ମିଡିଅା ଓ ମାଫିଅା

Leave a Comment

ସାମ୍ବିଧାନିକ ମାନ୍ୟତା ପାଇଥିବା ଗଣତନ୍ତ୍ରର ତିନିଟି ସ୍ତମ୍ଭ ବ୍ୟବସ୍ଥାପକ, କାର୍ଯ୍ୟନିର୍ବାହୀ ଓ ନ୍ୟାୟପାଳିକା ଅପେକ୍ଷା ଚତୁର୍ଥ ସ୍ତମ୍ଭର ସମ୍ମାନ ହାସଲ କରିଥିବା ଗଣମାଧ୍ୟମର ଶକ୍ତି କୌଣସି ଗୁଣରେ କମ୍‌ ନୁହେଁ, ବରଂ କେତେକ କ୍ଷେତ୍ରରେ ମନେହୁଏ ଅଧିକ; କାରଣ ଯେଉଁ ଲୋକମତ ଗଣତନ୍ତ୍ରର ମୂଳପିଣ୍ଡ, ତା’ର ଗଠନରେ ଏହାର ଭୂମିକା ସର୍ବାଧିକ । ହୁଏତ ଏହି କାରଣରୁ ଆଜିକାଲି ଗଣମାଧ୍ୟମକୁ ନିଜ ହାତମୁଠାରେ ରଖିବାକୁ କ୍ଷମତାଧର/ବିତ୍ତଶାଳୀମାନେ କରୁଚନ୍ତି ଯଥାସାଧ୍ୟ ଉଦ୍ୟମ । ଭାରତର ଆଞ୍ଚଳିକ ଓ ଜାତୀୟ ଗଣମାଧ୍ୟମ ଦୃଶ୍ୟପଟକୁ ଦେଖିଲେ ଜଳଜଳ ହେଇ ଦିଶୁଚି ଯେ ନିଜ ପକ୍ଷକୁ ଜନମତ ଆକର୍ଷିତ କରି ନିର୍ବାଚନରେ ବିଜୟୀ ହେବା ଏବଂ ପ୍ରତିପକ୍ଷକୁ ଲୋକଚକ୍ଷୁରେ ନିନ୍ଦିତ କରିବା ପାଇଁ ଅନେକ ସମୟରେ ରାଜନେତାମାନେ କରିଆସିଚନ୍ତି ଏହାର ଦୁରୁପଯୋଗ । 
କିଣାଖବର(ପେଡନୁ୍ୟଜ୍‌) ଭଳି ସାମ୍ବାଦିକତାର ହତ୍ୟା କରୁଥିବା ସୂତ୍ରକୁ ସେମାନେ ଆପଣାଇଚନ୍ତି ଏବଂ ଏଥିରେ ପୂର୍ଣ୍ଣ ସହଯୋଗର ହାତ ବଢ଼ାଉଚି ବର୍ତ୍ତମାନର କର୍ପୋରେଟ୍‌ ମିଡିଆ, ଯାହାକୁ ଦରକାର ସବୁଥିରେ ମୁନାଫା । ତେବେ ଏତିକିରେ ସରିନାହିଁ ଗଣମାଧ୍ୟମର ଦୁର୍ଯୋଗ । ଏବେ ଏହି ଦୁର୍ନୀତିଗ୍ରସ୍ତ/ମୁନାଫାଖୋର ରାଜନେତା/ପୁଞ୍ଜିପତି ଗୋଟାପଣେ ସବୁ ପ୍ରକାରର ଗଣମାଧ୍ୟମକୁ ନିଜ ହାତମୁଠାରେ ରଖିବାକୁ ଚାହୁଁଚନ୍ତି ଓ ସେଥିରେ ସେମାନେ ସଫଳ ବି ହେଲେଣି । ଭାରତର ଅଳ୍ପ କେତେକ ଗଣମାଧ୍ୟମ ସଂସ୍ଥାକୁ ଛାଡ଼ିଦେଲେ ପ୍ରାୟ ସବୁଯାକ ଏବେ ଏମାନଙ୍କ ହାତରେ । ଏମାନେ ଗଣମାଧ୍ୟମ ସଂସ୍ଥାର କେବଳ ମାଲିକ ନୁହନ୍ତି, ସଂପାଦକ ମଧ୍ୟ; ଅର୍ଥାତ ସାମ୍ବାଦିକତାର ଯେଉଁ ସାମାନ୍ୟତମ ଦାୟିତ୍ୱବୋଧ ରହିବା କଥା, ତାହା ଏହି ଠିକାଦାରଙ୍କ ହାତରେ ପ୍ରତିମୁହୂର୍ତ୍ତରେ ହୋଇଚାଲିଚି ଚୂର୍‌ମାର୍‌ । ଗଣମାଧ୍ୟମର ନିରପେକ୍ଷତା ତେଣୁ ହେଉଚି ସୁଦୂରପରାହତ ।

ବର୍ତ୍ତମାନ ଗଣମାଧ୍ୟମ ପାଇଁ ଆଉ ଏକ ବଡ଼ ବିପଦ ଆସି ପହଞ୍ଚିଚି ଯେ କେବଳ ରାଜନେତା/ପୁଞ୍ଜିପତି ନୁହନ୍ତି, ସଂଗଠିତ ଅପରାଧୀ(ମିଡିଆ ଭାଷାରେ ମାଫିଆ)ମାନେ ମଧ୍ୟ ଗଣମାଧ୍ୟମ ସଂସ୍ଥା ଖୋଲି ତାକୁ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କଲେଣି । ବିଡ଼ମ୍ବନା, ଓଡ଼ିଶାରେ ମିଳୁଚି ଏହାର ବହୁଳ ଉଦାହରଣ । କେତେକ ଅତୁ୍ୟତ୍ସାହୀ ଗଣମାଧ୍ୟମ ଭାଷାରେ ବର୍ତ୍ତମାନ ଚହଳ ସୃଷ୍ଟିକାରୀ ‘ଡି ବ୍ରଦର୍ସ’ (ଅଣ୍ଡର୍‌ୱାର୍ଲଡ ଡନ ଦାଉଦ୍‌ ପାଇଁ ଜାତୀୟ ଗଣମାଧ୍ୟମ ବ୍ୟବହାର କରିଥିବା ‘ଡି କମ୍ପାନୀ’ ଅନୁକରଣରେ ବୋଧେ ଏହା ପରିକଳ୍ପିତ) ବା ଧଳସାମନ୍ତ ଭ୍ରାତା ନିଜର ସାମାଜିକ କର୍ତ୍ତବ୍ୟ ତୁଲାଇବାକୁ ଯାଇ ‘ନିଉଜ୍‌ଲାଇନ୍‌’ ନାମକ ସାପ୍ତାହିକ ଖବରକାଗଜ ପ୍ରକାଶନ କରିବା ଏହାର ଏକ ନିଦର୍ଶନ (ବିଡ଼ମ୍ବନା ଯେ କେତେକ ଖବରକାଗଜ ଏବେ ଏ ସମ୍ପର୍କିତ ଖବରରେ ଗରମ ମସଲା ମିଶାଇ ପୃଷ୍ଠାପୃଷ୍ଠା କରୁଚନ୍ତି ପରିବେଷିତ, ସତେଯେମିତି ଖବରକାଗଜ ଏକ ‘ଅପରାଧପତ୍ର’) । ଏଥିରେ ସେମାନେ ସଂପାଦକୀୟ ସ୍ତମ୍ଭ ଲେଖି ସମାଜ ଓ ସରକାରକୁ ବିଭିନ୍ନ ଉପଦେଶ ମଧ୍ୟ ଦଉଚନ୍ତି, ଯାହା ବୃହତ୍‌ ଶିଳ୍ପସଂସ୍ଥାର ତଥାକଥିତ ସାମାଜିକ ଦାୟିତ୍ୱ (ଯାହାକୁ କର୍ପୋରେଟ୍‌ ସୋସିଆଲ ରେସ୍‌ପନସିବିଲିଟି ବା ଅଳ୍ପରେ ସିଏସ୍‌ଆର୍‌ କୁହାଯାଏ) ଭଳି ବନିଶୀ ଥୋପ । ପୁଞ୍ଜିପତିମାନେ କେବଳ ଆପଣାର ବ୍ୟାବସାୟିକ ହିତ ସାଧନ ଲାଗି ନୁହେଁ, ରାଜନୈତିକ କ୍ଷମତାକୁ ନିୟନ୍ତ୍ରିତ କରିବା ପାଇଁ ବି ଗଣମାଧ୍ୟମକୁ କରୁଚନ୍ତି ଅସ୍ତ୍ର । ଏବେ ସମାଜବିରୋଧୀମାନେ ବି ସମାଜସେବୀ/ସାମ୍ବାଦିକର ପୋଷାକ ପିନ୍ଧିବାକୁ କରୁନାହାନ୍ତି ଭୟ; ବରଂ ତାକୁ ସେମାନେ ପରିଣତ କରିଦେଇଚନ୍ତି ଏକ ଶକ୍ତିଶାଳୀ କବଚରେ । ଗଣମାଧ୍ୟମ ତେଣୁ ଏକାବେଳକେ ପାଲଟିଚି ଅସ୍ତ୍ର ଓ କବଚ! ଅର୍ଥ-କ୍ଷମତା-ବାହୁ ବଳର ଏ ମେଣ୍ଟ ଆଗରେ ଗଣ ପ୍ରକୃତରେ ମନେହୁଏ ଖୁବ୍‌ ଅସହାୟ ।

ଏହା ପୂର୍ବରୁ ମଧ୍ୟ ଗଣମାଧ୍ୟମ ସଂସ୍ଥା ଗଢ଼ିଥିବା ଓଡ଼ିଶାର କେତେକ ବ୍ୟକ୍ତି ଅପରାଧିକ କାର୍ଯ୍ୟରେ ଲିପ୍ତ ହେବାର ମିଳିଚି ପ୍ରମାଣ ଓ ସେମାନଙ୍କ ଭିତରୁ ଏବେମଧ୍ୟ କାରାଗାରରେ କାଳ କାଟୁଚନ୍ତି କେତେଜଣ । ଚିଟ୍‌ଫଣ୍ଡ୍‌, ଜମି ଠକେଇ ଆଦି ସଂଗିନ ମାମଲାରେ ସଂପୃକ୍ତ ଏହି ‘ମାଫିଆ’ମାନେ ଯେଉଁ ଭ୍ରଷ୍ଟାଚାର ଓ ଅନୈତିକ କାରବାର ଚଳାଇଥିଲେ, ସେଥିରେ ରାଜନେତା/ପ୍ରଶାସକ/ପୁଲିସ ଆଦି ପ୍ରଭାବଶାଳୀ ଲୋକେ ମଧ୍ୟ ଭାଗୀଦାର । ଗଣମାଧ୍ୟମ ପାଇଁ ଏହା ସବୁଠୁ ବଡ଼ ବିପଦ; କାରଣ ଧନିକ/କ୍ଷମତାଶାଳୀ ଲୋକଙ୍କ ନିକଟରେ ଯେତେବେଳେ କୌଣସି ଖବରକାଗଜ/ନିଉଜ୍‌ ଚ୍ୟାନେଲ ନିଜର ମୁଣ୍ଡ ବିକିଦିଏ ବା ଅପରାଧୀ ହାତର ଖେଳନା ପାଲଟିଯାଏ ତାହା ଆଉ ଗଣ ପାଖରେ ଉତ୍ତରଦାୟୀ ହେବାଭଳି ସାହସ ବା ପ୍ରତ୍ୟୟ ହରାଇବସେ; ଅର୍ଥାତ ଗଣସ୍ୱାର୍ଥ ସେଇଠି ହୁଏ ଉପେକ୍ଷିତ/ଅବହେଳିତ । ସାମ୍ବାଦିକଟିଏ ପାଲଟିଯାଏ କେବଳ ନିମିତ୍ତମାତ୍ର/ଦାସ/ହାତବାରିସି । ଏପରିକି ଏଭଳି ଅନୈତିକ ମେଣ୍ଟ କବଳରୁ ଦେଶର ତଥାକଥିତ ସମ୍ଭ୍ରାନ୍ତ ସାମ୍ବାଦିକମାନେ ବି ବର୍ତ୍ତିପାରୁନାହାନ୍ତି; ଯାହାର ଏକ ଚର୍ଚ୍ଚିତ ଉଦାହରଣ ଟୁଜି ସ୍ପେକ୍ଟ୍ରମ୍‌ରେ ନୀରା ରାଡିଆ ଟେପ୍‌ ମାମଲା ।
ଯେଉଁଦିନଠାରୁ ଭାରତରେ କର୍ପୋରେଟ୍‌ ହାଉସ୍‌ ହାତରେ ମିଡିଆ ସଂସ୍ଥା (ଏକାବେଳକେ ମୁଦ୍ରିତ/ଦୃଶ୍ୟଶ୍ରାବ୍ୟ/ଅନ୍‌ଲାଇନ୍‌ ମିଡିଆ) ରହିଲା, ସେହିଦିନଠୁ ଗଣମାଧ୍ୟମରେ ବେଶିବେଶି ଦେଖିବାକୁ ମିଳୁଚି ଏଭଳି ଗଣବିରୋଧୀ ପ୍ରବୃତ୍ତି । ବିଦେଶୀ ଗଣମାଧ୍ୟମ ଅବଶ୍ୟ ବହୁ ପୂର୍ବରୁ ଏଥିରେ କବଳିତ । ୧୯୮୮ରେ ପ୍ରକାଶିତ ବିଖ୍ୟାତ ଗବେଷଣାପ୍ରସୂତ ପୁସ୍ତକ ‘ମାନୁଫାକ୍‌ଚରିଙ୍ଗ୍‌ କନସେଣ୍ଟ: ଦ ପଲିଟିକାଲ ଇକୋନୋମି ଅଫ୍‌ ଦ ମାସ୍‌ ମିଡିଆ’ରେ ଏଡୱାର୍ଡ ଏସ୍‌ ହରମ୍ୟାନ ଓ ନୋମ୍‌ ଚମ୍‌ସ୍କି କରିଚନ୍ତି ତା’ର ସତଥ୍ୟ ବର୍ଣ୍ଣନା, ଯାହା ଭାରତୀୟ ମିଡିଆ ପାଇଁ ବି ନୁହେଁ କମ୍‌ ପ୍ରାସଙ୍ଗିକ । ଏଥିରେ ଦର୍ଶାଯାଇଚି ‘ମିଡିଆମୋଗଲ’ମାନେ ମୁନାଫା ପାଇଁ ଖବରକୁ ବି କେମିତି ନିଜ ଇଚ୍ଛାନୁସାରେ କରିପାରନ୍ତି ମିଶାଣଫେଡ଼ାଣ । ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ ଆଦି ଦେଶ ପରି ଭାରତରେ ବି ଏବେ ଦେଖିବାକୁ ମିଳିଲାଣି ଏଇ ‘ମିଡିଆମୋଗଲ’ଙ୍କ ପ୍ରାଦୁର୍ଭାବ, ଯେଉଁମାନେ ଏକପ୍ରକାର ଭଦ୍ର ‘ମାଫିଆ’ । ମିଡିଆ ହାତରେ ମାଫିଆ ଓ ମାଫିଆ ହାତରେ ମିଡିଆ, ଉଭୟ ସମାଜ ପାଇଁ ଘୋର ଅନିଷ୍ଟକାରୀ ।

('ସମାଜ'ର ୭ ଫେବୃୟାରୀ ୨୦୧୫ରେ "ଚତୁର୍ଥ ସ୍ତମ୍ଭ' ସ୍ତମ୍ଭରେ ପ୍ରକାଶିତ)
Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.