ଊଣେଇଶ ନିର୍ବାଚନ: ରାମ ବନାମ ରାଫେଲ

Leave a Comment


ଗଣତନ୍ତ୍ରରେ ନିର୍ବାଚନ ଏକ ଅପରିହାର୍ଯ୍ୟ ପ୍ରକ୍ରିୟା ସତ; କିନ୍ତୁ ‘ନିର୍ବାଚନ’କୁ ହିଁ ‘ଗଣତନ୍ତ୍ର’ ବୋଲି ଧରିନିଆଗଲେ ତାହା ଗଣତନ୍ତ୍ର ପାଇଁ ଅତିଶୟ ବିପଦର କାରଣ ହୁଏ। କାହିଁକି? ଏହାର ଖୁବ୍‌ ସୁନ୍ଦର ଉତ୍ତର ରଖିଛନ୍ତି ବେଲଜିୟମ୍‌ର ଇତିହାସବିଦ୍‌ ତଥା ପ୍ରାବନ୍ଧିକ ଡେଭିଡ ଭାନ ରେବ୍ରୁକ୍ ତାଙ୍କର ବହୁଚର୍ଚିତ ପୁସ୍ତକ ‘ଏଗେନ୍‌ଷ୍ଟ ଇଲେକ୍ସନ୍ସ: ଦ କେସ୍‌ ଫର୍ ଡେମୋକ୍ରେସି’ (୨୦୧୬)ରେ, କେତେକ ପ୍ରଶ୍ନାବଳୀ ମାଧ୍ୟମରେ: ‘‘ଗଣତନ୍ତ୍ର ସମସ୍ୟା ନୁହେଁ। ମତଦାନ (ଭୋଟିଂ) ହିଁ ସମସ୍ୟା। ଏସବୁଥିରେ ଲୋକସାଧାରଣଙ୍କ ତର୍କସଙ୍ଗତ ସ୍ବର କାହିଁ? ନାଗରିକମାନେ ସତ୍ୟ ସୂଚନା ପାଇବେ, ପରସ୍ପର ସହ ଆଲୋଚନା କରିବେ ଓ ନିଜ ଭବିଷ୍ୟତର ନିଷ୍ପତ୍ତି ନିଜେ ନେବେ, ସେଥିପାଇଁ ସୁଯୋଗ କାହିଁ? ନାଗରିକମାନେ ନିଜ ସମାଜ/ସମ୍ପ୍ରଦାୟର ଭାଗ୍ୟ ନିଜେ ଗଢ଼ିବେ କେଉଁଠି? ନିଶ୍ଚିତ ଭାବେ ମତଦାନ କେନ୍ଦ୍ରରେ ନୁହେଁ।’’ କେବଳ ଭାରତବର୍ଷ ନୁହେଁ, ସାରା ପୃଥିବୀର ଗଣତାନ୍ତ୍ରିକ ଇତିହାସକୁ ଦେଖିଲେ ଏହାର ସତ୍ୟତା ଉପଲବ୍ଧି କରିହୁଏ। କ୍ରମଶଃ ‘ନିର୍ବାଚନ’ ଓ ‘ଗଣତନ୍ତ୍ର’ ସମପର୍ଯ୍ୟାୟବାଚୀ ଶବ୍ଦରେ ପରିଣତ ହୋଇସାରିଛି। ଭାରତ ଭଳି ଦେଶରେ ନିର୍ବାଚନକୁ ଧୀରେଧୀରେ ଆମ ରାଜନୈତିକ ଦଳଗୁଡ଼ିକ ଉତ୍ସବରେ ପରିଣତ କରିବାକୁ ଯଥାସାଧ୍ୟ ଚେଷ୍ଟିତ; କାରଣ ତାହା ହିଁ ମତଦାତାଙ୍କ ମନରୁ ଅସଲ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଅଙ୍ଗୀକାରବଦ୍ଧତାକୁ ହଟାଇବାରେ ହେଉଚି ସହାୟକ। ନିର୍ବାଚନ ପ୍ରଚାରର ଇନ୍ଦ୍ରଜାଲ ଭିତରେ ଛନ୍ଦିଦେଇ ମତଦାତାଙ୍କ ମନକୁ ବିଭ୍ରାନ୍ତ କରିବାର ଅପଉଦ୍ୟମରେ ଆମ ରାଜନୈତିକ ଦଳଗୁଡ଼ିକ ଖୁବ୍ ସିଦ୍ଧହସ୍ତ। ସେଥିରେ ମତଦାତା/ନାଗରିକଙ୍କ ତର୍କସଂଗତ ସ୍ବର ଉତ୍ତୋଳନର ଅବକାଶ କାହିଁ? ଊଣେଇଶ ସାଧାରଣ ନିର୍ବାଚନକୁ ଏଇ ପରିପ୍ରେକ୍ଷୀରେ ତଉଲିବା ବୋଧହୁଏ ଅପ୍ରାସଙ୍ଗିକ ହେବନାହିଁ।

ଭାରତ ହେଉ କି ବିଶ୍ବର ଅନ୍ୟ ଦେଶ, ନିର୍ବାଚନ ଲଢ଼ିବା ପାଇଁ ରାଜନୈତିକ ଦଳଙ୍କ ପାଇଁ ପ୍ରସଙ୍ଗ ଆବଶ୍ୟକ। ଯଦି ଆପଣା ସ୍ବାର୍ଥସାଧନ କଲାଭଳି ପ୍ରସଙ୍ଗ ନଥାଏ, ତେବେ ଅସ୍ବାଭାବିକ/କୃତ୍ରିମ ପ୍ରସଙ୍ଗ ସୃଷ୍ଟି କରିବାରେ ଏମାନେ ପାରଙ୍ଗମ। କହିବା ଅନାବଶ୍ୟକ ଯେ ଏସବୁ ଜନତା ବା ମତଦାତାଙ୍କ ପାଇଁ ଆଦୌ ପ୍ରସଙ୍ଗ ନୁହେଁ, ଅଥଚ ରାଜନୈତିକ ଦଳ ପାଇଁ ସବୁଠୁ ବଡ଼ ପ୍ରସଙ୍ଗ। ରାମ ଓ ରାଫେଲ ଭଳି ପ୍ରସଙ୍ଗଦ୍ବୟକୁ ଦେଖିଲେ ଏହାର ବାସ୍ତବତା ଉପଲବ୍ଧି କରିହୁଏ। ରାମ ଓ ରାଫେଲ ଖୁବ୍‌ଶୀଘ୍ର ଅର୍ଥାତ ଛଅମାସ ଭିତରେ, ଉଣେଇଶ ନିର୍ବାଚନ ନିମନ୍ତେ ରାମ ବନାମ ରାଫେଲ ପାଲଟିବାର ସମ୍ଭାବନା ଖୁବ୍‌ବେଶୀ। ଏହାର କେତେକ ଐତିହାସିକ କାରଣ ଆଲୋଚନାଯୋଗ୍ୟ।
୧୯୮୯ରେ ପ୍ରସଙ୍ଗ ଥିଲା ରାମମନ୍ଦିର ଓ ବୋଫର୍ସ। ୧୯୮୭ରୁ ହିଁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ରାଜନୈତିକ ଅଙ୍ଗ ଭାରତୀୟ ଜନତା ପାର୍ଟି (ବିଜେପି) ହିନ୍ଦୁତ୍ବ ଆଜେଣ୍ଡାକୁ ଆପଣାର ପ୍ରମୁଖ ପ୍ରକଳ୍ପ ଭାବେ ପ୍ରଦର୍ଶିତ କରିବା ଆରମ୍ଭ କଲା। ଏବିଭିପି, ବଜରଙ୍ଗ ଦଳ, ବିଶ୍ବ ହିନ୍ଦୁ ପରିଷଦ (ଭିଏଚ୍‌ପି) ଆଦି ସଂଗଠନ ଏ ଅଭିଯାନକୁ ସାରା ଭାରତରେ ବ୍ୟାପକ କଲେ। ଫଳସ୍ବରୂପ ୧୯୮୯ ନିର୍ବାଚନରେ ବିଜେପି ୮୫ଟି ଆସନ ସହ ୧୧.୩୬ ଶତାଂଶ ଭୋଟ ସଂଗ୍ରହରେ ସଫଳ ହେଲା। ୧୯୯୦ ଅକ୍ଟୋବରରେ ଲାଲକୃଷ୍ଣ ଆଡ଼ୱାଣୀଙ୍କ ରଥଯାତ୍ରାକୁ ଅଟକାଇ ଲାଲୁପ୍ରସାଦ ଯାଦବ ଯେତେବେଳେ ତାଙ୍କୁ ଗିରଫ କରାଇଲେ, ହିନ୍ଦୁତ୍ବ ଅନେକ ଲୋକଙ୍କୁ ଆକର୍ଷିତ କଲା। ୧୯୯୧ର ନିର୍ବାଚନ ଫଳରୁ ଏହା ପ୍ରମାଣିତ ହେଲା। ବିଜେପି ୨୦.୧୧ ଶତାଂଶ ଭୋଟ ସହ ୧୨୦ଟି ଆସନ ଜିଣିଲା। ଏହାପରେ କରସେବକ ୬ ଡିସେମ୍ବର ୧୯୯୨ରେ ରଚିଲେ କୁଖ୍ୟାତ ବାବ୍ରି ମସଜିଦ୍ ଧ୍ବଂସଲୀଳା। କହିବା ବାହୁଲ୍ୟ ଯେ, ଏଇ ବର୍ଷ ଦୁଇଟି କେବଳ ଭାରତବର୍ଷର ରାଜନୈତିକ ପରିଦୃଶ୍ୟ ନୁହେଁ, ଆଦର୍ଶଗତ ବିଶ୍ବାସକୁ ମଧ୍ୟ ବଦଳାଇଦେଲା।

୧୯୯୬ ଲୋକସଭା ନିର୍ବାଚନରେ, ଅର୍ଥାତ ବାବ୍ରି ଧ୍ବଂସର ଚାରିବର୍ଷ ପରେ, ୧୯୮୪ରେ ମାତ୍ର ଦୁଇଟି ଆସନ ଜିଣିଥିବା ବିଜେପି ୧୬୧ଟି ଆସନରେ ବିଜୟୀ ହେଲା। ଏହାଥିଲା ଅଟଳ ବିହାରୀ ବାଜପେୟୀଙ୍କ ୧୩-ଦିନିଆ ସରକାର ଗଢ଼ିବାର ସମୟ। ୧୯୮୯ରେ ବିଜେପିର ଆସନ ସଂଖ୍ୟା ବଢ଼ି ୧୮୨ ହେଲା ଓ ୨୫.୫୯ ଶତାଂଶ ଭୋଟ ମିଳିଲା। ଏହି ପରିସଂଖ୍ୟାନରୁ ନିଃସନ୍ଦେହରେ କହିହେବ ଯେ, ରାମ/ରାମମନ୍ଦିର ପ୍ରସଙ୍ଗ ବିଜେପିକୁ ନିର୍ବାଚନ ବୈତରଣୀ ପାର ହେବାରେ ଅବଶ୍ୟ ସାହାଯ୍ୟ କରିଛି।
୨୦୦୪ ନିର୍ବାଚନରେ ୧୮୨ରୁ ୧୩୮ଟି ଆସନକୁ ଖସିଆସିବା ବିଜେପି ପାଇଁ ଥିଲା ଏକ ଦୁର୍ଘଟଣାବହୁଳ ଦୁଃସ୍ବପ୍ନ। ଅବଶ୍ୟ କଂଗ୍ରେସ ମଧ୍ୟ ମାତ୍ର ସାତଟି ଆସନ ଅଧିକ ପାଇଥିଲା; କିନ୍ତୁ ତା’ ସାଥିରେ ଥିଲା ବାମଦଳର ଶକ୍ତିଶାଳୀ ସମର୍ଥନ। ତେବେ ବାସ୍ତବତା ହେଲା, କଂଗ୍ରେସର ସାମାଜିକ ଭୋଟକେନ୍ଦ୍ର ଦକ୍ଷିଣପନ୍ଥୀଙ୍କ ଆଡ଼କୁ କ୍ରମଶଃ ଢଳୁଥିଲା। ଏଥିରେ ଆର୍‌ଏସ୍‌ଏସ୍‌ ଓ ତା’ର ଛାମୁଆ ସଂଗଠନଗୁଡ଼ିକର ହାତ ଖୁବ୍‌ବେଶୀ। କହିବା ବାହୁଲ୍ୟ, ଏହି ପ୍ରକ୍ରିୟା ଏବେ ବି ବଳବତ୍ତର।

ସଂପ୍ରତି ଆର୍‌ଏସ୍‌ଏସ୍‌ ଓ ବିଜେପି ‘ମନ୍ଦିର ୱହିଁ ବନାୟେଙ୍ଗେ’ (ମନ୍ଦିର ସେଇଠି ତିଆରିବା) ଅଭିଯାନକୁ ପୁନରୁଜ୍ଜୀବିତ କରିବା ପଛରେ ଏସବୁ ଐତିହାସିକ କାରଣ ଦାୟୀ ବୋଲି କହିହେବ। ବିଶେଷତଃ, ସର୍ବୋଚ୍ଚ ନ୍ୟାୟାଳୟ ରାମମନ୍ଦିର ପ୍ରସଙ୍ଗକୁ ‘ତାଙ୍କର ପ୍ରାଧାନ୍ୟ ନୁହେଁ’ ବୋଲି ସ୍ପଷ୍ଟ କରିଦେବା ପରଠୁ ହିନ୍ଦୁତ୍ବବାଦୀ ସଂଗଠନଗୁଡ଼ିକ ଏହାକୁ ନେଇ ଏକ ବଡ଼ଧରଣର ଅଭିଯାନ କରିବାରେ ଚେଷ୍ଟିତ। ଆର୍‌ଏସ୍‌ଏସ୍‌ ସରକାର୍ଯ୍ୟବାହ ଭୈୟାଜୀ ଜୋଷୀଙ୍କ ଚେତାବନୀରୁ ଏହା ସ୍ପଷ୍ଟ। ତାଙ୍କ ଭାଷାରେ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଦ୍ବାରା ‘‘ହିନ୍ଦୁ ଅପମାନିତ ବୋଧ କରୁଛନ୍ତି’’, ତେଣୁ ‘‘ରାମମନ୍ଦିର ପାଇଁ ଆନ୍ଦୋଳନ କରିବାକୁ ଆଦୌ ଦ୍ବିଧାବୋଧ କରିବେ ନାହିଁ’’। ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ସତର୍କ କଲାଭଳି କହିଛନ୍ତି ଯେ ‘ସମାଜ ଅଦାଲତକୁ ସମ୍ମାନ ଦିଏ ଓ ଅଦାଲତ ମଧ୍ୟ ସମାଜ (ହିନ୍ଦୁ) ଓ ତା’ର ଭାବାବେଗକୁ ସମ୍ମାନ ଦେବା ଆବଶ୍ୟକ’। ସେ ସରକାରଙ୍କୁ ଏକ ଅଧ୍ୟାଦେଶ ଆଣିବାକୁ ଅନୁରୋଧ କରିଛନ୍ତି। ଆର୍ଏସ୍‌ଏସ୍‌ ମୁଖିଆ ମୋହନ ଭାଗବତ ଏହି କଥାକୁ ଅକ୍ଟୋବର ୧୮ରେ ତାଙ୍କର ବିଜୟାଦଶମୀ ବକ୍ତବ୍ୟରେ କହିସାରିଛନ୍ତି। ଇତିମଧ୍ୟରେ ବିଜେପିର ରାଜ୍ୟସଭା ସାଂସଦ ରାକେଶ ସିହ୍ନା ରାମମନ୍ଦିର ପାଇଁ ଏକ ‘ପ୍ରାଇଭେଟ୍ ମେମ୍ବର ବିଲ୍’ ଉପସ୍ଥାପନ କରିବେ ବୋଲି ଘୋଷଣା କରିଛନ୍ତି। ତେବେ ସାମ୍ବିଧାନିକ ପରୀକ୍ଷାରେ ଏସବୁ ଉତ୍ତୀର୍ଣ୍ଣ ହେବାର ସମ୍ଭାବନା କ୍ଷୀଣ।

ଉପରୋକ୍ତ ବିବୃତିଗୁଡ଼ିକରୁ ମନେହେଉଛି, ଏ ପ୍ରସଙ୍ଗରେ ଆର୍‌ଏସ୍‌ଏସ୍ ଓ ତା’ର ଛାମୁଅା ସଂଗଠନଗୁଡ଼ିକର ନ୍ୟାୟାଳୟ ଉପରେ ଆଦୌ ଭରସା ନାହିଁ। ଅବଶ୍ୟ ୧୯୮୯ ଜୁନରେ ବିଜେପିର ପାଲମପୁର ଜାତୀୟ କାର୍ଯ୍ୟକାରିଣୀ ଏ ସମ୍ପର୍କରେ ସ୍ପଷ୍ଟଭାଷାରେ କହିଥିଲା: ‘‘ବିଜେପିର ମତ, ଅଯୋଧ୍ୟା ବିବାଦ ଏପରି ଯେ କେବଳ ଅଦାଲତ ଏହାର ସମାଧାନ କରିପାରିବ ନାହିଁ...ନେହେରୁ ସରକାର ସୋମନାଥ ମନ୍ଦିର ପାଇଁ ଯେଉଁ ସକାରାତ୍ମକ ମନୋଭାବ ଆପଣାଇଥିଲେ, ରାଜୀବ ଗାନ୍ଧୀ ସରକାର ସେହି ସମାନ ମନୋଭାବ ଗ୍ରହଣ କରନ୍ତୁ ବୋଲି ବିଜେପି ଚାହଁୁଛି। ଲୋକଙ୍କ ଭାବାବେଗକୁ ସମ୍ମାନ ଦିଆଯିବା ଆବଶ୍ୟକ ଓ ହିନ୍ଦୁଙ୍କୁ ରାମ ଜନ୍ମସ୍ଥାନ ହସ୍ତାନ୍ତର କରାଯିବା ଉଚିତ- ଯଦି ସମ୍ଭବ ବୁଝାମଣା ମାଧ୍ୟମରେ କିମ୍ବା ଆଇନ ମାଧ୍ୟମରେ....ବିବାଦ ନିଶ୍ଚିତଭାବେ ଏହାର ଉତ୍ତର ନୁହେଁ।’’
ଏ ପରିପ୍ରେକ୍ଷୀରେ ଶବରୀମାଳା ନେଇ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ସ୍ପଷ୍ଟ ଆହ୍ବାନ ବେଶ୍ ପ୍ରାସଙ୍ଗିକ। ସର୍ବୋଚ୍ଚ ନ୍ୟାୟାଳୟର ମହିଳାଙ୍କ ମନ୍ଦିର ପ୍ରବେଶ ଅନୁମତି ନେଇ ଦେଇଥିବା ରାୟକୁ ବିରୋଧ କରୁଥିବା ଲୋକଙ୍କ ପଛରେ ତାଙ୍କ ଦଳ ‘ପାହାଡ଼ ଭଳି ଛିଡ଼ା ହେବ’ ବୋଲି କହିଛନ୍ତି। ଏହାର ବ୍ୟାଖ୍ୟା ଅନାବଶ୍ୟକ। ଶବରୀମାଳା ଓ ଅଯୋଧ୍ୟା, ଏ ଦୁଇଟିର ଧାର୍ମିକ ଆବେଦନର ସାମ୍ୟ ବିଜେପି ପାଇଁ ରାଜନୈତିକ ଖେଳର ଖୋରାକ ପାଲଟିବାର କାରଣ, ତାହା ଅସ୍ପଷ୍ଟ ନୁହେଁ। ଜର୍ମାନ ଦାର୍ଶନିକ-ଅର୍ଥନୀତିଜ୍ଞ କାର୍ଲ ମାର୍କ୍ସ କହିଥିବା ‘ଧର୍ମ ଏକ ଅଫିମ ନିଶା’ କଥାଟିକୁ ଆର୍‌ଏସ୍‌ଏସ୍‌ ଓ ବିଜେପି ଭୁଲିନଥିବା ମନେହୁଏ। ତେବେ ନ୍ୟାୟାଳୟ ପ୍ରତି ଅନାସ୍ଥାଭାବର ଔଚିତ୍ୟ କେତେ? ମୋଦୀଙ୍କ ତଥାକଥିତ ‘ନବ ଭାରତ’ (ନିଉ ଇଣ୍ଡିଆ)ର ‘ବିକାଶ’ ଆଶାୟୀ ଜନତା ଆସ୍ଥା ନାଁରେ ଆଇନ ଉଲ୍ଲଙ୍ଘନକୁ ଗ୍ରହଣ କରିବେ ତ?

ଅପରପକ୍ଷେ କଂଗ୍ରେସର ‘ରାଫେଲ’ କ’ଣ ରାମମନ୍ଦିର ପ୍ରସଙ୍ଗର ଉଚିତ ଜବାବ ହୋଇପାରିବ? ଏହା ଏକ କୋଟିଏ ଟଙ୍କାର ପ୍ରଶ୍ନ! ରାମମନ୍ଦିର ପରି ରାଫେଲ୍ ପ୍ରସଙ୍ଗ ବି ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିବା ବିଜେପି ପାଇଁ ନକାରାତ୍ମକ ଓ ବିରୋଧୀ କଂଗ୍ରେସ ପାଇଁ ସକାରାତ୍ମକ ସଙ୍କେତ ବହନ କରେ। ଇତିମଧ୍ୟରେ, ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବାଧୀନ ପୀଠ ମୋଦୀ ସରକାରଙ୍କୁ ୩୬ଟି ରାଫେଲ ଯୁଦ୍ଧ ବିମାନର ମୂଲ୍ୟ ନେଇ ସବିଶେଷ ବିବରଣୀ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ ନିର୍ଦେଶ ଦେବା ବେଶ୍ ମହତ୍ତ୍ବପୂର୍ଣ୍ଣ; କାହିଁକିନା କଂଗ୍ରେସ ଯେଉଁଥିପାଇଁ ବିଜେପି ନେତୃତ୍ବାଧୀନ ସରକାରଙ୍କୁ ନିଶାଣ କରୁଛି, ତାହା ହେଲା ରାଫେଲ ଦାମ୍, ଅନୀଲ ଅମ୍ବାନୀଙ୍କ ସଂପୃକ୍ତି ଓ ହିନ୍ଦୁସ୍ତାନ ଏରୋନଟିକ୍ ଲିମିଟେଡ (ଏଚ୍‌ଏଏଲ୍‌)କୁ ଉପେକ୍ଷା। ବାସ୍ତବତା ଯାହା ହେଉନା କାହିଁକି, କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ରାଫେଲ୍ ପ୍ରସଙ୍ଗ ଉଠାଇବା ପରଠାରୁ ଏ ନେଇ ସତ୍ୟ ଅପେକ୍ଷା ମିଥ୍ୟା/ଭ୍ରମ ହିଁ ଅଧିକ ବ୍ୟାପକ ହୋଇଛି। କଂଗ୍ରେସର ଅଭିଯୋଗର ବିସ୍ତୃତ/ନିର୍ଦିଷ୍ଟ ଉତ୍ତର ରଖିବା ବଦଳରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଖଣ୍ଡିତ ଉତ୍ତର ରଖି ପ୍ରସଙ୍ଗଟିକୁ ଅଧିକ ସଂଶୟାଚ୍ଛନ୍ନ କରିପକାଇଛନ୍ତି। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଅବଶ୍ୟ ଲିଖିତ ଉତ୍ତର ରଖିବାକୁ ଚେଷ୍ଟା କରିଛନ୍ତି; କିନ୍ତୁ ସେଥିରେ ବି ତାଙ୍କ ଓକିଲାତି ଢଙ୍ଗ ଲୋକଙ୍କ ଭ୍ରମ ଭାଙ୍ଗିବାରେ ସମର୍ଥ ହୋଇପାରିନାହିଁ।

କଂଗ୍ରେସକୁ ଏ ସ୍ଥିତି ସୁହାଇବା ସ୍ବାଭାବିକ। ରାହୁଳ ଜନମାନସର କ୍ଷଣଭଙ୍ଗୁର ଭାବନା କଥା ଜାଣନ୍ତି। ୧୯୮୯ରେ ରାଜୀବ ଗାନ୍ଧୀ ସରକାରଙ୍କ ପତନର ମୂଳ କାରଣ ଥିଲା ବୋଫର୍ସ ଦୁର୍ନୀତି ଅଭିଯୋଗର ଭାବନାତ୍ମକ ଲଢ଼େଇରେ କଂଗ୍ରେସର ପରାଜୟ। ମୋଦୀ ସରକାରଙ୍କୁ ସେହିପରି ଭାବନାତ୍ମକ ଲଢ଼େଇରେ ୨୦୧୯ ନିର୍ବାଚନରେ ପରାଜିତ କରିବା ରାହୁଳଙ୍କ ଲକ୍ଷ୍ୟ। ତାଙ୍କର ଆଶା ଯେ ବୋଫର୍ସ ଯେପରି ପିତାଙ୍କ ସରକାରଙ୍କ ପତନର କାରଣ ସାଜିଥିଲା, ଠିକ୍ ସେହିଭଳି ରାଫେଲ୍ ମୋଦୀ ସରକାରଙ୍କୁ ଧୂଳିସାତ୍ କରିଦେବ। ତେବେ ତାହା ସମ୍ଭବ ହେବ କି?

ବୋଧହୁଏ ହଁ...ବୋଧହୁଏ ନୁହେଁ। ହଁ ଏଇଥିପାଇଁ ଯେ ବିଜେପି ବା ବିଜେପି ନେତୃତ୍ବାଧୀନ ସରକାର ଏ ପର୍ଯ୍ୟନ୍ତ ରାଫେଲ ପ୍ରସଙ୍ଗରେ ଜନସାଧାରଣଙ୍କୁ ସନ୍ତୁଷ୍ଟ କରିବା ଭଳି ଉତ୍ତର ରଖିପାରିନାହିଁ। ନୁହେଁ ଏଇଥିପାଇଁ ଯେ ରାହୁଳ ଏହାକୁ ଯେଭଳି ତଥ୍ୟପୂର୍ଣ୍ଣ ଭାବେ ଉପସ୍ଥାପନ କରିବା କଥା, ତାହା କରିପାରିନାହାନ୍ତି, ଯଦିଚ ଏହାକୁ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ପ୍ରାସଙ୍ଗିକ କରି ରଖିବାର ଶତଚେଷ୍ଟା ଚଳାଇଛନ୍ତି। ରାଫେଲ୍ ‘ଦୁର୍ନୀତି’ ହୋଇଥାଉ କି ନଥାଉ, ଏହା ବୋଫର୍ସ ପରି ଯେ ନିର୍ବାଚନର ଖେଳ ବିଗାଡ଼ିବାର କ୍ଷମତା ରଖେ, ତାହା ନିଃସନ୍ଦେହ; କିନ୍ତୁ ଏହି ନିର୍ବାଚନ-ଯୁଦ୍ଧବିମାନକୁ ଉଡ଼ାଇବା ପାଇଁ ଯେଉଁ ଦକ୍ଷ ପାଇଲଟ୍/ନେତୃତ୍ବ ଆବଶ୍ୟକ, କଂଗ୍ରେସ ପାଖରେ ସମ୍ଭବତଃ ତାହା ନାହିଁ (ଅନ୍ତତଃ ବର୍ତ୍ତମାନ ସୁଦ୍ଧା ସେପରି ମନେହେଉଛି)। ପୁଣି, ରାଫେଲ ପ୍ରସଙ୍ଗର ପ୍ରଭାବ କେବଳ ସହରୀ ଭାରତରେ ହିଁ ସୀମାବଦ୍ଧ; ଗ୍ରାମୀଣ ଭାରତ ଏବେ ବି ଏ ସମ୍ପର୍କରେ ପ୍ରାୟତଃ ଅଜ୍ଞ।

ରାମ/ରାମମନ୍ଦିର ଜନତାଙ୍କ ପ୍ରସଙ୍ଗ ନୁହେଁ। ଭାରତୀୟଙ୍କ ପାଇଁ ଅସଲ ପ୍ରସଙ୍ଗ ତ କ୍ରମବର୍ଦ୍ଧିଷ୍ଣୁ ପେଟ୍ରୋଲ୍-ଡିଜେଲ୍ ମୂଲ୍ୟ, କୃଷି/କୃଷକ ସଙ୍କଟ, ଟଙ୍କାର ମୂଲ୍ୟହ୍ରାସ, ଅନାଦାୟ ଋଣ ଟଙ୍କା ବୃଦ୍ଧି, ଦାରିଦ୍ର୍ୟ, ଅନାହାର, ଅପୁଷ୍ଟି, ଦୁର୍ନୀତି ଇତ୍ୟାଦି। ଅପ୍ରସଙ୍ଗକୁ ରାଜନୈତିକ ଦଳଗୁଡ଼ିକ ପ୍ରସଙ୍ଗ କରିବା କେବେ ଛାଡ଼ିବେ? କହିବା ବାହୁଲ୍ୟ, ‘ନିର୍ବାଚନ’କୁ ହିଁ ଗୋଟାପଣେ ‘ଗଣତନ୍ତ୍ର’ ବୋଲି ଭାବୁଥିବା ପର୍ଯ୍ୟନ୍ତ ତାହା ଆଦୌ ସମ୍ଭବ ହେବନାହିଁ।


(୧୨ ନଭେମ୍ବର ୨୦୧୮ରେ ‘ସମାଜ’ରେ ପ୍ରକାଶିତ)
Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.