ଗଣରାଜ୍ୟର ଗଣମାଧ୍ୟମ (୧)
ଗଣତନ୍ତ୍ର ଯେମିତି ଗଣର ଓ ଗଣପାଇଁ, ଠିକ୍ ସେମିତି ଗଣମାଧ୍ୟମ ବି ଗଣର ଏବଂ ଗଣପାଇଁ ହେବା ଚାହି । ଏ ଦୃଷ୍ଟିରୁ ଭାରତରେ ହଜାରହଜାର ଗଣମାଧ୍ୟମ ସଂସ୍ଥା ଥିବାସତ୍ତ୍ୱେ ଗଣରାଜ୍ୟ ଅର୍ଥାତ ସରକାର ନିଜେ ନିଜର ଗଣମାଧ୍ୟମ ସଂସ୍ଥାସବୁ ଖୋଲିବାକୁ କାହିଁକି ଜରୁରୀ ମନେ କଲେ/କରୁଚନ୍ତି? ସତ କହିବାକୁ ଗଲେ ଘରୋଇ ଗଣମାଧ୍ୟମ ଯେତିକି/ଯେଭଳି ଭାବେ ଗଣ/ଗଣତନ୍ତ୍ରର କଥା କହିବାର ଆବଶ୍ୟକତା ଥିଲା/ରହିଚି, ତାହା ସେଭଳି ଭାବେ କହୁନାହିଁ; କହିବା ପାଇଁ ଚାହୁଁନାହିଁ । ବିଶେଷତଃ, ସମ୍ବାଦପତ୍ର ଓ ନିଉଜ୍ଚ୍ୟାନେଲଗୁଡ଼ିକ ଧୀରେଧୀରେ ନିଚ୍ଛକ ଖବରଧର୍ମୀ ନ ହୋଇ ମନୋରଞ୍ଜନଧର୍ମୀ ହେବାରେ ଲାଗିଚି; ଅର୍ଥାତ ଏହା ଦେଶର ସାଆନ୍ତମାନଙ୍କଦ୍ୱାରା ସାଆନ୍ତମାନଙ୍କ ମନୋରଞ୍ଜନ ହେବାଭଳି କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଚି । ସାଧାରଣ ମଣିଷର ବାସ୍ତବ ଦୁନିଆ ବଦଳରେ ଏଥିରେ ସମ୍ଭ୍ରାନ୍ତଙ୍କ ମନବୋଧ ହେବାଭଳି ବିଷୟ ‘ଥ୍ରୀସି’ ଅର୍ଥାତ କ୍ରାଇମ୍ (ଅପରାଧ), ସିନେମା ଓ କ୍ରିକେଟ ହୋଇଚି ଏହାର ମୁଖ୍ୟ ବିଷୟବସ୍ତୁ । ଗୋଟିଏ ଚବିଶିଘଣ୍ଟିଆ ନିଉଜ୍ ଚ୍ୟାନେଲ ଚାହିଁଲେ ଏହି ‘ଥ୍ରୀସି’ ସହିତ ମଧ୍ୟ ଗାଁର କୃଷିସମସ୍ୟା କି ସହର ବସ୍ତିର ଶ୍ରମିକଙ୍କ ଦୁଃସ୍ଥିତି ସମ୍ବନ୍ଧୀୟ ରିପୋର୍ଟ/ଆଲୋଚନା କରିପାରନ୍ତା ପ୍ରସାରଣ; କିନ୍ତୁ ତାହା ନ କରି ଅପରାଧ କାହାଣୀକୁ ‘ନାଟ୍ୟରୂପ’ ଦେଇ ପ୍ରଚାର କରି ବାହାଦୁରି ମାରୁଚି, ଯାହା ଅପରାଧ ଖବର ଦେବା ବଦଳରେ ଅପରାଧକୁ ହିଁ ଦେଇଚାଲିଚି ପ୍ରୋତ୍ସାହନ । ଚଳଚ୍ଚିତ୍ର ସମ୍ପର୍କିତ ଖବରର ଅଶୀ ପ୍ରତିଶତ କେବଳ କଳ୍ପିତଗଳ୍ପ, ଯେଉଁଥିରେ ନ ଥାଏ କୌଣସି ସତ୍ୟତା; ପାଠକ/ଦର୍ଶକକୁ କେବଳ ତାହା କିଛି ସମୟ କୁତୁକୁତୁ କରିବାପାଇଁ ଉଦ୍ଦିଷ୍ଟ । ମଣିଷକୁ ଦୀର୍ଘ ସମୟ ଧରି ସ୍ଥାଣୁ କରିଦେବା ଭଳି ଖେଳ କ୍ରିକେଟର ଖବର ଭିତରେ ବି ସିନେମା ଗୀତ ନ ଶୁଣାଇଲେ ବି ଚ୍ୟାନେଲ କର୍ତ୍ତୃପକ୍ଷଙ୍କ ମନ ବୁଝେନି! ଏଭଳି ସ୍ଥିତିରେ କୌଣସି ଗଣତାନ୍ତ୍ରିକ ସରକାର ବିଧାନସଭା ଗତିବିଧିକୁ ନାଗରିକଙ୍କୁ ଦେଖାଇବା ପାଇଁ ନିଜର ଗୋଟାଏ ଚ୍ୟାନେଲ ଖୋଲିବାକୁ ଯଦି ଚିନ୍ତା କରେ, ତେବେ ତାକୁ କହିହେବନି ଅନୁଚିତ/ଅଯୌକ୍ତିକ ।
କଥାଟା ଏଇଥିପାଇଁ ଉଠିଚି ଯେ ଗତ ମାସରେ ଦିଲ୍ଲୀର ଆମ୍ ଆଦ୍ମୀ ପାର୍ଟି ସରକାର ନିଜର ଏକ ସ୍ୱତନ୍ତ୍ର ଚ୍ୟାନେଲ ଖୋଲିବା ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅନୁମତି ଲୋଡ଼ିଚନ୍ତି । କେବୁଲ ଟେଲିଭିଜନ ନେଟୱାର୍କ (ରେଗୁଲେସନ) ଆମେଣ୍ଡମେଣ୍ଟ ଆକ୍ଟ, ୨୦୧୧ ଅନୁସାରେ ଏହି ଅନୁମତି ବାଧ୍ୟତାମୂଳକ; କିନ୍ତୁ ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ୨୦୦୮ରେ କରିଥିବା ସୁପାରିସ (୨୦୧୨ରେ ନବୀକୃତ) ଅନୁସାରେ କେନ୍ଦ୍ର ବା କୌଣସି ରାଜ୍ୟ ସରକାର କିମ୍ବା ତାଙ୍କର କୌଣସି ବିଭାଗ/କମ୍ପାନୀକୁ ଆଉ ପ୍ରସାରଣ ବ୍ୟବସାୟ ଏବଂ ଟିଭି ଚ୍ୟାନେଲ ଖୋଲିବା ପାଇଁ ଅନୁମତି ଦିଆଯିବ ନାହିଁ । ଅତୀତରେ ଏହି ସୁପାରିସକୁ ଭିତ୍ତିକରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପଶ୍ଚିମବଙ୍ଗ ସରକାର ଓ ପଞ୍ଜାବ ସରକାରଙ୍କ ନିଜର ସ୍ୱତନ୍ତ୍ର ଟିଭି ଚ୍ୟାନେଲ ଖୋଲିବା ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲା (ତାମିଲନାଡ଼ୁର ଜୟଲଳିତା ସରକାରଙ୍କ ଦ୍ୱାରା ପରିଚାଳିତ ଆରାସୁ କେବୁଲ ଟିଭି କର୍ପୋରେସନ ଲିମିଟେଡ ଏକ ବ୍ୟତିକ୍ରମ, ଯାହା ସାମୟିକ ଅନୁମତି ବଳରେ କାର୍ଯ୍ୟ କରୁଚି ଏବଂ ଆନ୍ତଃ-ମନ୍ତ୍ରିଗୋଷ୍ଠୀ କମିଟି ଏହା ଉପରେ ବିଚାରବିମର୍ଶ ଜାରି ରଖିଚି) । ତେଣୁ ଆପ୍ ସରକାରଙ୍କୁ ବି ଅନୁମତି ମିଳିବ ନାହିଁ, ତାହା ନିଶ୍ଚିତ । ଟ୍ରାଇ ସୁପାରିସଟି ସରକାରିଆ କମିଶନ ଏବଂ ଉଚ୍ଚତମ ନ୍ୟାୟାଳୟର ଏକ ରାୟ ଉପରେ ଆଧାରିତ, ଯାହା ରାଜ୍ୟ ସରକାରଙ୍କ ହାତରେ ଟିଭି ଚ୍ୟାନେଲ ପରିଚାଳନାକୁ ସ୍ୱୀକାର କରିନଥାଏ ।
ଘରୋଇ ଗଣମାଧ୍ୟମର ଦୁର୍ବଳତା କଥା ଉଠିଲେ ସରକାରୀ ଗଣମାଧ୍ୟମ କଥା ବି ସ୍ୱତଃ ମନକୁ ଆସେ । ଏହାକୁ ଜାଣିବାକୁ ହେଲେ ଇତିହାସର ପୃଷ୍ଠା ଲେଉଟାଇବାକୁ ଆମେ ବାଧ୍ୟ । ତାହା ଥିଲା ଇଂରେଜ ସରକାରଙ୍କ ସମୟ । ୧୯୨୪ ମସିହାରେ ମାନ୍ଦ୍ରାଜରେ ବ୍ରିଟିଶ ପ୍ରଶାସନ ଏକ ସଉକିନିଆ ରେଡିଓ କ୍ଲବ ପ୍ରତିଷ୍ଠା ପାଇଁ ଅନୁମତି ଦେଲା । ତିନିବର୍ଷ ପରେ ବମ୍ବେ ଓ କଲିକତାରେ ଘରୋଇ ଉଦ୍ୟମରେ ଆରମ୍ଭ ହେଲା ନିୟମିତ ରେଡିଓ ପ୍ରସାରଣ । ସଉକିନିଆ ରେଡିଓ କ୍ଲବ୍ର ଲୋକପ୍ରିୟତା ହେତୁ ଔପନିବେଶିକ ସରକାର ବାଧ୍ୟହୋଇ ୧୯୩୦ରେ ପ୍ରସାରଣ କାର୍ଯ୍ୟକୁ ନିଜ ହାତକୁ ନେଲା ଓ ୧୯୩୬ରେ ଆରମ୍ଭ ହେଲା ‘ଅଲ୍ ଇଣ୍ଡିଆ ରେଡିଓ’ ବା ‘ଆକାଶବାଣୀ’ । କହିବା ବାହୁଲ୍ୟ ଯେ ରେଡିଓ ସଂପୂର୍ଣ୍ଣ ରୂପେ ଇଂରେଜଙ୍କ ପ୍ରଚାରତନ୍ତ୍ରର ଅଙ୍ଗ ଥିଲା ଏବଂ ଉପନିବେଶବାଦ ବିରୋଧୀ ରାଜନୀତି ସପକ୍ଷରେ ଯେଭଳି ଗୋଟିଏ ବି ଶବ୍ଦ ପ୍ରସାରିତ ନ ହୁଏ, ସେଥିପାଇଁ ବିଧିବଦ୍ଧ ଭାବେ କରାଯାଇଥିଲା ପ୍ରାଶାସନିକ ଓ ଆଇନଗତ ବ୍ୟବସ୍ଥା । ମାତ୍ର କି ବିଡ଼ମ୍ବନା; ୧୯୪୭ରେ ଦେଶ ସ୍ୱାଧୀନ ହେଲେ ବି ୧୯୯୭ ମସିହା ପର୍ଯ୍ୟନ୍ତ ଭାରତ ସରକାର ଆକାଶବାଣୀକୁ ଇଂରେଜ ସରକାରଙ୍କ ପରି ନିଜ ହାତମୁଠାରୁ ଛାଡ଼ିନଥିଲେ; ଅର୍ଥାତ ରେଡିଓକୁ ଏକ ସ୍ୱାୟତ୍ତ ସଂଗଠନର ଅଙ୍ଗ ହେବାପାଇଁ ଲାଗିଗଲା ଦୀର୍ଘ ୫୦ ବର୍ଷ! ଅଥଚ ୧୯୪୮ରେ ସମ୍ବିଧାନ ସଭାରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ପ୍ରତିଶ୍ରୁତି ଦେଇଥିଲେ ଯେ ସ୍ୱାଧୀନ ଭାରତରେ ପ୍ରସାରଣର ଢାଞ୍ଚା ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ (ବିବିସି) ଅନୁସରଣରେ ହେବ । ଏ ଆଶ୍ୱାସନା ପୂରଣ କରିପାରିନଥିଲେ ନେହେରୁ; ଚାହିଁନଥିଲେ । ଏହାରି ପଛରେ ଥିଲା ରେଡିଓ ଓ ଟିଭିକୁ ସରକାର ଦ୍ୱାରା ନିର୍ଦେଶିତ ରାଜନୈତିକ-ସାମାଜିକ ପରିବର୍ତ୍ତନ ପାଇଁ ବ୍ୟବହାର କରିବାର ନୀତି । ୧୯୬୬ ମସିହାରେ ଯାଇ ରେଡିଓକୁ ବିବିସି ଭଳି ସ୍ୱୟଂଶାସିତ କରିବାକୁ ଆରମ୍ଭ ହେଲା ଉଦ୍ୟମ । ଭାରତର ପୂର୍ବତନ ମହାଲେଖା ନିୟନ୍ତ୍ରକ ଏ.କେ. ଚନ୍ଦାଙ୍କ ନେତୃତ୍ୱାଧୀନ କମିଟି ଆକାଶବାଣୀ ଓ ଦୂରଦର୍ଶନକୁ ଦୁଇଟି ସ୍ୱୟଂଶାସିତ ନିଗମ ଭାବେ ଗଠନ କରିବା ପାଇଁ ସୁପାରିସ କଲା । ଏହି ସୁପାରିସ ୧୨ ବର୍ଷ ଧରି ଶୀତଳଭଣ୍ଡାରରେ ପଡ଼ି ରହିବା ପରେ ୧୯୭୮ରେ ବି.ଜି.ଭର୍ଗିଜଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କାର୍ଯ୍ୟସମିତି ‘ଆକାଶଭାରତୀ’ ନାମକ ସଂସ୍ଥା ଗଢ଼ିବା ପାଇଁ ପରାମର୍ଶ ଦେଲା ଏବଂ ୧୯୭୯ରେ ‘ପ୍ରସାରଭାରତୀ’ ନାଁରେ କର୍ପୋରେସନ ତିଆରିବାର ବିଲ୍ ସଂସଦରେ ଅଣାଗଲା, ଯାହା ଅଧୀନରେ ରହିବ ଆକାଶବାଣୀ ଓ ଦୂରଦର୍ଶନ । ଜନତା ଦଳ ସରକାର ଭାଙ୍ଗିଯିବାରୁ ବିଲ୍ ପାରିତ ହୋଇପାରିଲା ନାହିଁ । ୧୯୯୦ରେ ବିଶ୍ୱନାଥ ପ୍ରତାପ ସିଂହଙ୍କ ରାଷ୍ଟ୍ରୀୟ ମୋର୍ଚ୍ଚା ସରକାର ଏହାକୁ ପାରିତ କଲେ ଓ ପ୍ରସାରଭାରତୀ ଗଠନ ହେଉହେଉ ଲାଗିଗଲା ଆଉ ସାତ ବର୍ଷ । ତେବେ କାଗଜକଲମରେ ଦୂରଦର୍ଶନ ଓ ଆକାଶବାଣୀ ସ୍ୱାୟତ୍ତ/ସ୍ୱୟଂଶାସି˜ ହୋଇଚି ସତ, କିନ୍ତୁ ପ୍ରକୃତରେ ଆଜି ମଧ୍ୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଜଣେ ଅତିରିକ୍ତ ସଚିବ ପ୍ରସାରଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ହୋଇଥାନ୍ତି । ତେଣୁ ସରକାରଙ୍କ କବଳରୁ ସମ୍ପୂର୍ଣ୍ଣ ସ୍ୱାୟତ୍ତତା କେବଳ ନାମକୁ ମାତ୍ର କହିଲେ ହେବନାହିଁ ଅତୁ୍ୟକ୍ତି । ଅନ୍ୟ ଭାଷାରେ କହିଲେ ଏବେମଧ୍ୟ ଗଣ ନୁହେଁ, ଗଣରାଜ୍ୟରେ କ୍ଷମତାସୀନ ସରକାର ହିଁ ପ୍ରତ୍ୟକ୍ଷ/ପରୋକ୍ଷରେ ଏହି ଗଣମାଧ୍ୟମକୁ ନିଜ ଅନୁସାରେ ନିୟନ୍ତ୍ରି˜/ପରିଚାଳିତ କରିବାକୁ କରିଆସିଚନ୍ତି ଉଦ୍ୟମ । ତେବେ ଆଶ୍ୱାସନାର ବିଷୟ ଯେ ଆକାଶବାଣୀ ଓ ଦୂରଦର୍ଶନ ଏବେ ମଧ୍ୟ ଗଣଠାରୁ ଦୂରେଇଯାଇନି ସେତିକି ଦୂର, ଯେତିକି ଦୂରେଇଯାଇଚି ଘରୋଇ ଗଣମାଧ୍ୟମ । ଏହା ସ୍ୱାଭାବିକ ଯେ ‘ଥ୍ରୀସି’ ମାୟାରେ ବାୟା ପାଠକ/ଦର୍ଶକଙ୍କୁ ଆକୃଷ୍ଟ କରିବାରେ ଗଣରାଜ୍ୟର ଗଣମାଧ୍ୟମ ହୋଇନି/ହେଉନି ସଫଳକାମ ।
('ସମାଜ"ରେ ୧୪ ଫେବୃୟାରୀ ୨୦୧୬ ରେ ପ୍ରକାଶିତ)
ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.

0 comments:
Post a Comment