ରତ୍ନବିଜ୍ଞାନ ବିଚାର

Leave a Comment
କଥା ଭାରତର ସମ୍ବିଧାନ ନିର୍ମାଣ ସମୟର । ସମ୍ବିଧାନ ସଭାରେ ବହୁ ପ୍ରବୀଣ ନେତାଙ୍କ ସ୍ପଷ୍ଟୋକ୍ତି ଥିଲା ଏକ ଗଣତାନ୍ତ୍ରିକ ଦେଶରେ ରାୟସାହେବ, ରାୟବାହାଦୁର,  ସାର୍‍, ଲର୍ଡ ଇତ୍ୟାଦି ସମ୍ମାନ ଓ ଉପାଧି କେବଳ ହାସ୍ୟାସ୍ପଦ ନୁହେଁ, ଅନେକ ଦୃଷ୍ଟିରୁ ଅଗଣତାନ୍ତ୍ରିକ । କାରଣ ଏପରି ଉପାଧି ଜଣକୁ ପ୍ରଦାନ କରିବାଦ୍ୱାରା ବୁଝାଯିବ ନାଗରିକ-ନାଗରିକ ମଧ୍ୟରେ ରାଷ୍ଟ୍ର କରୁଚି ପାତରଅନ୍ତର । କିନ୍ତୁ ଔପନିବେଶିକ ଦାସତ୍ୱ ମାନସରୁ ମୁକ୍ତ ହୋଇପାରିନଥିବା ଭାରତବର୍ଷରେ ଏହା ଚାଲିଆସିଚି ଦୀର୍ଘକାଳ । ଯଦିଓ କେତେକ ଉପାଧି ଯାଇଚି, ସାର୍‍, ଲର୍ଡ ଆଦି ଉପାଧି/ଉପମା ଶାସନ/ପ୍ରଶାସନରେ ଏବେ ବି ବଳବତ୍ତର ରଖିଚି ତା’ର ମହିମା । ଏହାରି ଆଳରେ ଆମ ନେତୃତ୍ୱ/ସରକାର କିଛି ଲୋକଙ୍କୁ ଦାସ କରିରଖିବାପାଇଁ ଚାହିଁଥିବାବେଳେ ଆଉ କେତେକଙ୍କୁ ସାରା ଜୀବନ କରିଚି ବଶମ୍ବଦ । ନାଗରିକଙ୍କ ଭିତରେ କରିଆସିଚି ଭେଦ ଓ ନିଜ ଚଉକିଭଂଗାରୁ ଆପଣାକୁ ରଖିଚି ନିରାପଦ । ହୁଏତ ଏଭଳି ଏକ ଦୁଷ୍ଟଦର୍ଶନରୁ ହିଁ ୧୯୫୪ରେ ହୋଇଥିଲା ଭାରତରତ୍ନ ଭଳି ଉପାଧି/ସମ୍ମାନର ଉନ୍ମେଷ । ଏଇ କାରଣରୁ ପଣ୍ଡିତ ହୃଦୟନାଥ କୁଂଜରୁ (୧୮୮୭-୧୯୭୮)ଙ୍କୁ ଯେତେବେଳେ ଭାରତରତ୍ନ ପାଇଁ ୧୯୬୮ରେ କରାଗଲା ମନୋନୀତ, ସେ ଏହାକୁ ଗ୍ରହଣ କରିବାକୁ ମନାକରିଦେଇଥିଲେ ତୁରନ୍ତ । ଆଜିର ସମ୍ମାନ-ପୁରସ୍କାର-ଉପାଧି ଲାଳସାପ୍ରିୟ ଭାରତୀୟ ସମାଜରେ ଏହା କଳ୍ପନାତୀତ । ଉପରୋକ୍ତ ବ୍ୟବସ୍ଥାକୁ ଘୋର ବିରୋଧ କରୁଥିବା ଏଇ କାଶ୍ମିରୀ ପଣ୍ଡିତ, ବହୁଶାସ୍ତ୍ରବେତ୍ତା ତଥା ଧୂରୀଣ ପାର୍ଲାମେଣ୍ଟାରିଆନ୍‍ଙ୍କ ମତ ଥିଲା, ଏକ ଗଣତାନ୍ତ୍ରିକ ଦେଶରେ ଏଭଳି ସମ୍ମାନର ନାହିଁ କୌଣସି ସ୍ଥାନ । (ପଣ୍ଡିତ କୁଂଜରୁ ଭାରତୀୟ ସମ୍ବିଧାନ ନିର୍ମାଣକାରୀ କନ୍‍ଷ୍ଟିଚୁ୍ୟଏଣ୍ଟ୍‍ ଆସେମ୍ବ୍ଲି ଅଫ୍‍ ଇଣ୍ଡିଆ (୧୯୪୬-୧୯୫୦)ର ଥିଲେ ସଦସ୍ୟ) । ମୁଁ ନିଶ୍ଚିତ ଯେ ଗାନ୍ଧୀ (ମହାତ୍ମା) ଯଦି ବଞ୍ଚିଥାନ୍ତେ ଓ ତାଙ୍କୁ ଭାରତରତ୍ନ ଦିଆଯାଇଥାନ୍ତା, ତେବେ ସେ ନିଶ୍ଚୟ ଏହାକୁ କରିଥାନ୍ତେ ପ୍ରତ୍ୟାଖ୍ୟାନ; ତାଙ୍କ ସ୍ୱପ୍ନର ଭାରତବର୍ଷର ଦୁଃଅବସ୍ଥା ଦେଖି ହେଇଥାନ୍ତେ ବିଷଣ୍ଣ । ପଣ୍ଡିତ କୁଂଜରୁଙ୍କ ଆଶଙ୍କା କେତେ ସତ, ତାହା ଭାରତରତ୍ନର ବିବାଦୀୟ ଇତିହାସକୁ ଦେଖିଲେ ବୁଝିହେଇଯାଏ ଅନ୍ତତଃ । ଯେଉଁ ରାଜନୀତି ଓ ରାଜନେତାଙ୍କୁ ନେଇ ଏକଦା ଦେଖାଯାଇଥିଲା ଏକ ଶକ୍ତିଶାଳୀ ଭାରତ ଗଠନର ସ୍ୱପ୍ନ, ସେମାନେ ହିଁ ଶେଷରେ ହେଇଗଲେ ବୋଧଶୂନ୍ୟ । ସେମାନେ ଗଢ଼ିଲେ ଭାରତରତ୍ନ, ତାକୁ ଭାବିଲେ ସତେଯେମିତି ଆପଣାର କୋଠଧନ । ନଚେତ୍‍ ନିଜର ସ୍ୱାର୍ଥପୂରଣ ପାଇଁ ରାଜନୈତିକ ଦଳସବୁ ବିଭିନ୍ନ ସମୟରେ ସମ୍ବିଧାନ ସଂଶୋଧନ କରିଆସିବା ପରି ବଦଳାଇ ନଥାଆନ୍ତେ ଭାରତରତ୍ନର ମୂଳ ନିୟମ । ୧୯୬୬ରେ ମରଣୋତ୍ତର ଦିଆଯାଇପାରିବ ବୋଲି ଯୋଡ଼ାଯାଇଥିବା ନିୟମ ବି ରାଜନୈତିକ ଦଳର ଆପଣା ସ୍ୱାର୍ଥସାଧନରୁ ପ୍ରେରିତ । ୨୦୧୧ ଡିସେମ୍ବରରେ ଭାରତରତ୍ନ ପାଇଁ ନୂତନ ଯୋଗ୍ୟତା ନିର୍ଦ୍ଧାରଣ ତ କେବଳ ମାତ୍ର ସ୍ଖଳନ; କାଇଁକିନା ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ କୁହାଗଲେ ବି କେବଳ ଜଣକପାଇଁ ବଦଳାଇ ଦିଆଗଲା ରାତାରାତି ନିୟମ । ଡିସେମ୍ବର ୧୬  ପର୍ଯ୍ୟନ୍ତ ଏ ସମ୍ମାନ ଥିଲା ସେମାନଙ୍କପାଇଁ ଯେଉଁମାନଙ୍କର ରହିଥିବ “exceptional service towards advancement of Art, Literature and Science, and in recognition of public service of the highest order.” କିନ୍ତୁ ଏବେ “for performance of highest order in any field of human endeavour.”  ଧ୍ୟାନଯୋଗ୍ୟ ଯେ ଏ ପରିବର୍ତ୍ତନ ପରେ ‘ସର୍ଭିସ୍‍’ ବା ସେବା ନୁହେଁ, ‘ପରଫର୍‍ମାନ୍ସ’ ବା ‘ପ୍ରଦର୍ଶନ’ ହିଁ ଭାରତରତ୍ନ ହେବାର ଅସଲ ମାନଦଣ୍ଡ । ବୁଝାଇବା ଅନାବଶ୍ୟକ, ‘ପର୍‍ଫର୍‍ମାନ୍ସ’ ଭଳି ଶବ୍ଦ ବିଦ୍ୟାର୍ଥୀ, ଖେଳାଳି ଆଦିଙ୍କ ଯୋଗ୍ୟତା ପାଇଁ ବେଶି ହୁଏ ବ୍ୟବହୃତ; ତେଣୁ ଆଦୌ ଦ୍ୱନ୍ଦ୍ୱ ନାହିଁ ଯେ ଏ ଶବ୍ଦଟି କେବଳ କ୍ରିକେଟ୍‍ପ୍ରେମୀଙ୍କ ‘ଗଡ଼’ (ଭଗବାନ) ସଚିନ ତେନ୍ଦୁଲକରଙ୍କ ପାଇଁ ଉଦେ୍ଧଶ୍ୟମୂଳକଭାବେ ହୋଇଛି ସୃଜିତ । ପୁଣି ‘ଏନି ଫିଲ୍ଡ ଅଫ୍‍ ହୁ୍ୟମାନ ଏଣ୍ଡିଭର୍‍’, ଅର୍ଥ ‘ଯେକୌଣସି ମାନବୀୟ ପ୍ରଚେଷ୍ଟା/ପ୍ରୟାସ/ ଉଦ୍ୟମ’ରେ ଉକ୍ରର୍ଷତା ହାସଲ କରିଥିବା ବ୍ୟକ୍ତି ଏଥିପାଇଁ ହୋଇପାରିବ ଯୋଗ୍ୟ । ସବୁଠୁ ତାପôର୍ଯ୍ୟପୂର୍ଣ୍ଣ ଶବ୍ଦ ‘towards advancement of’କୁ ହଟାଇଦିଆଗଲା ଏଇଥିପାଇଁ ଯେ ଭାରତର ରତ୍ନ ଯିଏ ହେବ, ତା’ର କେବଳ ଉକ୍ରୃଷ୍ଟ ପ୍ରଦର୍ଶନ ହିଁ  ଯଥେଷ୍ଟ, ତାହା ଯେଉଁ କ୍ଷେତ୍ରରେ ହେଉନା କାହିଁକି? ପ୍ରଗତିଶୀଳ  ବା ପୁରୋଗାମୀ ଦୃଷ୍ଟି/ଦର୍ଶନ/ଦିଗ୍‍ଦର୍ଶନ ଅନାବଶ୍ୟକ । ସରଳ ଭାଷାରେ କହିଲେ, ଏଥର ପ୍ରଧାନମନ୍ତ୍ରୀ ଯଦି ଚାହିଁବେ ତେବେ ଶିଲା, ମୁନ୍ନି, ସନ୍ନି ବି ହୋଇପାରିବେ ଭାରତରତ୍ନ, କାରଣ ସେମାନେ କେବଳ ଭାରତର ଘରେଘରେ ଲୋକପ୍ରିୟତା ହାସଲ କରିନାହାନ୍ତି, ଶହେ ଏକୋଇଶ କୋଟି ଲୋକଙ୍କୁ ବି ନିଜର ସର୍ବୋକ୍ରୃଷ୍ଟ ମାନବୀୟ ପ୍ରୟାସ (ନୃତ୍ୟ ଓ ଅଙ୍ଗଭଙ୍ଗୀ)ରେ କରିପାରିଛନ୍ତି ଭରପୂର ମନୋରଞ୍ଜନ, ଯେମିତି ସଚିନ ତାଙ୍କର କାଠଫାଳିଆ ସାହାଯ୍ୟରେ କରିଥିଲେ ଆମୋଦପ୍ରମୋଦ ଯୋଗାଣ! ଏଥିପାଇଁ ଅବଶ୍ୟ ଶିଲା, ମୁନ୍ନି, ସନ୍ନିଙ୍କଠୁ ବି ସେ କରିଛନ୍ତି ଅଧିକ ଅର୍ଥୋପାର୍ଜନ (ଗତ ମାସରେ ୱେଲ୍‍ଥ-ଏକ୍ସଦ୍ୱାରା କରାଯାଇଥିବା ହିସାବ ଅନୁଯାୟୀ ସଚିନଙ୍କ ସମ୍ପତ୍ତିର ପରିମାଣ ୯୯୨ କୋଟି ୪୦ ଲକ୍ଷ ଟଙ୍କା; ଫାଇନାନସିଆଲ ଏକ୍ସପ୍ରେସ, ୬ ନଭେମ୍ବର) ଓ ମଧ୍ୟବିତ୍ତ ସୁବିଧାବାଦୀ (ଉଦାହରଣ: ଫେରାରି ପକ୍ଷରୁ ଉପହାର ପାଇଥିବା ଏକ କାର୍‍ର ଆମଦାନୀ ଶୁଳ୍କ ଛାଡ଼ କରିବାକୁ ସେ ସରକାରଙ୍କୁ କହିଥିଲେ, କିନ୍ତୁ ହାଇକୋର୍ଟ ଏହାକୁ ଖାରଜ କରିଦେବାପରେ ଫେରାରିକୁ ଅନୁରୋଧ କଲେ ଓ  ଉକ୍ତ କାର୍‍ଟିକୁ ସୁରତର ଜଣେ ବ୍ୟକ୍ତିଙ୍କୁ ବିକି ଦେଢ଼ କୋଟି ଟଙ୍କା ମୁଣାରେ ପୂରାଇଲେ: ଦ ଟେଲିଗ୍ରାଫ୍‍) ଭାରତୀୟରୁ ଯାଇ ପାଇଚନ୍ତି ସବୁଠୁ ବିତ୍ତଶାଳୀର ଆସନ । ହୋଇପାରିଛନ୍ତି ବଲିଉଡ଼ର ରଂଗୀନ ମେହେଫଲ୍‍ର ମେହେମାନ ତ ଅମ୍ବାନୀ ଭଳି ଶିଳ୍ପପତି/ପତ୍ନୀଙ୍କ ପ୍ରିୟତମ; ବିସିସିଆଇ ଭଳି ଏକ ସଂପୂର୍ଣ୍ଣ ବ୍ୟାବସାୟିକ ଘରୋଇ ସଂସ୍ଥା (୨୦୦୫ ଜୀ ଟେଲିଫିଲ୍ମସ୍‍ ରାୟରେ ଖୋଦ୍‍ ସୁପି୍ରମକୋର୍ଟ କହିଛନ୍ତି ଯେ ଏହା ତାମିଲନାଡ଼ୁ ସୋସାଇଟିଜ୍‍ ରେଜିଷ୍ଟ୍ରେସନ ଆକ୍ଟରେ ପଞ୍ଜିକୃତ ଏକ ଘରୋଇ ସଂସ୍ଥା, ଯାହା ସରକାର ନୁହେଁ, ନିଜର ଆଇନକାନୁନରେ ପରିଚାଳିତ; ଦ୍ରଷ୍ଟବ୍ୟ: ଡିଡ୍‍ ସଚିନ ପ୍ଲେ ଫର୍‍ ଇଣ୍ଡିଆ ଅର୍‍ ଦ ଇଣ୍ଡିଆନ କ୍ରିକେଟ୍‍ ବୋର୍ଡ-ଟାଇମ୍ସ ଅଫ୍‍ ଇଣ୍ଡିଆ, ୧୮ ନଭେମ୍ବର) ପାଇଁ ନିଜକୁ ଉତ୍ସର୍ଗ କରିଥିଲେ ବି ସରଳ ଭାରତୀୟଙ୍କ ନିର୍ବୋଧ ଦୃଷ୍ଟିରେ ପାଲଟିଛନ୍ତି ଦେଶପ୍ରେମୀ/ଦେଶସେବୀର ଜ୍ୱଳନ୍ତ ଉଦାହରଣ ଓ ସରକାର କରିଛନ୍ତି ଆପଣାର ଗେହ୍ଲାସନ୍ତାନ, ଯାଚିଚନ୍ତି ରାଜ୍ୟସଭାର ମହିମାମୟ ଆସନ (ଅଥଚ ତାଙ୍କୁ ଦିନେ ବି କେବେ ସେଇଠି ଦେଖିବାକୁ ମିଳିନାହିଁ) । ଏବେ ଚାଳିଶ ବର୍ଷ ବୟସରେ ପିଚ୍‍ରୁ ଗୋଡ଼ ନକାଢ଼ୁଣୁ ଦିଆଯାଇଚି ଭାରତରତ୍ନ (ଆଜୀବନ ଦେଶଜାତି ହିତରେ ସାଧନାମଗ୍ନ ସେବକ/ଦିଗ୍‍ଦ୍ରଷ୍ଟାଙ୍କ ପାଇଁ ଏହା କ’ଣ ନୁହେଁ ଅପମାନ?) । ପୁଣି ଉଠିଲାଣି ଭାବପ୍ରବଣ ଭାରତୀୟଙ୍କ ଦାବି: ସଚିନ ହୁଅନ୍ତୁ ଖେଳମନ୍ତ୍ରୀ? ତେବେ ଏଥିରେ ବିଚରା ସଚିନଙ୍କ ଦୋଷ କ’ଣ? ସେ ତ ସୁନାପିଲା । ତାକୁ ଯାହା ଦେଲେ କି କିହଲେ ବି କରିବେନି ବାରଣ । ସ୍ୱାଭିମାନୀ ବୈଜ୍ଞାନିକ ସିଏନ୍‍ଆର୍‍ (ଅନ୍ୟତମ  ଭାରତରତ୍ନ ମନୋନୀତ ଚିନ୍ତାମଣି ନାଗେଶ ରାମଚନ୍ଦ୍ର ରାଓ) ସିନା ରାଗିପାଚି ସତକଥାଟି କହିଦେଲେ ଯେ ‘ନେତା ନିର୍ବୋଧ’, ଠିକ୍‍ ବର୍ଣ୍ଣାଡ଼ ଶ’ଙ୍କ ପରି, ‘ରାଜନୀତି ନିକୃଷ୍ଟ ଲୋକଙ୍କ ଶେଷ ଆଶ୍ରୟ/ଉପାୟ’ (Politics is the last resort for the scoundrels) । ତେବେ ଯେଉଁ ଦେଶର ଜନତା ଏତେ ନିର୍ବୋଧ, ସେଇଠି ନେତା ନିର୍ବୋଧ ହେବା ଆଦୌ ନୁହେଁ ଅସ୍ୱାଭାବିକ । ତେବେ ଭୁଲିଯିବା ଉଚିତ ନୁହେଁ ଯେ ମଣିଷ ପ୍ରାକୃତିକଭାବେ ଏକ ରାଜନୈତିକ ପ୍ରାଣୀ (ଆରିଷ୍ଟୋଟଲ: ପଲିଟିକ୍ସ, ପରିଚ୍ଛେଦ ୨) । ବୈଜ୍ଞାନିକ ସିଏନ୍‍ଆର୍‍ ମଧ୍ୟ ଦୀର୍ଘ ବର୍ଷଧରି ବିଭିନ୍ନ ସରକାରୀ ବିଜ୍ଞାନ ପାଠଶାଳାର ମୁଖ୍ୟଭାବେ କାର୍ଯ୍ୟ କରିଆସିଛନ୍ତି ଏବଂ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ବିଜ୍ଞାନ ପରାମର୍ଶଦାତା ପରିଷଦର ମୁଖିଆ; ଅତଏବ ତାଙ୍କୁ ଏକଥା ନିଶ୍ଚୟ ଅଛି ଜଣା । କିନ୍ତୁ ଭାରତରେ ବିଜ୍ଞାନର ଦୁର୍ଦଶା ତାଙ୍କ କ୍ଷୋଭର ଅସଲ କାରଣ, ଯାହା ନିଶ୍ଚୟ ସହଜେ ବୋଧଗମ୍ୟ । ସାରା ଜୀବନ ଯିଏ ଦେଶର ବିଜ୍ଞାନ ପାଇଁ ଉତ୍ସର୍ଗୀକୃତ, ତା’ର ‘ନିର୍ବୋଧ’ ଗାଳି ଏ ଦେଶ ଶୁଣିବାକୁ ପ୍ରସ୍ତୁତ ହେବା ଉଚିତ । କାଇଁକିନା, ବୈଜ୍ଞାନିକ ସିଏନ୍‍ଆର୍‍ କେବଳ ଜଣେ ବିଜ୍ଞାନୀ ନୁହନ୍ତି, ଏ ଦେଶର ପ୍ରମୁଖ ବିଜ୍ଞାନ ନୀତି ଓ ସଂଗଠନର କୁଶଳୀ ନିର୍ମାତା । ୧୬ ଶହ ଗବେଷଣାତ୍ମକ ନିବନ୍ଧ, ୪୦ ଖଣ୍ଡ ପୁସ୍ତକର ସ୍ରଷ୍ଟା । ପୃଥିବୀର ୬୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍‍ ଉପାଧିଲାଭ; ଗବେଷଣା କ୍ୟାରିୟରର୍‍ ଏକ ବିଶ୍ୱସ୍ତରୀୟ ମାନଦଣ୍ଡ ‘ଏଚ୍‍-ଇଣ୍ଡେକ୍ସ’ରେ ଏକମାତ୍ର ଭାରତୀୟ ବୈଜ୍ଞାନିକଭାବେ ଦଖଲ କରିଚନ୍ତି ଶହେ ସ୍ଥାନ (୨୦୧୩ ଏପ୍ରିଲ) । ଆହୁରି ମଧ୍ୟ ସେ ପ୍ରଥମ ଭାରତୀୟ, ଯାହାଙ୍କ ଗବେଷଣାଲବ୍ଧ ତଥ୍ୟକୁ ବିଶ୍ୱର ପ୍ରମୁଖ ବିଜ୍ଞାନୀମାନେ ଦୃଷ୍ଟାନ୍ତସ୍ୱରୂପ କରିଚନ୍ତି ଉଲ୍ଲେଖ, ଯାହା ଆପେ ଏକ ବିରଳ କୃତିତ୍ୱ । ସବୁଠୁ ମହତ୍ତ୍ୱପୂର୍ଣ୍ଣ, ଏକାଧିକ ବାର ତାଙ୍କୁ ରାଜ୍ୟସଭା ସଦସ୍ୟ ପଦ ଯଚାଯାଇଥିଲେ ବି କରିଛନ୍ତି ପ୍ରତ୍ୟାଖ୍ୟାନ; କାରଣ ବିଜ୍ଞାନ ପାଇଁ ଦେଇପାରିବେନି ସମୟ/ଶ୍ରମ । ଦୈନିକ ୧୨/୧୪ ଘଣ୍ଟା ଗବେଷଣାଗାରରେ ଲଗାଇପାରିବେନି ଧ୍ୟାନ । ଆତ୍ମଜୀବନୀ ‘କ୍ଲାଇମ୍ବିଙ୍ଗ୍‍ ଦି ଲିମିଟ୍‍ଲେସ୍‍ ଲ୍ୟାଡର୍‍’ରେ ଶ୍ରୀଯୁକ୍ତ ସିଏନ୍‍ଆର୍‍ ଲେଖିଚନ୍ତି ଯେ ତାଙ୍କୁ ଏନ୍‍ଡିଏ ସରକାର କିଭଳି ବିଭିନ୍ନ ସରକାରୀ କମିଟିରୁ ବାହାର କରିଦେଇଥିଲା କ୍ରମଶଃ, ଯାହା ତାଙ୍କ ପାଇଁ ବିଜ୍ଞାନ ଗବେଷଣା ଓ ତଥ୍ୟ ପ୍ରକାଶନରେ ଅଧିକ ସମୟସୁଯୋଗ  କରିଥିଲା ସୃଷ୍ଟି । ତାଙ୍କ ଭାଷାରେ, “I must thank the govt for the great favour it did by eliminating me from all the committees ” । ଲାଗୁଚି, ୟେ ସତକୁ ସତ କ୍ଷୋଭ କି ଅନୁଶୋଚନା ନୁହେଁ, ବରଂ ଜଣେ ପ୍ରକୃତ ଦେଶପ୍ରେମୀ ଓ କର୍ମଠ ବୈଜ୍ଞାନିକର ସ୍ୱଭାବସୁଲଭ କୃତଜ୍ଞତା । ସଲିଡ଼ ମ୍ୟାଟେରିଆଲ୍‍ର ରାସାୟନିକ ତତ୍ତ୍ୱ ଜାଣିବାପାଇଁ ଅତ୍ୟାଧୁନିକ କୌଶଳ ବ୍ୟବହାର,  ଉଚ୍ଚଶକ୍ତିସଂପନ୍ନ ସୁପର୍‍କଣ୍ଡକ୍ଟରଠୁ ଆରମ୍ଭ କରି ନାନୋମ୍ୟାଟେରିଆଲ୍‍ ଭଳି ଦ୍ରବ୍ୟର ଜଟିଳ ଅନୁଧ୍ୟାନ ଏହି ରସାୟନବିତ୍‍ଙ୍କୁ କରିଚି ବିଶ୍ୱମାନ୍ୟ । ତଥାପି ତାଙ୍କ ପାଦ ଲାଗିରହିଚି ଭାରତ ମାଟିରେ, ୟେ ବି କମ୍‍ ବଡ଼କଥା ନୁହେଁ । ଏଇଥିପାଇଁ ହିଁ ତାଙ୍କର କ୍ରୋଧ/କ୍ଷୋଭ । ଭାରତରତ୍ନ ପାଇବା ପରଦିନ ସେ କହିଥିଲେ, “ଭାରତ ଏଭଳି ଏକ ଦେଶ, ଯେଉଁଠି ବୈଜ୍ଞାନିକ  ବିଚାର/ମାନସିକତା (ସାଇଣ୍ଟିଫିକ୍‍ ଟେମ୍ପର୍‍) ଆଦୌ ନାହିଁ” । ଯଦି ଥାଆନ୍ତା, ଜଣେ ବାବାଜୀର ବାଉଳା କଥାରେ ଭାରତୀୟମାନେ କରିନଥାନ୍ତେ ରତ୍ନ(ସ୍ୱର୍ଣ୍ଣ)ସନ୍ଧାନ । ମନ୍ତ୍ରୀ ସିନା ନିର୍ବୋଧ; ବିଡମ୍ବନା, ଭୂବିଜ୍ଞାନୀ ବି ଏଠି ଅନ୍ଧ । ଅଧିକନ୍ତୁ, ୨୦ କୋଟି କିଲୋମିଟର ଦୂରରେ ଥିବା ମଙ୍ଗଳ ଗ୍ରହକୁ ଯିବାପାଇଁ ପ୍ରତିଷ୍ଠିତ ପ୍ରକଳ୍ପର ପ୍ରତିନିଧି,  ଭାରତୀୟ ବୈଜ୍ଞାନିକଙ୍କ ମଉଡ଼ମଣି ତଥା ଇସ୍ରୋର ମୁଖ୍ୟ ବି ଯଦି ସଫଳତା ପାଇଁ ମନ୍ଦିରଯାଇ କରନ୍ତି ମାନସିକ, ତେବେ ଏ ଦେଶର ଅପାଠୁଆପାଠୁଆ ଜନତାଙ୍କ ନିକଟରେ ବୈଜ୍ଞାନିକ ବିଚାର ଖୋଜିବା ନୁହେଁ କି ନିହାତି ନିର୍ବୋଧତା!
Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.