ୟ; ରାଜ୍ୟଚାଳନାରେ  ରାଜାର ପରାମର୍ଶଦାତା, ଯୁଦ୍ଧକ୍ଷେତ୍ରରେ ସେନାପତି, ଗୁରୁକୁଳରେ ଆଚାର୍ଯ୍ୟ । ଗୋଟିଏ କଥାରେ, ସାମାଜିକ-ଆର୍ଥନୀତିକ-ରାଜନୈତିକ-ବୌଦ୍ଧିକ, ସବୁ କ୍ଷେତ୍ରରେ ଆଧିପତ୍ୟ । ଏ ବ୍ୟବସ୍ଥାକୁ ଅସ୍ୱୀକାର ଓ ପ୍ରତିବାଦ କରିଥିବା ଗୌତମ ବୁଦ୍ଧଙ୍କଠୁ ଆରମ୍ଭ କରି ବର୍ତ୍ତମାନର ସମାଜ ସଂସ୍କାରକଙ୍କ ପର୍ଯ୍ୟନ୍ତ, କାହାକୁ ବି ମିଳିନି ସାମଗ୍ରିକ ସଫଳତା । ତେଣୁ ଏବେ ବି ଭାରତୀୟ ଜନଜୀବନରେ ଏହାର ପ୍ରଭାବ ଅପ୍ରତିହତ ।

ଚତୁର୍ବର୍ଣ୍ଣ ବିଭାଗୀକରଣ ପରେ ସମୟକ୍ରମେ ସୃଷ୍ଟ ଜାତି ବିଭାଜନ ସମାଜକୁ କରିଛି ଆହୁରି ବିଭକ୍ତ, ଖଣ୍ଡବିଖଣ୍ଡିତ । (ସେନ୍‍ସସ୍‍ କମିଶନର ରିଜ୍‍ଲେ ଓ ଇ.ଏ. ଗେଟ୍‍ ୧୯୦୧ରେ ଓ ୟେବ୍‍ସ ୧୯୪୧ରେ କହିଥିଲେ ଯେ ଜାତିଗଣନା ଜନସୁମାରିର ସବୁଠୁ କଷ୍ଟଦାୟକ ଓ ବ୍ୟୟବହୁଳ ପ୍ରକ୍ରିୟା । ୧୮୮୧ରେ କେବଳ ମାଡ୍ରାସ ପ୍ରେସିଡେନ୍ସିରେ ହିଁ ୩୨୦୮ଟି ଜାତି ଥିବା ଲିପିବଦ୍ଧ ହୋଇଥିଲା । ଅର୍ଥାତ ବର୍ତ୍ତମାନ ୫ ହଜାରରୁ ଊଦ୍ଧ୍ୱର୍ ଥିବା ସମ୍ଭବ ।) କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ରଙ୍କ ଭିତରେ ଯେତିକି ଜାତି, ବ୍ରାହ୍ମଣଙ୍କ ଭିତରେ ବି ସେତିକି ଉପଜାତି । ଅତଏବ ବର୍ଣ୍ଣଲକ୍ଷଣକୁ ନେଇ ଘୋର ଦ୍ୱନ୍ଦ୍ୱ, ଯାହା ସୃଷ୍ଟି କରିଛି ଅନ୍ତର୍ବିରୋଧ ଓ ପାରସ୍ପରିକ ସଂଘାତ । ଏହି ହେତୁରୁ ଉଦ୍ଭବ ଆଉ ଏକ ଶ୍ରେଣୀ ‘ଦଳିତ’ । ଏହା ଅବଶ୍ୟ ଧାର୍ମିକ ଅନୁଷଙ୍ଗ ଅପେକ୍ଷା ବେଶି ରାଜନୈତିକ ଚେତନା-ପ୍ରେରିତ । ‘ଦଳିତ’ ଶବ୍ଦଟିକୁ ସର୍ବପ୍ରଥମେ ଡ. ଆମ୍ବେଦକର ନିଜ ଖବରକାଗଜ ‘ବହିଷ୍କୃତ ଭାରତ’ରେ ବ୍ୟବହାର କରିଥିଲେ ୧୯୨୮ରେ । ଗାନ୍ଧୀଙ୍କ ‘ହରିଜନ’ ତାଙ୍କୁ କରିପାରିନଥିଲା ସନ୍ତୁଷ୍ଟ । ଏବେ ‘ଦଳିତ’ ନାଁରେ ଖାଲି ମଣିଷ ନାହାନ୍ତି, ଗଢ଼ିଉଠିଚି ସମାଜ, ସାହିତ୍ୟ, ଇତିହାସ, ଆହୁରି କେତେକ’ଣ । ସଂଯୋଗ ହେଇଚି ବି ‘ଦଳିତ ପୁଞ୍ଜିବାଦ’ । ଏହାକୁ ସାକାର ରୂପ ଦେବାକୁ ଗଠନ କରାଯାଇଚି ‘ଦଳିତ ଇଣ୍ଡିଆନ ଚେମ୍ବର ଅଫ୍‍ କମର୍ସ ଏଣ୍ଡ୍‍ ଇଣ୍ଡଷ୍ଟ୍ରି’ (ଡିଆଇସିସିଆଇ), ଯାହାର ପ୍ରତିଷ୍ଠାତା ଦଳିତ ପୁଞ୍ଜିପତି ମିଲିନ୍ଦ କାମ୍ବଲେ ଓ ପରାମର୍ଶଦାତା ‘ଦଳିତ ବୁଦ୍ଧିଜୀବୀ’ ଚନ୍ଦ୍ରଭାନ ପ୍ରସାଦ । ଲକ୍ଷ୍ୟ, ଭାରତର ଦଳିତ କୋଟିପତିଙ୍କୁ ଏକତି୍ରତ କରିବା ଓ ଅଧିକ ଦଳିତ-ପୁଞ୍ଜିପତି ସୃଷ୍ଟି କରି ଉଚ୍ଚଜାତିର ଲୋକଙ୍କୁ ନିଜର ଅନୁଗତ କରି ରଖିବା । ଏହାଦ୍ୱାରା ଜାତିୟ ବିଭେଦ-ବୈଷମ୍ୟ-ଶୋଷଣ ଦୂର ହେବ ବୋଲି ସେମାନଙ୍କର ଦୃଢ଼ ବିଶ୍ୱାସ । ନିକଟରେ ଚନ୍ଦ୍ରଭାନ ଘୋଷଣା କରିଛନ୍ତି, “ପୁଞ୍ଜିବାଦରେ ତୁମେ ଗୋଟାଏ ମର୍ସିଡିଜ୍‍ କାର୍‍ କିଣିପାରିବ ଓ ଜଣେ ବ୍ରାହ୍ମଣ ଡ୍ରାଇଭର୍‍କୁ ନିଯୁକ୍ତ କରିପାରିବ” (ଟାଇମ୍ସ ଅଫ୍‍ ଇଣ୍ଡିଆରେ ସାକ୍ଷାତକାର, ୨୧ ଜୁଲାଇ ୨୦୧୩) । କିନ୍ତୁ ମନୁସ୍ମୃତିକୁ ରାଗରେ ପୋଡ଼ି (୧୯୨୭ରେ) ଦଳିତ ଉତ୍ଥାନ ପାଇଁ ଅହର୍ନିଶ ଚେଷ୍ଟିତ ସମ୍ଭ୍ରାନ୍ତ ଦଳିତ-ନାୟକ ଓ ସମାଜ ସଂସ୍କାରକ ଡ. ଆମ୍ବେଦକର ବି ଯେଉଁ ‘ଜାତି’ ନିକଟରେ ହାରିଥିଲେ ଓ ଶେଷରେ ବାହାର କରିଥିଲେ ସଂରକ୍ଷଣ ଭଳି ଏକ ବିଫଳ ସମାଧାନ ସୂତ୍ର, ଚନ୍ଦ୍ରଭାନଙ୍କ ‘ଦଳିତ ପୁଞ୍ଜିବାଦ’ କ’ଣ ସେମାନଙ୍କୁ ଦେଇପାରିବ ମୁକ୍ତି? ଦି’ଚାରି ହଜାର କୋଟିପତି ଦଳିତ ଯଦି ବିଏମ୍‍ଡବ୍ଲୁ୍ୟ କି ମର୍ସିଡିଜ୍‍ ଚଢ଼ି କରିବେ ବିଳାସବ୍ୟସନ ଓ ବ୍ରାହ୍ମଣ (ଉଚ୍ଚବର୍ଗ) ଡ୍ରାଇଭର୍‍, ଚାକର, ପୂଝାରୀ ନିଯୁକ୍ତି ଦେଇ ସେମାନଙ୍କୁ କରିବେ ପରିକର/ଅଧସ୍ତନ, ତେବେ ଏହାଦ୍ୱାରା ସମାଜ ଓ ସଂସାରରୁ କେମିତି ଯିବ ଜାତିବୈଷମ୍ୟ? ଇଲାଭରସନମାନଙ୍କୁ ଆଉ ମରିବାକୁ ପଡ଼ିବନି କି ଘଟିବନି ଲାଠୋର ଗୃହଦାହ ଭଳି ଅଘଟଣ? ବରଂ ଏୟା ହେବାର ସମ୍ଭାବନା ପ୍ରବଳ ଯେ ‘କୋଟିପତି ଦଳିତ’ ଆପେ ଦଳିତ-ବ୍ରାହ୍ମଣ (ତଥାକଥିତ ଶ୍ରେଷ୍ଠ) ହେଇ ପାଲଟିବ ଆଉ ଏକ ମନୁବାଦୀ ପରମ୍ପରାର ବାହକ ଓ ଶୋଷଣଚକ୍ରର ଜନକ । ୟା’ର ଉଦାହରଣ ଖୋଜିଲେ ମିଳିବ ଢେର୍‍, କୋଟିପତି ନୁହେଁ, ହଜାରପତି ଦଳିତଙ୍କ ନିକଟରେ ବି! ପୁଣି ଯେଉଁ ଢାଞ୍ଚାରେ ଏହାର ପରିକଳ୍ପନା, ସେହି ଆମେରିକାର ‘ବ୍ଲାକ୍‍ କ୍ୟାପିଟାଲିଜମ୍‍’ ବା ‘କୃଷ୍ଣ ପୁଞ୍ଜିବାଦ’ ବି ତ ସେଠିକାର ବର୍ଣ୍ଣବୈଷମ୍ୟ-ଶୋଷଣକୁ ହଟାଇପାରିନାହିଁ ଏବେସୁଦ୍ଧା, ରାଷ୍ଟ୍ରଶକ୍ତିର ଯାବତୀୟ ସହଯୋଗସତ୍ତ୍ୱେ । ଭାରତରେ ତ ସମୁଦାୟ ରାଷ୍ଟ୍ର ଧର୍ମନିରପେକ୍ଷ କୁହାଗଲେ ବି ନିତାନ୍ତ ଧାର୍ମିକ ଓ ନିପଟ ଜାତିଭିତ୍ତିକ, ତେଣୁ ଜାତିଆଣବାଦୀ । ସେଇଥିପାଇଁ ବହୁଜନ ସମାଜପାର୍ଟିର ଦଳିତ ନେତ୍ରୀ ମାୟାବତୀଙ୍କ ବୈପ୍ଳବିକ ସ୍ଲୋଗାନ ‘ତିଲକ୍‍ ତରାଜୁ ଔର୍‍ ତଲୱାର, ଇନ୍‍କୋ ମାରୋ ଜୁତେ ଚାର୍‍’ (ବ୍ରାହ୍ମଣ, ବୈଶ୍ୟ, କ୍ଷତ୍ରିୟଙ୍କୁ ଜୋତାରେ ମାର) ବଦଳିବାକୁ ହୋଇଛି ବାଧ୍ୟ । ତାଙ୍କ ଇସ୍ତାହାରରେ ଏବେ ଆଉ ଦଳିତ-ଉତ୍ଥାନ ନୁହେଁ, ବ୍ରାହ୍ମଣ-ଉତ୍ଥାନ ହିଁ ପ୍ରାଥମିକତା । ଯେଉଁଠି ଜାତି ନିୟନ୍ତ୍ରଣ କରେ ଜନତନ୍ତ୍ରର ଭବିଷ୍ୟତ, ସେଇଠି ସମାଜବାଦର ସ୍ୱପ୍ନ ଅବଶ୍ୟ ଦୂରନ୍ତ; ପୁଞ୍ଜିବାଦରୁ ସାମ୍ୟବାଦ କେବଳ ଦଳିତ ବୁଦ୍ଧିଜୀବୀର ବୌଦ୍ଧିକ ଭ୍ରଷ୍ଟତା । ଅଦାଲତର ଜାତିଆଣ ର୍ୟାଲିବିରୋଧୀ ଆଦେଶ ବି ରାଜନୈତିକ ଦଳଙ୍କ ପାଇଁ ତୁଚ୍ଛା ଅବାସ୍ତବତା । ରାଷ୍ଟ୍ରକଥା ପଛ, ମୂଳ ତ ସମାଜ, ଯେଉଁଠି ଜାତି ଜନ୍ମଗତ । ଏବେ ବି ବ୍ରାହ୍ମଣ ସମାଜର ଗୋଟିଏ ମହାସଭା ତ ଯାଦବ-ତୈଳିକ-କରଣ-ଦଳିତର ଭିନ୍ନଭିନ୍ନ ମହାସମ୍ମିଳନୀ, ତାହା ପୁଣି ଅଖିଳ ଭାରତୀୟ-ନିଖିଳ ଭାରତୀୟ! ଏସବୁର ଲକ୍ଷ୍ୟ ଜାତିସୁରକ୍ଷା । ଦଳିତଙ୍କ ପରି ବ୍ରାହ୍ମଣ ବି କେଉଁକାଳୁ ଦାବିକଲାଣି ସଂରକ୍ଷଣ; କାହିଁକିନା ସେ ବି ତା’ପରି ଦରିଦ୍ର, ସହୁଛି କଷଣ । ସଂରକ୍ଷଣକୁ ଶ୍ରେଣୀଭିତ୍ତିକ (ଧନୀଦରିଦ୍ର) ନକରି ଜାତିଭିତ୍ତିକ କରିବାର ୟେ କୁପରିଣାମ । ତେଣୁ ବ୍ରାହ୍ମଣଠୁ ଦଳିତଯାଏଁ ସଭିଙ୍କ ଚିନ୍ତା- ଜାତିରକ୍ଷଣ । କିନ୍ତୁ ବିଡ଼ମ୍ବନା, ଏଯାଏଁ ମୁଣ୍ଡରେ ପଶୁନି ଜାତି ଅଛି ବୋଲି ଅଛି ଜାତିବିଭାଜନ-ବୈଷମ୍ୟ-ନିର୍ଯାତନା-ଶୋଷଣ-ସଂରକ୍ଷଣ । ଜନ୍ମସୂତ୍ରେ ଆପେଆପେ ମିଳିଥିବା ଜାତି, ଧର୍ମ, ସଂପ୍ରଦାୟ ଯୁଗେଯୁଗେ ହେଇଚି ମନୁଷ୍ୟ ପାଇଁ ଦୁର୍ଗତିର କାରଣ । ମଣିଷ କେବେ ବୁଝିବ ଜାତି ଥିଲେ ଦୁର୍ଗତି, ଜାତି ଗଲେ ହିଁ ମୁକ୍ତି । କିନ୍ତୁ ଜାତି ଯିବ କେମିତି? ଅବଶ୍ୟ ବ୍ରାହ୍ମଣର ପଇତାକୁ ପ୍ରାୟ ଅନାବଶ୍ୟକ କରିଦେଇଥିବାବେଳେ ଦଳିତ ହାତରୁ ଝାଡ଼ୁ ଛଡ଼ାଇ ନେବାରେ ସହାୟକ ହେଇଚି ଜଗତୀକରଣ ଓ ଉଦାରୀକରଣ । କିନ୍ତୁ ଏକବିଂଶ ଶତାବ୍ଦୀରେ ବି ଯେଉଁଠି ଉଚ୍ଚଶିକ୍ଷିତ ବନ୍ଧ୍ୟା ଦମ୍ପତି ‘ଶୁକ୍ରଭଣ୍ଡାର’ରେ ଯାଇ ଲୋଡ଼ୁଚନ୍ତି ‘ବ୍ରାହ୍ମଣ ଶୁକ୍ର’ (ଦ୍ରଷ୍ଟବ୍ୟ: ବ୍ରାହ୍ମିନ୍‍ ସ୍ପର୍ମ ଇନ୍‍ ହାଇ ଡିମାଣ୍ଡ୍‍ ଏମଙ୍ଗ୍‍ ଚାଇଲ୍ଡଲେସ୍‍ କପଲ୍ସ; ଟାଇମ୍ସ ଅଫ୍‍ ଇଣ୍ଡିଆ, ୧୩ ମେ ୨୦୧୨), ସେଇଠି ଏତେ ସହଜ ନୁହେଁ ‘ଜାତି’ର ମୂଳୋପôାଟନ । ତଥାପି ମଣିଷ ହାତରେ ହିଁ ତ ଚାବିକାଠି । ଜାତିକୁ ଯିବାକୁ ଦେବାପାଇଁ ଇଚ୍ଛା କରିବା ଏହାର ପ୍ରଥମ ସୋପାନ । ଦ୍ୱିତୀୟ, ଜାତି ପରିଚୟ ଓ ଜାତ୍ୟଭିମାନର ଶ୍ରେଷ୍ଠ ସୂଚକ ସାଂଜ୍ଞା ବା ଉପନାମକୁ ନିଜ ନାଁରୁ କଟାଣ, ଅର୍ଥାତ ନବଜାତକର ବି ସାଂଜ୍ଞାବିହୀନ ନାମକରଣ । ରାଷ୍ଟ୍ର ଏଥିପାଇଁ କରୁ ନିର୍ଦିଷ୍ଟ ଆଇନ ପ୍ରଣୟନ, ଯେପରିକି କୌଣସି କ୍ଷେତ୍ରରେ ସାଂଜ୍ଞା ବ୍ୟବହାର ହେବ ଦଣ୍ଡନୀୟ ଓ ବେଆଇନ । ତୃତୀୟ, ଜାତିଭିତ୍ତିକ ସମାଜ-ସଭା-ମହାସଭା-ସମ୍ମିଳନୀ ଇତ୍ୟାଦିର ସମ୍ପୂର୍ଣ୍ଣ ନିଷେଧ, ଯାହା ସାମାଜିକ ସଂହତିନଷ୍ଟର ମୂଳ କାରଣ । ଚତୁର୍ଥ, ଜାତିଭିତ୍ତିକ ଜନସୁମାରି ବଦଳରେ ସ୍ଥିତିଭିତ୍ତିକ ଜନଗଣନାର ପ୍ରଚଳନ, ଯାହା ଆଧାରରେ ପ୍ରତ୍ୟେକ ନାଗରିକଙ୍କୁ ରାଷ୍ଟ୍ରର ଜନମଙ୍ଗଳ ଯୋଜନାର ହୋଇପାରିବ ସୁଷମ ବଣ୍ଟନ ଅର୍ଥାତ ନିର୍ବିଶେଷରେ ସବୁ ମଣିଷଙ୍କୁ ମୌଳିକ ସାଧନ ଓ ସୁଯୋଗ ପ୍ରଦାନ ।
ଏକ ପ୍ରଗତିଶୀଳ ପୃଥିବୀରେ ଜାତି ସର୍ବଥା ପରିହାର୍ଯ୍ୟ, କାହିଁକିନା ଜାତି ଗଲେ ହିଁ ତ ସଭିଙ୍କର ପୁରିବ ପେଟ, ରହିବ ମାନ । ଏ ଜାତି ଥିବାଯାଏଁ ‘ମଣିଷଜାତି ଗୋଟିଏ’ ବୋଲି କହିବା ସତରେ ନିର୍ବୋଧପଣ । ଜାତିକୁ ଯିବାକୁ ଦିଅ ।
Next PostNewer Post Previous PostOlder Post Home

1 comment:

  1. ଯେ ପର୍ଯ୍ୟନ୍ତ ଜାତି ପ୍ରଥା ଆମ ସମସ୍ତଂକ ମନ ଭିତରୁ ଲୋପ ନ ପାଇଛି, ସେ ପର୍ଯ୍ୟଂତ ପ୍ରକୃତ ସମାନତା ଆସିପାରିବ ନାହିଁ, ସଂରକ୍ଷଣ ବ୍ୟବସ୍ଥା ଆଜିର ଦିନରେ ଆଉ ପ୍ରଯୁଜ୍ୟ ନୁହେଁ..

    ReplyDelete

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.