“ମହାଭାରତ କା କହନା ହୈ କୀ କର୍ଣ୍ଣ ମାଁ କୀ କୋକ୍ ସେ ପୈଦା ନହିଁ ହୁଆ ଥା । ଇସ୍କା ମତଲବ୍ ୟେ ହୈ କୀ ଉସ୍ ସମୟ ଜେନେଟିକ୍ ସାଇନ୍ସ ମୌଜୁଦ୍ ଥା...ହମ୍ ଗଣେଶଜୀ କୀ ପୂଜା କିୟା କର୍ତେ ହୈଁ, କୋଇ ତୋ ପ୍ଲାଷ୍ଟିକ ସର୍ଜନ ହୋଗା ଉସ୍ ଜମାନେ ମେଁ, ଜିସ୍ନେ ମନୁଷ୍ୟ କେ ଶରୀର୍ ପର୍ ହାଥୀ କା ସର୍ ରଖ୍କର୍କେ ପ୍ଲାଷ୍ଟିକ୍ ସର୍ଜରୀ କା ପ୍ରାରମ୍ଭ କିୟା ହୋଗା ।” ଅର୍ଥାତ, ମହାଭାରତ କହେ ଯେ କର୍ଣ୍ଣ ମାଆ ପେଟରୁ ଜନ୍ମ ହୋଇ ନଥିଲା । ଏହାର ଅର୍ଥ ହେଲା ସେତେବେଳେ ଜିନ୍ ସମ୍ବନ୍ଧୀୟ ବିଜ୍ଞାନ ରହିଥିଲା...ଆମେ ଗଣେଶଜୀଙ୍କ ପୂଜା କରୁ, କେହିଜଣେ ପ୍ଲାଷ୍ଟିକ୍ ସର୍ଜନ ତ ଥିବ ସେ ଯୁଗରେ, ଯିଏ ମନୁଷ୍ୟ ଶରୀରରେ ହାତୀମୁଣ୍ଡ ରଖି ପ୍ଲାଷ୍ଟିକ୍ ସର୍ଜରୀର ଆରମ୍ଭ କରିଥିବ । (ପ୍ରଧାନମନ୍ତ୍ରୀଙ୍କ ଦପ୍ତର ୱେବ୍ସାଇଟ୍ରୁ ଆନୀତ; ୨୫ ଅକ୍ଟୋବର ୨୦୧୪ରେ ମୁମ୍ବଇରେ ଏକ ଡାକ୍ତରଖାନା ନବୀକରଣ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ଦ୍ୱାରା ପ୍ରଦତ୍ତ ଉଦ୍ବୋଧନର ଅଂଶବିଶେଷ)
ଏ ମନ୍ତବ୍ୟଟି କୌଣସି ଧର୍ମଗୁରୁ ବା ପ୍ରବଚକଙ୍କର ହୋଇଥିଲେ ବିସ୍ମୟର କୌଣସି କାରଣ ନଥିଲା; କାହିଁକିନା ଏଭଳି ଅଲୌକିକ/ଅବାସ୍ତବ/ଅତିବାସ୍ତବ କଥା/ଉପକଥାକୁ ମନମସ୍ତିଷ୍କରେ ଏମିତି ବାଗରେ ପୂରାଇ ଦିଆଯାଇଛି ଯେ ସେସବୁକୁ ଭାରତୀୟମାନେ ଯୁଗଯୁଗ ଧରି ଧରିନେଇଛନ୍ତି ସତ୍ୟ/ବାସ୍ତବ । ବିସ୍ମୟ ଯେ ଅତୀତ ଗୌରବ ବଖାଣିବାକୁ ଯାଇ ଭାରତବାସୀଙ୍କ ପ୍ରତିନିଧିତ୍ୱ/ନେତୃତ୍ୱକାରୀ ଜଣେ ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ଆଧୁନିକ ଡାକ୍ତରମାନଙ୍କୁ ଉଦ୍ବୋଧନ; ଡାକ୍ତରୀ ବିଦ୍ୟାରେ ଭାରତର ପରାକାଷ୍ଠା ପ୍ରତିପାଦନ ପାଇଁ ବିଚିତ୍ର/ବୃଥା ଚେଷ୍ଟା । ବୃଥା ଏଇଥିପାଇଁ ଯେ ଏହାଦ୍ୱାରା କଳ୍ପନା କେବେ ବାସ୍ତବରେ ପରିଣତ ହେବାର ସମ୍ଭାବନା ନାଇଁ କି ଭାରତୀୟମାନେ ମହାଭାରତୀୟ ଯୁଗରେ ଜେନେଟିକ୍ ସାଇନ୍ସ ବା ଜିନ୍ ସମ୍ବନ୍ଧୀୟ ବିଜ୍ଞାନର ଜନକ ଥିଲେ ଅଥବା ପ୍ଲାଷ୍ଟିକ୍ ସର୍ଜରୀ ଆରମ୍ଭ କରିଥିଲେ, ତାକୁ ପ୍ରମାଣ କରିହେବ ନାଇଁ ଏବଂ ବିଜ୍ଞାନ ଏକ ଆଦ୍ୟନ୍ତ ପ୍ରମାଣ-ନିର୍ଭର ବିଦ୍ୟା । ମଙ୍ଗଳଯାନ ଉତ୍କ୍ଷେପଣରେ ଉତ୍ଫୁଲ୍ଲିତ ଏକବିଂଶ ଶତାବ୍ଦୀର ଭାରତୀୟମାନେ ଯଦି ବିଶ୍ୱବାସୀଙ୍କୁ କହିବେ ଯେ କର୍ଣ୍ଣ ନାମକ ବାଳକ ମାଆ ପେଟରୁ ଜନ୍ମ ହୋଇନଥିଲା ଓ ଏହାର କାରଣ ସେତେବେଳର ‘ଜେନେଟିକ୍ ସାଇନ୍ସ’, ସେମାନେ ଆମକୁ କ'ଣ ଭାବୁଥିବେ କେଜାଣି! ପୌରାଣିକ କାହାଣୀକୁ ଦେଖିଲେ ମଧ୍ୟ କୌଣସି ଦୃଷ୍ଟିରୁ ଇଏ ଜିନ୍ ସମ୍ବନ୍ଧୀୟ ବିଜ୍ଞାନ ସହ ଆଦୌ ଅସମ୍ବନ୍ଧିତ, କାହିଁକିନା କାନବାଟେ କୁମାରୀ ମାତା କୁନ୍ତୀ ଜନ୍ମ ଦେଇଥିବାରୁ ପିଲାଟିର ନାଁ ଥିଲା ‘କର୍ଣ୍ଣ’; ତାହା ପୁଣି ସୂର୍ଯ୍ୟଙ୍କ ଔରସରୁ! ଋଷିଟିଏ ସେ ପର୍ଯ୍ୟନ୍ତ ଅରଜୋବତୀ ବାଳିକା କୁନ୍ତୀଙ୍କୁ ଏଭଳି ମାଳିଟିଏ ଦେଇଥିଲେ ଯେ ସେ ଯେଉଁ ପୁରୁଷକୁ ଡାକିବେ ସେ ଆସି ତାଙ୍କ ସହ ସମ୍ଭୋଗ କରିବା ଅନିବାର୍ଯ୍ୟ! ଦିନେ କୌତୂହଳବଶତଃ କୁନ୍ତୀ ଡାକିଦେଲେ ସୂର୍ଯ୍ୟଙ୍କୁ ଓ ଜନ୍ମନେଲେ କବଚ-କୁଣ୍ଡଳପିନ୍ଧା ଶିଶୁ କର୍ଣ୍ଣ । ଏଥିରେ ଜିନ୍-ବିଜ୍ଞାନର ଭୂମିକା କ’ଣ?
ତେବେ କଳ୍ପନା ନୁହେଁ, ଯିଏ ଏହି ଯୁଗାନ୍ତକାରୀ ବିଜ୍ଞାନକୁ ବାସ୍ତବ ରୂପ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ସେଇ ବୈଜ୍ଞାନିକ ଗ୍ରେଗର୍ ଜୋହାନ୍ ମେଣ୍ଡେଲ୍ (୧୮୨୨-୧୮୮୪) ସର୍ବଦା ସ୍ମରଣୀୟ ହୋଇରହିବେ । କୌତୂହଳର କଥା ହେଉଛି ଅଷ୍ଟ୍ରିଆର ଏହି ବୈଜ୍ଞାନିକ ଥିଲେ ଜଣେ ଧର୍ମଗୁରୁ/ସନ୍ନ୍ୟାସୀ (ମଙ୍କ୍), ଯାହାଙ୍କ ଅବସ୍ଥାନ ଥିଲା ଏକ ମଠ । ଲୋକଜୀବନର ଆଢୁଆଳରେ ସେ ମଟର ଗଛ ଉପରେ ବର୍ଷବର୍ଷ ଧରି ଗବେଷଣା ଚଳାଇ ଯେଉଁ ବିବରଣୀ ଲିପିବଦ୍ଧ କରିଥିଲେ, ତାହା ହିଁ ହୋଇଥିଲା ଆଧୁନିକ ଜିନ୍-ବିଜ୍ଞାନର ଜାତକ/ମୂଳସୂତ୍ର । ବିଡ଼ମ୍ବନା ଯେ ତାଙ୍କ ଜୀବଦ୍ଧଶାରେ ଏହି ସୂତ୍ର ଥିଲା ଅନ୍ୟପାଇଁ ମୂଲ୍ୟହୀନ; ମୃତୁ୍ୟର ଷୋହଳ ବର୍ଷ ପରେ ବିଂଶ ଶତାବ୍ଦୀର ଉଦୟ କାଳରେ ପୃଥିବୀ ଜାଣିଲା ତାହା ଅମୂଲ୍ୟ ଓ ତାଙ୍କୁ ଦିଆଗଲା ‘ଜିନ୍-ବିଜ୍ଞାନର ଜନକ’ ଉପାଧି! ଉଲ୍ଲେଖନୀୟ, ମେଣ୍ଡେଲଙ୍କ ସମସାମୟିକ ବିଖ୍ୟାତ ବୈଜ୍ଞାନିକ ଚାର୍ଲସ୍ ଡାରଉଇନ ‘ପାନ୍ଜେନେସିସ୍ ଥିଓରି’ ମାଧ୍ୟମରେ ଆନୁବଂଶିକତାର ବିଶ୍ଳେଷଣ ପାଇଁ ଚେଷ୍ଟା କରି ହୋଇଥିଲେ ବିଫଳ ।
ଗଜାନନ ଓ ପ୍ଲାଷ୍ଟିକ୍ ସର୍ଜରୀ ପ୍ରସଙ୍ଗ ଆହୁରି ବେଶି ବିଭ୍ରାନ୍ତକାରୀ; କାରଣ ଏ ସମ୍ପର୍କିତ ପୌରାଣିକ କାହାଣୀରେ ବି ରହିଛି ଦର୍ଶନୀୟ ଭିନ୍ନତା । ତେବେ ଶିବପୁରାଣର ଗପଟି ବେଶି ଜଣାଶୁଣା, ଯେଉଁଥିରେ ନିଜ ଶରୀରଲେପିତ ହଳଦୀକୁ ଜୀବନ୍ୟାସ ଦେଇ ସୃଷ୍ଟି କରିଥିôବା ଗଣେଶଙ୍କୁ ଦୁଆର ମୁହଁରେ ଦରୁଆନ କରି ଜଗାଇ ପାର୍ବତୀ ସ୍ନାନ କରୁଥିବାବେଳେ ସେଠାରେ ପହଞ୍ଚିଲେ ମହାଦେବ; ଅଚିହ୍ନା ବାଳକଟିଏ ନିଜ ଘରେ ପୂରାଇ ନଦେବା ଦେଖି ତାଙ୍କୁ କରିଚନ୍ତି ମସ୍ତକଚୁ୍ୟତ । ପାର୍ବତୀ ଏହା ଜାଣିବା ପରେ ହୋଇଛନ୍ତି କ୍ରୋଧାନ୍ୱିତ ଓ ନିଷ୍ପତ୍ତି ନେଇଛନ୍ତି ସୃଷ୍ଟି ଧ୍ୱଂସର । ସର୍ଜନାକାରୀ ବ୍ରହ୍ମା ଏଥିରେ ପ୍ରମାଦ ଗଣିଛନ୍ତି ଓ ସେଭଳି ନକରିବାକୁ କରିଛନ୍ତି ପ୍ରାର୍ଥନା । ପାର୍ବତୀ ରାଜି ହେଇଛନ୍ତି ଦୁଇଟି ସର୍ତ୍ତରେ: ଗଣେଶଙ୍କୁ ଜୀବଦାନ ଦିଆଯିବ ଓ ସେ ସର୍ବଦା ହେବେ ଅଗ୍ରପୂଜ୍ୟ । ଶିବ ରାଜି ହେଇଛନ୍ତି ଏ ସର୍ତ୍ତରେ ଓ ବ୍ରହ୍ମାଙ୍କୁ ପଠାଇଛନ୍ତି ଉତ୍ତର ଦିଗକୁ ମୁଣ୍ଡ କରିଥିବା କୌଣସି ପ୍ରାଣୀର ମୁଣ୍ଡ ଆଣିବାକୁ, ଯାହାକୁ ସେ ପ୍ରଥମେ ଦେଖିବେ । ବ୍ରହ୍ମା ଏକ ବିରାଟ ହାତୀମୁଣ୍ଡ ଧରି ଆସିଛନ୍ତି, ଯାହାକୁ ଗଣେଶଙ୍କ ଗଣ୍ଡିରେ ଲଗାଇ ଶିବ ଜୀବନ୍ୟାସ କରି ତାଙ୍କୁ ଦେଇଛନ୍ତି ପୁତ୍ରର ମାନ୍ୟତା ।
କାହାଣୀ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ କଥିତ ‘ପ୍ଲାଷ୍ଟିକ୍ ସର୍ଜନ’ ଆଉ କେହି ନୁହନ୍ତି, ସ୍ୱୟଂ ମହାଦେବ । ଗଣେଶ ବି କ’ଣ ଥିଲେ ଆମ ତମ ପରି ମନୁଷ୍ୟ? କଳ୍ପିତ କାବ୍ୟ/ମହାକାବ୍ୟ/ପୁରାଣକୁ ବାସ୍ତବ ବୋଲି ପ୍ରଖ୍ୟାପିତ କରିବା ଯେମିତି କାଳ୍ପନିକ, ସେଥିରେ ବୈଜ୍ଞାନିକ ସୂତ୍ର ଖୋଜିବା ତଦ୍ରୂପ ନିରର୍ଥକ ଓ ବିପଜ୍ଜନକ । ମହାଦେବଙ୍କ କଥା ଜଣାନାହିଁ, କିନ୍ତୁ ପ୍ଲାଷ୍ଟିକ୍ ସର୍ଜରୀ ବା ସେହିଭଳି ଶଲ୍ୟ ଚିକିତ୍ସା କ୍ଷେତ୍ରରେ ଜଣେ ଭାରତୀୟଙ୍କ ଅବଦାନକୁ ବିଶ୍ୱବାସୀ କେବେ ଭୁଲିପାରିବେ ନାହିଁ; ସେ ହେଲେ ଶୁଶ୍ରୂତ । ଗବେଷକ କହୁଛନ୍ତି, ‘ଶୁଶ୍ରୂତ ସଂହିତା’ର ରଚୟିତା ଏହି ମହାନ ବୈଦ୍ୟଜଣକ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ପ୍ଲାଷ୍ଟିକ୍ ସର୍ଜରୀ ଓ ଚକ୍ଷୁ ଅସ୍ତ୍ରୋପଚାର କରୁଥିଲେ । ଆଧୁନିକ ବୈଜ୍ଞାନିକଙ୍କ ପାଇଁ ତାଙ୍କ ଶାସ୍ତ୍ର ହିଁ ହୋଇଥିଲା ଏ କ୍ଷେତ୍ରରେ ମୂଳ ପ୍ରେରଣା । ଆମପାଇଁ ସେ ହିଁ ଗର୍ବ-ଗଉରବ ।
ଅନେକ ଭାରତୀୟ, ବିଶେଷତଃ ହିନ୍ଦୁତ୍ୱବାଦର ସମର୍ଥକ ପୁରାଣ କାହାଣୀକୁ ଉପଲକ୍ଷ୍ୟ କରି ଏବେ ବି ବିଶ୍ୱାସ କରୁଛନ୍ତି ଯେ ବିମାନ, ଟେଲିଭିଜନ, ମୋଟର୍ କାର୍ ଆଦି ପ୍ରାକ୍-ଐତିହାସିକ କାଳର ସୃଷ୍ଟି । ଗୁଜରାଟର ସ୍କୁଲଗୁଡ଼ିକରେ ବାଧ୍ୟତାମୂଳକ ପାଠ୍ୟପୁସ୍ତକ କରାଯାଇଥିବା ଏକ ବହି ‘ତେଜୋମୟ ଭାରତ’ରେ ଏହାର ଲେଖକ ଦୀନନାଥ ବାତ୍ରା ମହାଭାରତର କୌରବ ଶହେଭାଇଙ୍କ ଜନ୍ମ ବୃତ୍ତାନ୍ତକୁ ଆଧୁନିକ ଷ୍ଟେମ୍ସେଲ୍ ଗବେଷଣାର ମୂଳ ଉତ୍ସ ବୋଲି ଦର୍ଶାଇବା ସହ କୁନ୍ତୀ-କର୍ଣ୍ଣ ଉପାଖ୍ୟାନ ମଧ୍ୟ କରିଛନ୍ତି ବର୍ଣ୍ଣନା; ଯାହାର ମୁଖବନ୍ଧ ଲେଖିଛନ୍ତି ତକ୍ରାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ଓ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର (ମନେହୁଏ ବାତ୍ରାଙ୍କ ଲେଖା ହିଁ ତାଙ୍କ ବକ୍ତୃତାର ଉତ୍ସ) । ଗତ ମାସରେ (ନଭେମ୍ବର ୧୫) ଏକ ସରକାରୀ କାର୍ଯ୍ୟକ୍ରମରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ନୂତନ ଦାବି ଉପସ୍ଥାପନ କରି କହିଛନ୍ତି ଯେ ଜର୍ମାନ ଭୌତିକ ବିଜ୍ଞାନୀ ୱେର୍ଣ୍ଣର ହେଇଜେନବର୍ଗଙ୍କ ବିଖ୍ୟାତ ‘ଅନିଶ୍ଚିତତା ସିଦ୍ଧାନ୍ତ’ (ଅନ୍ସର୍ଟେନ୍ଟି ପ୍ରିନ୍ସିପୁଲ) ବେଦ ଉପରେ ଆଧାରିତ । ହେଇଜେନ୍ବର୍ଗ କୁଆଡ଼େ ରବୀନ୍ଦ୍ରନାଥ ଠାକୁରଙ୍କଠୁ ବେଦର ବ୍ୟାଖ୍ୟା ଶୁଣି ତାଙ୍କ ସିଦ୍ଧାନ୍ତ କରିଥିଲେ ଉପସ୍ଥାପିତ! ଅଥଚ ଅନୁଧ୍ୟାନରୁ ଜଣାପଡ଼ୁଚି ଯେ ୧୯୨୯ରେ ହେଇଜେନବର୍ଗ ଆସିଥିଲେ ଭାରତ ଓ ଭେଟିଥିଲେ ରବୀନ୍ଦ୍ରନାଥଙ୍କୁ; ତା’ର ଦୁଇବର୍ଷ ପୂର୍ବରୁ ୧୯୨୭ରେ ସେ ଉପସ୍ଥାପନ କରିଥିଲେ ତାଙ୍କର ‘ଅନିଶ୍ଚିତତା ତତ୍ତ୍ୱ’ । ରାଜନାଥ ଯେଉଁ ପଦାର୍ଥ ବିଜ୍ଞାନୀ ଫ୍ରିତ୍ଜୋଫ୍ କାପ୍ରାଙ୍କ ଲେଖାର କିୟଦଂଶକୁ ଉଦ୍ଧାର କରି ନୂତନ ତତ୍ତ୍ୱ ଥୋଇଛନ୍ତି, ମନେ ରହିବା ଆବଶ୍ୟକ ଯେ ସେ ବିଜ୍ଞାନରେ ରହସ୍ୟବାଦକୁ ଭର୍ତ୍ତି କରିବାର ଲେଖକଭାବେ ବେଶ୍ ଜଣାଶୁଣା (ତାଓ ଅଫ୍ ଫିଜିକ୍ସ: ଏନ୍ ଏକ୍ସପ୍ଲୋରେସନ ଅଫ୍ ଦି ପାରାଲାଲ୍ସ ବିଟୁଇନ୍ ମଡର୍ନ ଫିଜିକ୍ସ ଏଣ୍ଡ୍ ଇଷ୍ଟର୍ନ ମିଷ୍ଟିସିଜିମ୍ର ରଚୟିତା) । ରାଜନେତା ହେବା ପୂର୍ବରୁ ରାଜନାଥ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଥିବାରୁ ସେ ଏ ସମ୍ପର୍କରେ ବେଶି ଅବହିତ ଥିବା ଉଚିତ । ଅସଲ କଥା ହେଉଛି ବିଜ୍ଞାନ ନୁହେଁ, ଆସ୍ଥା ଉପରେ ତାଙ୍କ ଭଳି କୋଟିକୋଟି ଭାରତୀୟଙ୍କର ବେଶି ବିଶ୍ୱାସ; ଅଥଚ ବିଜ୍ଞାନ ଆସ୍ଥା-ଆଧାରିତ ନୁହେଁ, ବିକାଶ-ଆଧାରିତ; ଅର୍ଥାତ ଜରୁରୀ, କୌଣସି ଉଦ୍ଭାବନ ଓ ଆବିଷ୍କାରର ଏକ ଆମୂଳଚୂଳ କ୍ରମସୋପାନର ବସ୍ତୁନିଷ୍ଠ ବିବରଣ । ସେତିକି ନାହିଁ ବୋଲି ଭାରତ ବିଶ୍ୱଗୁରୁ ଥିଲା ଓ ବିଶ୍ୱଗୁରୁ ହେବ ବୋଲି ପୃଥିବୀସାରା କହିବୁଲିଲେ ବି ଆଜି କେହି ମାନିବାକୁ ପ୍ରସ୍ତୁତ ନୁହନ୍ତି । (ଜଗତୀକରଣ ଓ ଉଦାରୀକରଣର ଯୁଗରେ ‘ବିଶ୍ୱଗୁରୁ’ ଭଳି ପଦ କେବଳ ତୁଚ୍ଛା ଆତ୍ମସନ୍ତୋଷକାରୀ ନୁହେଁ, ଅର୍ଥହୀନ ମଧ୍ୟ, କାହିଁକିନା ପ୍ରତି ମୁହୂର୍ତ୍ତରେ ଜ୍ଞାନବିଜ୍ଞାନର ପରିସର ଓ ପରିମାଣର ବ୍ୟାପ୍ତି କୌଣସି ବ୍ୟକ୍ତି/ଅନୁଷ୍ଠାନ/ଦେଶ ଯେତେ ଶକ୍ତିଶାଳୀ ହେଲେ ବି କରିବାକୁ ଦେବନି ଏକାଧିପତ୍ୟ; ସବୁ ଦେଶଭଳି ଭାରତ ମଧ୍ୟ ଏ ସତ୍ୟକୁ ମାନିନେବା ହିଁ ମଙ୍ଗଳ ।) ସେମାନେ ଚାହୁଁଚନ୍ତି ପ୍ରମାଣ, ଯାହାକୁ ଆମେ ଜୁଟାଇବାକୁ ହୋଇଛୁ ଅସମର୍ଥ । ଏହି ହେତୁରୁ ବିମାନ, ଟେଲିଭିଜନ, ମୋଟର କାର୍ ସବୁଗୁଡ଼ିକ ଅଣଭାରତୀୟଙ୍କ ଉଦ୍ଭାବନ ବୋଲି କହିଲେ ଆମେ ସ୍ୱୀକାର କରିବାକୁ ବାଧ୍ୟ । ଯଦି ଆମ ପୂର୍ବଜ ଏମିତି ଜ୍ଞାନକୌଶଳରେ ଥିଲେ ଧୁରନ୍ଧର, ତା’ ହେଲେ କୁଆଡ଼େ ଗଲା ସେଇ ଜ୍ଞାନଗରିମା; ଆମେ କାହିଁକି ହେଲୁ ଏତେ ବଳହୀନ/ବୁଦ୍ଧିହୀନ/ଧନହୀନ । ଅନ୍ତତଃ ଗତ ହଜାରେ ଦୁଇହଜାର ବର୍ଷର ପୃଥିବୀ ଇତିହାସକୁ ଦେଖିଲେ ଜଣାଯାଉଚି ଯେ ଅନ୍ୟ ଜାତି ତୁଳନାରେ ପ୍ରମୁଖ କ୍ଷେତ୍ରରେ ବିଶ୍ୱକୁ ଭାରତୀୟଙ୍କ ଅବଦାନ ନିହାତି ନଗଣ୍ୟ । ଏକବିଂଶ ଶତାବ୍ଦୀରେ ବି କ’ଣ ଆମେ ହେଇପାରିଛୁ ସେତିକି ସ୍ୱାବଲମ୍ବୀ/ଧନୀ/ଜ୍ଞାନୀ/ବିଜ୍ଞାନୀ, ଯେତିକି ମାରୁଚୁ ଫୁଟାଣି? ନିଜେ କରିପାରଥିଲେ କାହିଁକି ଦେଇଥାନ୍ତୁ ‘ମେକ୍ ଇନ୍ ଇଣ୍ଡିଆ’ର ବିକଳ ଡାକ; ସାରା ପୃଥିବୀର ଲୋକଙ୍କୁ କହିଥାନ୍ତୁ ଆମ କଞ୍ଚାମାଲରେ ଜିନିଷ ତିଆର ଆଉ ଆମକୁ ବିକ! ଦାରିଦ୍ର୍ୟ ଦୂରୀକରଣ ନାଁରେ ଯୁଗଯୁଗ ଧରି ହାତ ପତାଉ ନଥାନ୍ତୁ ବିଦେଶୀଙ୍କ ଆଗରେ (ତଥାପି ଅନାହାରରେ ନିତି ମରୁଚନ୍ତି ଲୋକ; ବିଷ ପିଉଚି କୃଷକ); ଓବାମା ଆସିବ ବୋଲି ଟ୍ୱିଟରରେ ‘ବ୍ରେକିଙ୍ଗ୍ ନୁ୍ୟଜ୍’ ଦେଇ କୃତକୃତ୍ୟ ହେଉ ନଥାନ୍ତେ ଆମ ପ୍ରଧାନ ସେବକ!!
ମୋଟକଥା, ଆମ ଦେଶର ନେତୃତ୍ୱ/ବୁଦ୍ଧିଜୀବୀ/ବିଜ୍ଞଜନ ପୁରାଣକୁ ଇତିହାସ ଓ ଇତିହାସକୁ ବିଜ୍ଞାନ ଭାବେ ଚିତ୍ରିତ କରି ସର୍ବଦା ନିଜକୁ ମିଛରେ କରିଆସିଚନ୍ତି ମହିମାମଣ୍ଡିତ; ଭୂତ ପରି ଆପଣା ପଛରେ ଗୋଡ଼ାଉଥିବା ଭୂତକାଳକୁ କହିଛନ୍ତି ‘ସ୍ୱର୍ଣ୍ଣିମ ଅତୀତ’ । ଶାସକମାନେ ଆପଣାଆପଣା ଇଚ୍ଛାରେ ଗଢ଼ିଚାଲିଛନ୍ତି ଇତିହାସ । ନବୀନ ଶାସକ ଆଉ ପାଦେ ଆଗକୁ ଯାଇ ଗୋଟାପଣେ ଇତିହାସକୁ ମୋଡ଼ିମକ୍ଚି ବଦଳାଇ ଦେବାକୁ ହେଲେଣି ତପôର; ଇତିହାସ ଗବେଷଣାର ମୁଖ୍ୟ କେନ୍ଦ୍ର (ଇଣ୍ଡିଆନ କାଉନସିଲ ଅଫ୍ ହିଷ୍ଟୋରିକାଲ ରିସର୍ଚ)ରେ ସେଇଥିପାଇଁ ଐତିହାସିକ (ଇତିହାସ ଅଧ୍ୟାପକ ଓ ହିନ୍ଦୁତ୍ୱ ଏଜେଣ୍ଡାର ଦୃଢ଼ ସମର୍ଥକ) ନହେଲେ ହେଁ ନିଯୁକ୍ତ କରାଯାଇଛି ଏଭଳି ଜଣେ ବ୍ୟକ୍ତି(ୱାଇ. ସୁଦର୍ଶନ ରାଓ)ଙ୍କୁ ଯାହାଙ୍କ ମୁଖ୍ୟ ଲକ୍ଷ୍ୟ ମହାଭାରତ ଓ ରାମାୟଣର ତାରିଖ ନିର୍ଣ୍ଣୟ! କବିଙ୍କ ସଂପୂର୍ଣ୍ଣ କାଳ୍ପନିକ ରଚନାରେ ତାରିଖ ଖୋଜିବା ଯେତିକି ହାସ୍ୟାସ୍ପଦ, ସେତିକି ନିରର୍ଥକ; ମାତ୍ର ପୁରାଣକୁ ଇତିହାସରେ ପରିଣତ କରିବେ ବୋଲି ଯେଉଁମାନେ ଦୃଢ଼ପ୍ରତିଜ୍ଞ, ସେମାନଙ୍କ ପାଇଁ ଇତିହାସ ଲେଖିବାକୁ ପ୍ରତ୍ନତାତ୍ତ୍ୱିକ ପ୍ରମାଣର ଆଦୌ ନାହିଁ ଆବଶ୍ୟକତା, ବରଂ ଲୋକଗପର ମାଲ୍ମସଲା ବି ଯଥେଷ୍ଟ । (ଦ୍ରଷ୍ଟବ୍ୟ: ସୁଦର୍ଶନ ରାଓଙ୍କ ସହ ସାକ୍ଷାତକାର; ଆଉଟ୍ଲୁକ୍: ୨୧ ଜୁଲାଇ ୨୦୧୪) ଅଥଚ ସମାଜରେ ବସବାସ କରୁଥିବା ମଣିଷର ଜୀବନଯାପନର ତଥ୍ୟନିଷ୍ଠ ଅତୀତ-ବ୍ୟାଖ୍ୟା ହିଁ ଇତିହାସ; ଅନୁମାନ/ଆକଳନ/କଳ୍ପନା/ଶୁଣାକଥା କେବେ ବି ହୋଇପାରେନା ଯାହାର ଉପାଦାନ । ଇତିହାସ ଲିଖନର କଦାଚିତ୍ ଲକ୍ଷ୍ୟ ନୁହେଁ କୌଣସି ବ୍ୟକ୍ତି/ଜାତି/ଦେଶର ଗୌରବ ଗାନ, ବରଂ ଅତୀତ ଘଟନାବଳୀର ଏକ ନିଷ୍ପକ୍ଷ/ସ୍ଥିତପ୍ରଜ୍ଞ ଉପସ୍ଥାପନ । ମାତ୍ର ବିଡ଼ମ୍ବନା, ଯେଉଁ ଦେଶରେ ପୁରାଣଶାସ୍ତ୍ରକୁ ବି ବଦଳାଇ ଦିଆଯାଇଛି ଅନୁକ୍ଷଣ (ଉଦାହରଣ: ରାମାୟଣର ୩୦୦ ପ୍ରକାର ସଂସ୍କରଣ ଭାରତରେ ଉପଲବ୍ଧ), ସେଥିରେ ଚାଲିଚି ଐତିହାସିକ ତଥ୍ୟ/ତତ୍ତ୍ୱର ମୂଢ଼ ଅନୁସନ୍ଧାନ । ଭୁଲିଯିବା ଅନୁଚିତ, ମଣିଷ ଚାହିଁଲେ ଇତିହାସ (ଲେଖା) ବଦଳିପାରେ, ଅତୀତ କିନ୍ତୁ ବଦଳିଯାଏନା; ବଦଳିପାରେନା । ଅର୍ଥାତ ଉଜ୍ଜ୍ୱଳମୟ ଅତୀତକୁ ଲିଭାଇ ହୁଏନା ଯେତେ କଲେ ବି ଧୂମାୟିତ କି କଳଙ୍କମୟ ଅତୀତରେ ଯେତେ ସୌନ୍ଦର୍ଯ୍ୟର ପ୍ରଲେପ ଦେଲେ ବି ତାହା ହୋଇଯାଏନା ମହିମାନ୍ୱିତ । ଏକଥା କେବେ ବୁଝିବ ଆମ ନେତୃତ୍ୱ?
ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.
agreed 500%
ReplyDelete