ଉତ୍ତର-ସତ୍ୟ ଯୁଗରେ ଗଣମାଧ୍ୟମ

Leave a Comment
ବ୍ରେକ୍ଜିଟ୍ ଅଭିଯାନରେ ବସ୍

ସତ୍ୟ ବୋଲି କିଛି ନାହିଁ, କେବଳ ବ୍ୟାଖ୍ୟା ଅଛି (ଦେୟାର୍‍ ଆର୍‍ ନୋ ଫ୍ୟାକ୍ଟ୍‍ସ, ଓନ୍‍ଲି ଇଣ୍ଟର୍‍ପ୍ରିଟେସନ) ।

ଜର୍ମାନ ଦାର୍ଶନିକ ଫ୍ରେଡ଼ରିକ୍‍ ନିତ୍‍ସେ (୧୮୪୪-୧୯୦୦) କହିଥିବା ଏହି କଥାଟି ଅଧ୍ୟାତ୍ମ ଓ ଦର୍ଶନ ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ ହେଲେ ବି ସାମ୍ବାଦିକତା/ଗଣମାଧ୍ୟମ ଦୃଷ୍ଟିରୁ ମନେହୁଏ ଅସାର । ଅସାର ଏଇଥିପାଇଁ ଯେ ପ୍ରକୃତ ସମ୍ବାଦ/ସାମ୍ବାଦିକତାର ମୂଳପିଣ୍ଡ ହେଉଛି ସତ୍ୟ/ତଥ୍ୟ; ଏଥିରେ ବ୍ୟାଖ୍ୟାର ଆଦୌ ନାହିଁ ଆବଶ୍ୟକତା, ବରଂ ବ୍ୟାଖ୍ୟା ଅସଲ ସାମ୍ବାଦିକତାର ପରମ ଶତ୍ରୁ! ସେଇଥିପାଇଁ ‘ଗାର୍ଡିଆନ’ ଖବରକାଗଜର ଖ୍ୟାତିସଂପନ୍ନ ସଂପାଦକ ସି.ପି. ସ୍କଟ୍‍ ୧୯୨୧ରେ ଖବରକାଗଜଗୁଡ଼ିକର ସତ୍ୟ ଖବର ପରିବେଷଣ ଉପରେ ଗୁରୁତ୍ୱ ଦେଇ କହିଥିଲେ, “ମନ୍ତବ୍ୟ ସ୍ୱାଧୀନ, ମାତ୍ର ତଥ୍ୟ ଶୁଦ୍ଧ/ପବିତ୍ର” (କମେଣ୍ଟ୍‍ ଇଜ୍‍ ଫ୍ରି, ବଟ୍‍ ଫ୍ୟାକ୍ଟ୍‍ସ ଆର୍‍ ସେକ୍ରେଡ଼) । କିନ୍ତୁ ସ୍କଟ୍‍ଙ୍କ ଯୁଗ ଥିଲା ଦୋସରା, ଯେତେବେଳେ ସମ୍ବାଦପତ୍ରରେ ଅସତ୍ୟ ସମ୍ବାଦ ପରିବେଷଣ ଥିଲା ଗର୍ହି˜; ଅନ୍ତତଃ ଏକ ଘୃଣ୍ୟ/କୁଣ୍ଠିତ କାର୍ଯ୍ୟ । ବର୍ତ୍ତମାନ ସତ୍ୟର ନୁହେଁ; ଉତ୍ତର-ସତ୍ୟର ଯୁଗ । ଏ ଉତ୍ତର-ସତ୍ୟଟି କ’ଣ, ଏହା ବୁଝିବା ସର୍ବାଦୌ ଆବଶ୍ୟକ ।

ପ୍ରତିବର୍ଷ ଅକ୍ସଫୋର୍ଡ ଅଭିଧାନ ପକ୍ଷରୁ ଏକ ନୂଆ ଶବ୍ଦକୁ ‘ବର୍ଷର ଆନ୍ତର୍ଜାତିକ ଶବ୍ଦ’ ଭାବେ ଘୋଷଣା କରାଯାଏ । ୨୦୧୬ ପାଇଁ ‘ପୋଷ୍ଟ୍‍-ଟ୍ରୁଥ୍‍’ ଶବ୍ଦଟି ଘୋଷିତ ହୋଇଛି, ଯାହାକୁ ଆମ ଭାଷାରେ କହିହେବ ଉତ୍ତର-ସତ୍ୟ/ ସତ୍ୟ ଉତ୍ତର/ ସତ୍ୟୋତ୍ତର । ଏହାର ଅର୍ଥ ବୁଝାଇବାକୁ ଅଭିଧାନ ଲେଖିଚି, “ସେହିଭଳି ପରିସ୍ଥିତି ସମ୍ବନ୍ଧୀୟ ବା ସେ ସମ୍ବନ୍ଧରେ ସୂଚନା, ଯେଉଁଥିରେ ଲୋକ/ଜନମତକୁ ରୂପ ଦେବାରେ ନିଷ୍ପକ୍ଷ ତଥ୍ୟର ପ୍ରଭାବଠାରୁ ଆବେଗ ଓ ବ୍ୟକ୍ତିଗତ ବିଶ୍ୱାସର ପ୍ରଭାବ ବେଶି ଥାଏ” । କହିବା ବାହୁଲ୍ୟ ଯେ ଏହି ସୂଚନା ନିର୍ଭେଜାଲ୍‍ ନୁହେଁ, ଅର୍ଥାତ ଭେଜାଲ୍‍/ମିଥ୍ୟା/କପୋଳକଳ୍ପି˜/ଅସତ୍ୟ । ଏହି ଶବ୍ଦଟି ଯେଉଁ ଦୁଇ ଆନ୍ତର୍ଜାତିକ ଘଟନାର ପ୍ରଚ୍ଛଦପଟରେ ବେଶି ବ୍ୟବହୃତ ହୋଇଥିଲା, ତାହା ହେଉଚି ୨୦୧୬ର ଅନ୍ୟତମ ବହୁଚର୍ଚ୍ଚିତ ଘଟନା ବ୍ରେକ୍‍ଜିଟ୍‍ ଓ ଅନ୍ୟଟି ଆମେରିକାର ରାଷ୍ଟ୍ରପତି ନିର୍ବାଚନ । ୟୁରୋପୀୟ  ୟୁନିଅନରୁ ବ୍ରିଟେନ ଭିନେ ହୋଇଯିବାକୁ ବ୍ରେକ୍‍ଜିଟ୍‍ ବୋଲି କୁହାଗଲା । ତେବେ ଏଥିପାଇଁ ଯେଉଁ ଗଣଭୋଟ ନିଆଯାଇଥିଲା, ସେଥିରେ ସାମାନ୍ୟ ଅଧିକ ଭୋଟ ଏହାରି ସପକ୍ଷରେ ମିଳିବାରୁ ଏହାକୁ ବିରୋଧ କରୁଥିବା ସେଠାକାର ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡ଼ିଲା । ଅସଲ କଥା ହେଉଚି ଗଣମତକୁ ଏହାରି ସପକ୍ଷରେ ନେବାପାଇଁ ଯେଉଁମାନେ ଅଭିଯାନ ଚଳାଇଥିଲେ, ତାହା ଥିଲା ଗୋଟାପଣେ ଅସତ୍ୟ ଓ ମିଥ୍ୟା ସୂଚନା ସମ୍ବଳିତ ଅଭିଯାନ । ସବୁଠୁ ବଡ଼ ମିଥ୍ୟା ଥିଲା ଏହି ଅଭିଯାନରେ ଯେଉଁ ବସ୍‍ଟି ବୁଲୁଥିଲା, ତା’ ଦେହରେ ଲେଖାଯାଇଥିଲା ଯେ ପ୍ରତି ସପ୍ତାହରେ ବ୍ରିଟେନଠାରୁ ୟୁରୋପୀୟ ୟୁନିଅନକୁ ୩୫୦ ମିଲିଅନ ପାଉଣ୍ଡ୍‍ ଯାଇଥାଏ ଏବଂ ଯଦି ବ୍ରିଟେନ ୟୁନିଅନରୁ ଅଲଗା ହୋଇଯାଏ, ତେବେ ଏହି ଅର୍ଥକୁ ଜାତୀୟ ସ୍ୱାସ୍ଥ୍ୟସେବା (ନ୍ୟାସନାଲ ହେଲ୍‍ଥ ସର୍ଭିସ)ରେ କରାଯିବ ବିନିଯୋଗ । ସେହିପରି ୟୁନିଅନରେ ବ୍ରିଟେନ ରହିବା ଦ୍ୱାରା ଏବଂ ତୁର୍କୀ ଏହାର ସଦସ୍ୟ ହେବା ପରେ ବ୍ରିଟେନକୁ ଦେଶାନ୍ତରୀ ଲୋକଙ୍କ ସୁଅ ଛୁଟିବ ବୋଲି ଏହି ଅଭିଯାନକାରୀମାନେ ସୃଷ୍ଟି କରିଥିଲେ ବି ମିଛ ଆତଙ୍କ । ବ୍ରିଟେନବାସୀ ହୁଏତ ଏକଥାକୁ ବିଶ୍ୱାସ କରିନଥାଆନ୍ତେ, ମାତ୍ର ଗଣର ମଙ୍ଗଳ ପାଇଁ କାର୍ଯ୍ୟ କରୁଥିବା ଗଣମାଧ୍ୟମ ହିଁ ଏହି ମିଥ୍ୟା ଖବରକୁ ଯେମିତି ପ୍ରଚାର କରିଥିଲା (ବିଶେଷ କରି ଡେଲି ମେଲ୍‍ ଓ ଦି ସନ୍‍ ପରି ଖବରକାଗଜ), ସେଥିରେ ସେମାନେ ଭଳିଯିବା ନଥିଲା କିଛି ବିଚିତ୍ର । ଯଦି ପ୍ରକୃତରେ ବ୍ରିଟେନବାସୀ ଭଲଭାବେ ଚିନ୍ତା କରି, ସତ୍ୟକୁ ଅନୁସନ୍ଧାନ କରି ଭୋଟ ଦେଇଥାନ୍ତେ, ତେବେ ଏଭଳି ସ୍ଥିତି ହୋଇ ନଥାଆନ୍ତା! ଏଥିରୁ ଆଉ ଗୋଟିଏ କଥା ମଧ୍ୟ ଶିକ୍ଷା ମିଳେ ଯେ ଗଣମାଧ୍ୟମ ଯାହା କହେ, ସବୁବେଳେ ତାହା ସତ୍ୟ ହୋଇନଥାଏ ଓ ଆମେ ତାକୁ ଆଖିବୁଜି ଗ୍ରହଣ କରିନେବା ଅନୁଚିତ । ଏହି ସତ୍ୟୋତ୍ତର ଘଟନା ଗଣମାଧ୍ୟମର ବିଶ୍ୱସନୀୟତା ଉପରେ ଏକ ବୃହତ୍‍ ପ୍ରଶ୍ନବାଚୀ । ଏ ପରିପ୍ରେକ୍ଷୀରେ ‘ଭିନେ ସପକ୍ଷବାଦୀ ଅଭିଯାନ’ର ମୁଖ୍ୟ ଅନୁଦାନକାରୀ ଆରୋନ୍‍ ବ୍ୟାଙ୍କ୍‍ସଙ୍କ ମନ୍ତବ୍ୟ ମନେହୁଏ ଖୁବ୍‍ ଗୁରୁତ୍ୱପୂର୍ଣ୍ଣ । ସେ କହିଥିଲେ, “ତାଙ୍କ ଅଭିଯାନ ‘ଆମେରିକୀୟ ଶୈଳୀର ଗଣମାଧ୍ୟମ-ଦୃଷ୍ଟିକୋଣ । ସେମାନେ ଆଗରୁ ହିଁ କହିଆସୁଥିଲେ ଯେ ‘ତଥ୍ୟ/ସତ୍ୟ କାମ କରେ ନାହିଁ’ (ଫ୍ୟାକ୍ଟସ୍‍ ଡୋଣ୍ଟ୍‍ ୱାର୍କ) ଓ ଠିକ୍‍ ତାହା ହିଁ ହେଲା । ଅନ୍ୟ ଅଭିଯାନଟି କହୁଥିଲା ତଥ୍ୟ, ତଥ୍ୟ, ତଥ୍ୟ, ତଥ୍ୟ । ତାହା ମୋଟେ କାମ କଲା ନାହିଁ । ତମକୁ ଭାବପ୍ରବଣତାର ସହ ଲୋକଙ୍କୁ କହିବାକୁ ପଡ଼ିବ । ଏହା ହେଉଚି ‘ଟ୍ରମ୍ପ୍‍-ସଫଳତା’ ।”

ଏହି ମନ୍ତବ୍ୟଟିର ସତ୍ୟତା କେତେ, ତାହା ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‍ଙ୍କ ସୁଦୀର୍ଘ ନିର୍ବାଚନ ପ୍ରଚାର ଅଭିଯାନକୁ ଅନୁଧ୍ୟାନ କଲେ ବୁଝିହୋଇଯାଏ ଅନାୟାସରେ, ଯେଉଁଥିରେ ସତ୍ୟ/ତଥ୍ୟ ଅପେକ୍ଷା ଅସତ୍ୟ/ମିଥ୍ୟା ହିଁ ସ୍ଥାନ ପାଇଥିଲା ସର୍ବାଧିକ । ଦି ୱାଶିଂଟନ ପୋଷ୍ଟ୍‍ ବିଧିବଦ୍ଧଭାବେ ଏକ ତାଲିକା ପ୍ରସ୍ତୁତ କରି କହିଥିଲା ଯେ ଟ୍ରମ୍ପ୍‍ ୬୪ ଶତାଂଶ ରଖିଥିଲେ ଅସତ୍ୟ ଓ ଅର୍ଦ୍ଧସତ୍ୟ ମତମନ୍ତବ୍ୟ । ଲକ୍ଷ୍ୟଣୀୟ ଯେ ସେ ଆମେରିକୀୟ ଭୋଟରଙ୍କୁ ପ୍ରଲୁବ୍ଧ କରିବା ପାଇଁ ଠିକ୍‍ ଭାରତର ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ପରି ଖବରକାଗଜ, ଟେଲିଭିଜନ, ରେଡିଓ ଆଦି ମୁଖ୍ୟଧାରାର ଗଣମାଧ୍ୟମ ଅପେକ୍ଷା ଫେସ୍‍ବୁକ୍‍/ଟୁଇଟର୍‍ ଭଳି ସୋସିଆଲ୍‍ ମିଡିଆକୁ  କରିଥିଲେ ବେଶି ଉପଯୋଗ । ଅବଶ୍ୟ ମୋଦି ଓ ଟ୍ରମ୍ପ୍‍ ଅଭିଯାନର ଗୋଟିଏ ଉଲ୍ଲେଖନୀୟ ପାର୍ଥକ୍ୟ ଏଇଆ ଯେ ଭାରତର ଅଳ୍ପ କେତେକ ଖବର ସଂସ୍ଥାକୁ ଛାଡ଼ିଦେଲେ ପ୍ରାୟ ଅଧିକାଂଶ ଥିଲେ ମୋଦିଙ୍କ ବଚସ୍କର; ମାତ୍ର ଟ୍ରମ୍ପ୍‍ଙ୍କୁ ସେଠାକାର ମୁଖ୍ୟଧାରାର ଗଣମାଧ୍ୟମ ଏକପ୍ରକାର ଏକଘରିଆ ବ୍ୟବହାର କରିଆସୁଥିଲେ ଶେଷ ପର୍ଯ୍ୟନ୍ତ । ଏହା ତାଙ୍କ ପାଇଁ ଅଭିଶାପ  ନୁହେଁ, ସାବ୍ୟସ୍ତ ହେଲା ବରଦାନ । ଅନ୍ୟ ଅର୍ଥରେ କହିଲେ ବାଟ ହୁଡ଼ିଲା ଆମେରିକୀୟ ଗଣମାଧ୍ୟମ । ଏହି ଦୃଷ୍ଟିରୁ ଟ୍ରମ୍ପ୍‍ଙ୍କୁ ସତେଯେମିତି ସତ୍ୟୋତ୍ତର ଯୁଗର ନାୟକ କହିଲେ ହେବନାହିଁ ଅତ୍ୟୁକ୍ତି । ଅବଶ୍ୟ ନରେନ୍ଦ୍ର ମୋଦି, ରୁଷିଆର ଭ୍ଲାଦିମିର ପୁତିନ୍‍, ଫ୍ରାନ୍ସର ଫ୍ରାଙ୍କୋଇସ୍‍ ଫିଲନ ମଧ୍ୟ ଆଦୌ କମ୍‍ ନୁହନ୍ତି! ଏମାନେ ବି ସୋସିଆଲ ମିଡିଆକୁ ଅସ୍ତ୍ର କରି ଜନତାଙ୍କୁ କମ୍‍ ଭକୁଆ ବନାଇନାହାନ୍ତି!!

ସୋସିଆଲ ମିଡିଆର ମୂଳ ଓ ବଡ଼ ସମସ୍ୟା ହେଉଚି ଏହାର ଏକଦେଶଦର୍ଶିତା; ଅର୍ଥାତ ଏଥିରେ ଯେଉଁ ସୂଚନା/ତଥ୍ୟ/ମନ୍ତବ୍ୟ ଆସେ ତାହା ଏକପାଖିଆ ହେବାକୁ ବାଧ୍ୟ । ସେଥିରେ ବିପରୀତ ମତମନ୍ତବ୍ୟ ପାଇଁ ଆଦୌ ସ୍ଥାନ/ସମୟ/ସୁଯୋଗ ନାହିଁ; ଅଥଚ ପାରମ୍ପରିକ ଗଣମାଧ୍ୟମର ତାହା ହିଁ ସବୁଠୁ ବଡ଼ ଶକ୍ତି ଯେ ଗୋଟିଏ ଖବରରେ ମତ ଓ ମତାନ୍ତର ଉଭୟ ରହିପାରେ ଏବଂ ରହିବା ଜରୁରୀ । ବିପରୀତ ମତମନ୍ତବ୍ୟ ବିନା କୌଣସି ଖବରକୁ ନିଷ୍ପକ୍ଷ ବୋଲି ଧରିନେବା ଅଭ୍ରାନ୍ତ ନୁହେଁ ଆଦୌ । ଏହି କାରଣରୁ ହିଁ ସମଗ୍ର ବିଶ୍ୱରେ ଟ୍ରମ୍ପ୍‍ଙ୍କ ସମେତ ଅନ୍ୟ ଦକ୍ଷିଣପନ୍ଥୀ ନେତାମାନେ ଏବେ ପାରମ୍ପରିକ ମିଡିଆକୁ ଛାଡ଼ି ସୋସିଆଲ୍‍ ମିଡିଆକୁ କରିଚନ୍ତି ଆୟୁଧ । ସବୁଠୁ ବଡ଼ ବିପଦ ହେଉଚି ମିଥ୍ୟା/କପୋଳକଳ୍ପିତ ଖବର ସମ୍ବଳିତ ୱେବ୍‍ସାଇଟ୍‍ଗୁଡ଼ିକର ସଂଖ୍ୟା ବଢ଼ିଚାଲିଚି ଦିନୁଦିନ ଓ ସେଗୁଡ଼ିକ ଫେସ୍‍ବୁକ୍‍, ଟ୍ୱିଟର ଆଦି ଜରିଆରେ ଆଖିପିଛୁଳାକେ କୋଟିକୋଟି ଲୋକଙ୍କ ପାଖରେ ପହଞ୍ଚିଯାଉଚି ଅନୁକ୍ଷଣ । ସତ୍ୟ ଏବଂ ମିଥ୍ୟା ସୂଚନା/ତଥ୍ୟ/ଖବର ମଧ୍ୟରେ ଥିବା ପାର୍ଥକ୍ୟକୁ ଚିହ୍ନିବା ଗଣଙ୍କ ପକ୍ଷେ ସହଜ ହେଉନାହିଁ ମୋଟେ । ଖବରଟିଏ ମିଥ୍ୟା ହୋଇଥିଲେ ବି ତା’ର ପ୍ରଭାବ (ଭୟଙ୍କର ହୋଇଥିବା ସତ୍ବେ) ଯେ ଅପ୍ରତିହତ, ଏହା ଅନସ୍ୱୀକାର୍ଯ୍ୟ । ୟା’ର ସବୁଠୁ ବଡ଼ ଉଦାହରଣ ଦେଖିବାକୁ ମିଳିଚି ନିକଟ ଅତୀତରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ମହମ୍ମଦ ଆସିଫ୍‍ଙ୍କ ପାଖରେ । ସେ ଇସ୍ରାଏଲକୁ ପ୍ରତିଶୋଧମୂଳକ ପରମାଣୁ ଆକ୍ରମଣ କରିବାକୁ ଧମକ ଦେବାକୁ ପଛାଇନାହାନ୍ତି ଏଇଥିପାଇଁ ଯେ ଯଦି ସିରିଆକୁ ପାକିସ୍ତାନ ସୈନିକ ପଠାଏ, ତେବେ ତା’ ବିରୋଧରେ ପରମାଣୁ ଆକ୍ରମଣ କରାଯିବ ବୋଲି ଇସ୍ରାଏଲବାସୀ କହିଥିବା ଏକ ଖବର ପାଇଥିଲେ ମନ୍ତ୍ରୀ ଆସିଫ୍‍; ଯାହାକି ସମ୍ପୂର୍ଣ୍ଣ ଭାବେ ଥିଲା କପୋଳକଳ୍ପିତ! ଆମ ଦେଶରେ ନିକଟରେ ସୋସିଆଲ ମିଡିଆରେ ଏହିପରି ଏକ ମିଥ୍ୟା ଖବର  ପ୍ରସାରିତ ହେଲା ଯେ ନୂଆ ଦୁଇ ହଜାର ଟଙ୍କିଆ ନୋଟ୍‍ରେ  ଲାଗିଚି ଜିପିଏସ୍‍ଯୁକ୍ତ ଚିପ୍‍ (ସମଗ୍ର ବିମୁଦ୍ରାୟନ ହିଁ ସତ୍ୟୋତ୍ତରର ଏକ ଉକ୍ରୃଷ୍ଟ ଉଦାହରଣ) । ବିଡ଼ମ୍ବନାର ବିଷୟ, ତଥାକଥିତ ‘ଜାତୀୟ’ ଗଣମାଧ୍ୟମ ବୋଲାଉଥିବା କେତେକ ପ୍ରମୁଖ ହିନ୍ଦୀ ନିଉଜ୍‍ ଚ୍ୟାନେଲ ମଧ୍ୟ ଏହାର ସତ୍ୟତା ଅନୁସନ୍ଧାନ ନ କରି ତା’ ଉପରେ କେବଳ ଖବର ନୁହେଁ, ତର୍କବିତର୍କର ମଧ୍ୟ କରିପକାଇଲେ ଭବ୍ୟ ଆୟୋଜନ । ସବୁଠୁ ବିପଜ୍ଜନକ କଥା ହେଉଚି ସତ୍ୟୋତ୍ତର କାଳରେ ଜାଣିଶୁଣି ନିଜର ସ୍ୱାର୍ଥସାଧନ ପାଇଁ କିମ୍ବା ଅନ୍ୟକୁ ବିଭ୍ରାନ୍ତ କରିବା ଲାଗି ଏଭଳି ମନଗଢ଼ା ସମ୍ବାଦ/ମତମନ୍ତବ୍ୟ ଛାଡ଼ିଦିଆଯାଉଚି ସୋସିଆଲ ମିଡିଆରେ, ଯାହାକୁ ବି ‘ତକ୍ରାଳ ସମ୍ବାଦଲୋଭୀ’ ଲୋକେ ଧରିନଉଚନ୍ତି ସତ୍ୟ/ନିଷ୍ପକ୍ଷ । ଅଧିକାଂଶ ତ ପୂରା ନ ପଢ଼ୁଣୁ/ନ ବୁଝୁଣୁ କରୁଚନ୍ତି ଶେୟାର୍‍/ଫର୍‍ୱାର୍ଡ/ରିଟୁଇଟ୍‍! ଏଇ ମାର୍ଗରେ ଇଣ୍ଟରନେଟ୍‍ ସଂଯୋଗ ଓ ସୋସିଆଲ ମିଡିଆରେ ଖାତା ରହିଥିବା ପ୍ରତ୍ୟେକ ବ୍ୟକ୍ତି ଏବେ ପାଲଟିଯାଉଚନ୍ତି ଖବର ସୃଷ୍ଟିକାରୀ/ ପ୍ରଚାରପ୍ରସାରକାରୀ!

ଫେସ୍‍ବୁକ୍‍ ଭଳି ସୋସିଆଲ ମିଡିଆ ମିଥ୍ୟା/ନିରାଧାର/ଅମୂଳକ ସମ୍ବାଦ ପ୍ରଚାରପ୍ରସାର ପାଇଁ ବେଶି ଦାୟୀ, କାରଣ ମୁହୂର୍ତ୍ତକ ମଧ୍ୟରେ କୋଟିକୋଟି ଲୋକଙ୍କ ପାଖରେ ଏସବୁ ପହଞ୍ଚିଯାଉଚି ନିରଙ୍କୁଶ । ଫେସ୍‍ବୁକ୍‍ ଅବଶ୍ୟ ଇତିମଧ୍ୟରେ କେତେକ ଖବର ଉପରେ  ଲଗାଉଚି ‘ସଂଶୟସୂଚକ ପତାକା’ ସଙ୍କେତ; ମାତ୍ର ଏହା ଯେ ମିଥ୍ୟା ସମ୍ବାଦ ପ୍ରଚାରପ୍ରସାରରେ ଲଗାଇପାରିବ ଅଙ୍କୁଶ, ସେଇ ଆଶା ବୃଥା । ତେଣୁ ୟୁରୋପୀୟ ଦେଶଗୁଡ଼ିକ ଏବେ ଏ ଦୃଷ୍ଟିରୁ ହେଲେଣି ବେଶ୍‍ ସଚେତନ । ଯଦି ଫେସ୍‍ବୁକ୍‍ରେ ମିଥ୍ୟା ସମ୍ବାଦ ପ୍ରସାରଣ ଧରାପଡେ଼, ଜର୍ମାନୀ ପାଞ୍ଚ ଲକ୍ଷ ପାଉଣ୍ଡ୍‍ ଜୋରିମାନା କରିବ ବୋଲି ସ୍ଥିର କରିଚି ଓ ଇଟାଲି ସରକାରଙ୍କ ସୂଚନା ବିଭାଗ ସମସ୍ତ ୟୁରୋପୀୟ ଦେଶକୁ ମିଛ ଖବର ଚିହ୍ନଟ ଓ ତା’ର ସୃଷ୍ଟିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ସଂସ୍ଥା ଗଢ଼ିବାକୁ ଦେଇଚି ପରାମର୍ଶ । ମନେହେଉଚି, ବର୍ତ୍ତମାନ ସମୟରେ ଏହା ଖୁବ୍‍ ଜରୁରୀ; ମାତ୍ର ଏହାଦ୍ୱାରା ପ୍ରକୃତ ସମ୍ବାଦ/ ନିରପେକ୍ଷ ମତମନ୍ତବ୍ୟର ଯେମିତି ତଣ୍ଟି ଚିପି ନହୁଏ, ତାହା ନିଶ୍ଚିତ କରିବା ସର୍ବାଧିକ ମହତ୍ତ୍ୱପୂର୍ଣ୍ଣ ।

ସତ୍ୟ ସ୍ଥାନରେ ମିଥ୍ୟା, ନିଷ୍କପଟତା ବଦଳରେ ଆବେଗ, ବାସ୍ତବ ତଥ୍ୟ ଓ ନିଷ୍ପକ୍ଷ ମନ୍ତବ୍ୟ ପରିବର୍ତ୍ତେ ବ୍ୟକ୍ତିଗତ ଏକପାଖିଆ ବିଶ୍ଳେଷଣ ସତ୍ୟୋତ୍ତର ଯୁଗର ପ୍ରଧାନ ଉପାଦାନ । ସତ୍ୟୋତ୍ତର ରାଜନୀତି ପାଇଁ ମଧ୍ୟ ଏସବୁ ଜରୁରୀ, ଯାହାକୁ ଟ୍ରମ୍ପ୍‍/ମୋଦି/ପୁତିନ ଭଳି ଚତୁର (ବିଶେଷତଃ ଦକ୍ଷିଣପନ୍ଥୀ!) ନେତୃବୃନ୍ଦ ପ୍ରୟୋଗ କରୁଚନ୍ତି ଆପଣାର ସ୍ୱାର୍ଥସାଧନ ପାଇଁ ଅକୁଣ୍ଠିତ । ଗଣ ଏଇଠି ନିଃବୋଧ/ନିଃସହାୟ/ନିଃସ୍ୱର ହେବାକୁ ବାଧ୍ୟ, କାହିଁକିନା ବିଶ୍ୱର ବହୁଳାଂଶ ଗଣମାଧ୍ୟମ (ଖବରକାଗଜ/ନିଉଜ୍‍ ଚ୍ୟାନେଲ) ଏବେ ପାଲଟିଚନ୍ତି ୟା’ଙ୍କ ବଶମ୍ବଦ; ଜୁକର୍‍ବର୍ଗ (ଫେସ୍‍ବୁକ୍‍ ମାଲିକ) ଓ କୋର୍‍ଦେସ୍ତାନି (ଟ୍ୱିଟର୍‍ ଅଧ୍ୟକ୍ଷ) ତ ଯୋଗାଇ ଦେଇଚନ୍ତି ବିନା ପଇସାରେ ସୋସିଆଲ୍‍ ମିଡିଆର ଶକ୍ତିଶାଳୀ ଆୟୁଧ, ଯେଉଁଠି ‘ଆଖି ନାହିଁ କାନ ନାହିଁ, ବାଜିଗଲେ ଦୋଷ ନାହିଁ’ର ଅନ୍ଧଖେଳ ଖେଳିବା ଖୁବ୍‍ ସହଜ ।
ଅତଏବ ଏକ ମିଥ୍ୟା ଖବର/ଗପ/ଗୁଜବ ସଂକ୍ରମିତ ପୃଥିବୀରେ ଗଣ ପାଇଁ ନିଷ୍ପକ୍ଷ/ସାହସୀ/ସତ୍ୟବାଦୀ ଗଣମାଧ୍ୟମର ଭୂମିକା ପୂର୍ବାପେକ୍ଷା ହୋଇପଡ଼ିଚି ଅଧିକ ଆବଶ୍ୟକ/ପ୍ରାସଙ୍ଗିକ । ଆମେରିକା ପରି ସାମ୍ବାଦିକତାକୁ ସୋସିଆଲ୍‍ ମିଡିଆ ବ୍ୟବହାରକାରୀ ବା ବ୍ଲଗର୍‍ଙ୍କ ହାତରେ ଛାଡ଼ିଦେବା ଭଳି ଭୁଲ୍‍ ଯେମିତି ଆମେ ନ କରୁ! ନିଉଜ୍‍ରୁମ୍‍ରେ ଉତ୍ତର-ସତ୍ୟର ନାୟକ ଟ୍ରମ୍ପ୍‍/ମୋଦି/ପୁତିନଙ୍କ ଅନୁସରଣକାରୀ (ଫଲୋଅର)ଙ୍କ ସଂଖ୍ୟାବୃଦ୍ଧି ସାମ୍ପ୍ରତିକ ସମୟର ସବୁଠୁ ବଡ଼ ବିଡ଼ମ୍ବନା । ତଥାପି, ଏକ ସର୍ବମୟ ଡିଜିଟାଲ ଯୁଗ (ସତ୍ୟୋତ୍ତର)ରେ ପ୍ରବେଶ କଲାବେଳେ ଗୁଟେନବର୍ଗ (ପ୍ରିଣ୍ଟିଂ ପ୍ରେସ୍‍ର ଜର୍ମାନ ଉଦ୍ଭାବକ)ଙ୍କ ପରବର୍ତ୍ତୀ ପାଞ୍ଚ ଶହ ବର୍ଷର ସତ୍ୟସନ୍ଧ କାଳ ଓ ସତ୍ୟସନ୍ଧାନୀମାନଙ୍କୁ ଅବଶ୍ୟ ମନେ ପକାଇବା ଓ ଆମେ ବି ସେହି ବ୍ରତରେ ବ୍ରତୀ ହେବା ।

(୧୫ ଜାନୁୟାରୀ ୨୦୧୭ରେ "ସମାଜ"ର "ଚତୁର୍ଥ ସ୍ତମ୍ଭ" ସ୍ତମ୍ଭରେ ପ୍ରକାଶିତ)
Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.