ଭାରତମାତା: ଇତିହାସ-ସାହିତ୍ୟ-ସଂସ୍କୃତି

Leave a Comment
ଅବନୀନ୍ଦ୍ରନାଥ ଠାକୁରଙ୍କ "ଭାରତମାତା" ଚିତ୍ର


‘ଭାରତମାତା କୀ ଜୟ’ ସ୍ଲୋଗାନଟି ପରାଧୀନ ଭାରତବର୍ଷର ଏକ ପ୍ରାତଃସ୍ମରଣୀୟ ମନ୍ତ୍ର ହୋଇଯାଇଥିଲା, କାହିଁକିନା ତାହା ତାକୁ ବ୍ରିଟିଶ ସରକାରଙ୍କ ସହ ଲଢ଼ିବା ପାଇଁ ଯୋଗାଉଥିଲା ଶକ୍ତି ଏବଂ ନିଜର ଏକ ଭୂଖଣ୍ଡକୁ ଚିହ୍ନଟ କରି ସାରା ପୃଥିବୀକୁ ଜଣାଇଦେବା ଥିଲା ତକ୍ରାଳୀନ ଆବଶ୍ୟକତା; ମାତ୍ର ଜାତୀୟତାବାଦର ଏହି ମନ୍ତ୍ରଟି କାଳକ୍ରମେ ଏକ ଧାର୍ମିକ ପ୍ରତୀକ ଭାବେ ବ୍ୟବହାର ହେବା ଫଳରେ ସୃଷ୍ଟି ହୋଇଚି ଯାବତୀୟ ବିଭ୍ରାଟ । ଜାଣିବା ଆବଶ୍ୟକ ଯେ ସ୍ଲୋଗାନଟି ସୃଷ୍ଟି ହେବା ପୂର୍ବରୁ ‘ଭାରତମାତା’ର ସ୍ୱରୂପକୁ ଭାରତୀୟ କବି, ଲେଖକ, ଚିତ୍ରଶିଳ୍ପୀ ଆଦି ସ୍ରଷ୍ଟାମାନେ ବିଭିନ୍ନ ରୂପରେ ଦର୍ଶାଇଚନ୍ତି, ଯାହାର ଆକଳନ କରିବା ସାଂପ୍ରତିକ ପରିପ୍ରେକ୍ଷୀରେ ମନେହୁଏ ପ୍ରାସଙ୍ଗିକ ।

ଭାରତର ସାଂସ୍କୃତିକ ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ସର୍ବପ୍ରଥମେ ଭାରତମାତାର ମୂଳସ୍ୱରୂପଟି ଭୂଦେବ ମୁଖୋପାଧ୍ୟାୟଙ୍କ ଦ୍ୱାରା ୧୮୬୬ରେ ରଚିତ ‘ଊନବିଂଶ ପୁରାଣ’ ନାମକ ଏକ ବ୍ୟଙ୍ଗାତ୍ମକ ରଚନାରେ ପରିଦୃଷ୍ଟ ହୁଏ । ଏଥିରେ ‘ଭାରତମାତା’କୁ ‘ଅଧି-ଭାରତୀ’ର ଆଖ୍ୟା ଦିଆଯାଇଛି । ପରେ ୧୮୭୩ ମସିହାରେ ନାଟକ ‘ଭାରତମାତା’ରେ କିରଣଚନ୍ଦ୍ର ବନେ୍ଦାପାଧ୍ୟାୟ ଭାରତମାତାର ସ୍ୱରୂପକୁ ଚିତ୍ରଣ କରିଥିଲେ, ଯାହା ପ୍ରାରମ୍ଭିକ ପର୍ଯ୍ୟାୟରେ ଦର୍ଶକଙ୍କ ମନରେ ଜାତୀୟତାବାଦ ସୃଷ୍ଟି କରିଥିବା କୁହାଯାଏ । ତେବେ ଏ କ୍ଷେତ୍ରରେ ମାଇଲ୍‌ଖୁଣ୍ଟ ସ୍ଥାପନ କଲାଭଳି ସୃଷ୍ଟି ଥିଲା ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ‘ଆନନ୍ଦମଠ’, ଯେଉଁଥିରେ ଭାରତମାତାର ସ୍ୱରୂପକୁ ତିନିଟି ଦେବୀ ରୂପରେ ଦର୍ଶାଯାଇଛି (୧୮୮୨ରେ ବଙ୍ଗଳା ଓ ସଂସ୍କୃତ ଭାଷାରେ ରଚିତ ଏହି ଉପନ୍ୟାସର ମାତୃଭୂମି ବନ୍ଦନା ‘ବନେ୍ଦ ମାତରଂ’ ସ୍ୱାଧୀନତା ସଂଗ୍ରାମର ମନ୍ତ୍ର ହେବା ସହ ପରେ ଜାତୀୟ ଗୀତ (ପ୍ରଥମ ଦୁଇଟି ପଦ) ହେଲା); ସେଗୁଡ଼ିକ ହେଲା ଜଗଦ୍ଧାତ୍ରୀ, କାଳୀ ଓ ଦୁର୍ଗା । ଏହାର ଦୁଇ ଦଶକ ପରେ ୧୯୦୫ ମସିହାରେ ଭାରତର ଆଧୁନିକ କଳା ଇତିହାସରେ ସର୍ବପ୍ରଥମେ ଭାରତମାତାର ସ୍ୱରୂପକୁ ବଙ୍ଗ ନବଜାଗରଣ (ରେନେସାଁ) ସମୟରେ ଚିତ୍ରଣ କଲେ ଧୂରୀଣ ଶିଳ୍ପୀ ଅବନୀନ୍ଦ୍ରନାଥ ଠାକୁର (ରବୀନ୍ଦ୍ରନାଥ ତାଙ୍କର ସମ୍ପର୍କୀୟ ଜେଜେ) । ସେ ମଧ୍ୟ ବଙ୍କିମଙ୍କ ପରି ‘ଭାରତମାତା’କୁ ଜଣେ ଦେବୀ (ଲକ୍ଷ୍ମୀ) ରୂପରେ ଚିତ୍ରଣ କଲେ । ତାଙ୍କ ‘ଭାରତମାତା’ ଗୈରିକବସ୍ତ୍ର ପରିହିତା, ଶାନ୍ତ ମୁଖମଣ୍ଡଳ, ଚତୁଃହସ୍ତବିଶିଷ୍ଟା ଜଣେ ମହିଳା, ଯାହାଙ୍କ ମସ୍ତକ ଚାରିପାଖେ ଏକ ଶୁଭ୍ର ପ୍ରଭାମଣ୍ଡଳ । ଚାରିଟି ହାତରେ ସେ ପୋଥି, ମାଳି, ଧାନଗଛ ଓ ବସ୍ତ୍ର ଧରିଥିବାରୁ ସିଷ୍ଟର ନିବେଦିତା ତାକୁ ‘ଶିକ୍ଷା-ଦୀକ୍ଷା-ଅନ୍ନ-ବସ୍ତ୍ର’ ବୋଲି ଅଭିହିତ କରିଛନ୍ତି (ଦ୍ରଷ୍ଟବ୍ୟ: ଦ କମ୍ପ୍ଲିଟ୍‌ ୱାର୍କସ ଅଫ୍‌ ସିଷ୍ଟର ନିବେଦିତା; ପୃ: ୫୮) । ଉଲ୍ଲେଖଯୋଗ୍ୟ, ‘ଭାରତମାତା’ ଚିତ୍ର ଆଙ୍କିଥିବା ଆଉ ଜଣେ ବିଶିଷ୍ଟ ଚିତ୍ରଶିଳ୍ପୀ ହେଲେ ଏମ୍‌.ଏଫ୍‌. ହୁସେନ, ଯାହାକୁ କରିଦିଆଯାଇଥିଲା ନିଷିଦ୍ଧ (ଜୀବନର ଶେଷପର୍ଯ୍ୟନ୍ତ ତାଙ୍କୁ ବିଦେଶରେ ନିର୍ବାସିତ ଜୀବନ ବିତାଇବାକୁ ପଡ଼ିଥିଲା) ।

ଦେଶକୁ ମାତା ଭାବରେ କରାଯାଉଥିବା ଏ ପରିକଳ୍ପନାକୁ ନେଇ ସେଇ ୧୯୦୫ ମସିହାରେ ବିପ୍ଳବୀ ଅରବିନ୍ଦ ଘୋଷ ପତ୍ନୀ ମୃଣାଳିନୀ ଦେବୀଙ୍କୁ ଏକ ପତ୍ରରେ ଲେଖିଥିଲେ, “ମୁଁ ମୋ ଦେଶକୁ ମାତା ରୂପରେ ଦେଖୁଚି । ମୁଁ ତାକୁ ମାଆ ଭାବେ ପୂଜା କରୁଚି । ଜଣେ ରାକ୍ଷସ ତା’ ମାଆ ଥନରେ ବସି ରକ୍ତ ଶୋଷିଲେ ତା’ ପୁଅ କ’ଣ କରିବ?” ଏହି ଚିଠିଟିକୁ ଅଲିପୁର୍‌ ବୋମା ବିସ୍ଫୋରଣ ମାମଲାରେ ଅରବିନ୍ଦଙ୍କ ବିରୋଧରେ ପ୍ରମାଣ ସ୍ୱରୂପ ଉପସ୍ଥାପନ କରାଯାଇଥିଲା । ସେ ଯାହାହେଉ, ଲକ୍ଷ୍ୟଣୀୟ ବିଷୟ ହେଉଚି ‘ଭାରତମାତା’ର ସ୍ୱରୂପ ଆଙ୍କିବାରେ ବଂଗୀୟ ସ୍ରଷ୍ଟାମାନେ ପ୍ରଥମ ହୋଇଥିବାରୁ ସେଥିରେ ଦୁର୍ଗା ଓ କାଳୀ ଭଳି ସେମାନଙ୍କ ଗୃହଦେବୀଙ୍କ ରୂପ ସ୍ଥାନ ପାଇଥିବା ସ୍ପଷ୍ଟ । ତେଣୁ ସେମାନଙ୍କର ‘ଭାରତମାତା’ ପ୍ରକୃତରେ ‘ବଂଗମାତା’ ବୋଲି କହନ୍ତି ଅନେକ ଐତିହାସିକ । ‘ବନେ୍ଦ ମାତରଂ’ରେ ବଙ୍କିମ କେବଳ ‘ସପ୍ତକୋଟି’ ଶବ୍ଦ ଉଲ୍ଲେଖ କରିଚନ୍ତି, ଯାହା ବଙ୍ଗର ସାତକୋଟି ଲୋକଙ୍କୁ ବୁଝାଏ । ବଙ୍ଗ ବିଭାଜନର ପନ୍ଦରବର୍ଷ ପରେ, ୧୯୨୦ ଅଗଷ୍ଟରେ ଅରବିନ୍ଦ ‘ବନେ୍ଦ ମାତରଂ’ ସ୍ଲୋଗାନର ସୀମା ସମ୍ପର୍କରେ ସଚେତନ କରାଇବା ସହ ଅନ୍ୟ ଏକ ଉତ୍ତମ ସ୍ଲୋଗାନ ସୃଷ୍ଟି ପାଇଁ ଦେଇଥିଲେ ଆହ୍ୱାନ । ସେ ଲେଖିଥିଲେ, “ଆମେ ଆମର ହୃଦୟ ଓ ଆତ୍ମାର ସହ ବନେ୍ଦ ମାତରଂ ମନ୍ତ୍ରଟିକୁ ବ୍ୟବହାର କରୁଛୁ...କିନ୍ତୁ ମନ୍ତ୍ରଟିର ମୂଳ ଉଦେ୍ଦଶ୍ୟ ବୁଡ଼ିଯିବାକୁ ବସିଚି ଓ ଦେଶରେ ଏହା ଗୁରୁତ୍ୱ ହରାଇ ବିବର୍ଣ୍ଣ ହେବାକୁ ଆରମ୍ଭ କରିଚି । ତା’ କାମ ସଂପୂର୍ଣ୍ଣ ହୋଇସାରିଥିବାରୁ ଈଶ୍ୱର ଏହା କରିଛନ୍ତି । ବନେ୍ଦ ମାତରଂଠାରୁ ଆହୁରି ଅଧିକ ଶକ୍ତିଶାଳୀ ମନ୍ତ୍ରଟିଏ ଲୋଡ଼ା । ଭାରତୀୟଙ୍କୁ ଜଗାଇବା ପାଇଁ ବଙ୍କିମ ଏକମାତ୍ର ଦ୍ରଷ୍ଟାପୁରୁଷ ନୁହନ୍ତି । ସେ କେବଳ ଆରମ୍ଭ କରିଛନ୍ତି, ଅନ୍ତଃ ଗୋପନ ଉପାସନାର ସୂତ୍ର ଓ ବିଧି ବତାଇନାହାନ୍ତି । ଯାହା ନିଜ ଭିତରେ ଝଙ୍କୃତ ହୁଏ, ତାହା ହିଁ ସର୍ବଶ୍ରେଷ୍ଠ ମନ୍ତ୍ର ।” ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଚି ଯେ ତାଙ୍କ ପରିକଳ୍ପିତ ‘ଭାରତମାତା’ର ଉପାସନା ପାଇଁ ‘ବନେ୍ଦ ମାତରଂ’ ବନ୍ଦନା ଉପଯୁକ୍ତ ନୁହେଁ ବୋଲି ଅରବିନ୍ଦ ଭାବୁଥିଲେ । ତେବେ ଦାସତ୍ୱର ବେଡିରେ ବନ୍ଧା ହୋଇଥିବା ଏକ ଦେଶର ଜନଗଣଙ୍କୁ ନୂତନ ଉଦ୍ଦୀପନାରେ ଭରିଦେବାରେ ‘ବନେ୍ଦ ମାତରଂ’ର ଭୂମିକା ଅତୁଳନୀୟ, ସେଥିରେ ସନେ୍ଦହ ନାହିଁ । 

‘ଭାରତମାତା’ ପ୍ରତି ଅରବିନ୍ଦଙ୍କର ଏକ ସ୍ୱତନ୍ତ୍ର ଦୃଷ୍ଟିକୋଣ ମଧ୍ୟ ଉଲ୍ଲେଖନୀୟ, ଯାହା ଚେତାବନୀପୂର୍ଣ୍ଣ । ୧୯୨୦ରେ ସେ ଲେଖିଥିଲେ, “...ଆମେ କଂଗ୍ରେସରେ କୃତ୍ରିମ ଭାବେ ନିର୍ମିତ ଯେଉଁ ‘ଭାରତାମାତା’କୁ ପୂଜା କରୁଛୁ, ତାହା ବ୍ରିଟିଶ ଲୋକଙ୍କ ସାଥୀ ଓ ପ୍ରିୟ, ଆମର ମାତା ନୁହେଁ...ଆମେ ଯେଉଁଦିନ ଆମର ମାତୃରୂପର ଅବିଭାଜିତ ଦୃଶ୍ୟ ଦେଖିବା, ସେତେବେଳେ ହିଁ ଭାରତର ସ୍ୱାଧୀନତା, ମୈତ୍ରୀ ଓ ପ୍ରଗତି ସମ୍ଭବ ହେବ” । ସେ ଆହୁରି ଚେତାଇ ଦେଇଥିଲେ, “ଯଦି ଆମେ ହିନ୍ଦୁ ରାଷ୍ଟ୍ରବାଦ ପ୍ରତିଷ୍ଠା ପାଇଁ ମାତା ସ୍ୱରୂପର ପରିକଳ୍ପନା କରିବା, ତେବେ ତାହା ଏକ ବିରାଟ ଭୁଲ୍‌ ହେବ ଓ ଆମେ ସଂପୂର୍ଣ୍ଣ ଜାତୀୟତାରୁ ବଞ୍ଚିତ ହେବା ।” ପରବର୍ତ୍ତୀ କାଳରେ ଠିକ୍‌ ତାହା ଦେଖିବାକୁ ମିଳିଲା ଓ ‘ଭାରତାମାତା’ର ରୂପ ଶୁଭ୍ରବସନା ଦେବୀ, ସିଂହବାହନ ସହ ଅଭୟ ମୁଦ୍ରାରେ ଠିଆ ହୋଇ ହାତରେ ଗୈରିକ ପତାକା (କେତେକ ପ୍ରତିମାରେ ଜାତୀୟ ପତାକା) ଧରିଥିବା ଦେଖାଗଲା । ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଲେଖିଲେ, “ଭାରତମାତା ଆମ ରାଷ୍ଟ୍ରବାଦର ଭିତ୍ତିଭୂମି । ମାତାକୁ ହଟାଇଦେଲେ ଭାରତ କେବଳ ଏକ ଭୂଖଣ୍ଡରେ ପରିଣତ ହୋଇଯିବ ।” ଭାରତର ଦୁଇଟି ମନ୍ଦିରମାଳିନୀ ତୀର୍ଥସ୍ଥଳୀରେ ଦୁଇଟି ଭାରତମାତା ମନ୍ଦିର ମଧ୍ୟ ଅବସ୍ଥିତ, ଯାହାର ପୃଷ୍ଠଭୂମି ଅବଶ୍ୟ ଭିନ୍ନଭିନ୍ନ । ଅସହଯୋଗ ଆନେ୍ଦାଳନ ସମୟରେ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ସ୍ୱାଧୀନତା ସଂଗ୍ରାମୀ ଶିବପ୍ରସାଦ ଗୁପ୍ତ ଓ ସ୍ଥପତି ଦୁର୍ଗାପ୍ରସାଦ ଖତ୍ରୀ ୧୯୩୬ରେ  ବାରାଣସୀର ଭାରତମାତା ମନ୍ଦିର ନିର୍ମାଣ କରିଥିଲେ, ଯାହାକୁ ଉଦ୍‌ଘାଟନ କରିଥିଲେ ଖୋଦ୍‌ ମହାତ୍ମା ଗାନ୍ଧି । ଏଥିରେ ଦେବଦେବୀ ବଦଳରେ ସ୍ଥାନ ପାଇଥିଲା ଅଖଣ୍ଡ ଭାରତର ନକ୍ସା । ହରିଦ୍ୱାରରେ ରହିଥିବା ଭାରତମାତା ମନ୍ଦିରରେ କିନ୍ତୁ ପୂଜା ପାଆନ୍ତି ‘ଭାରତମାତା’ ପ୍ରତିମା, ଯାହାକୁ ୧୯୮୩ରେ ପ୍ରତିଷ୍ଠା କରିଥିଲେ ସ୍ୱାମୀ ସତ୍ୟମିତ୍ରାନନ୍ଦ ଗିରି । ମନ୍ଦିରର ଦିଗ୍‌ଦର୍ଶକ ବହିରେ ଲେଖାଯାଇଚି, “ଏହି ମନ୍ଦିର ଭାରତମାତାଙ୍କ ପ୍ରତି ଭକ୍ତିଭାବ ସୃଷ୍ଟି ଉଦେ୍ଦଶ୍ୟରେ ସମର୍ପିତ, ଯାହାକୁ ଐତିହାସିକ ଓ ପୁରାଣବିତ୍‌ମାନେ ଛାଡ଼ିଯାଇଥାଇପାରନ୍ତି ।” ୧୯୫୭ର ‘ମଦରଇଣ୍ଡିଆ’ ଚଳଚ୍ଚିତ୍ର ଭଳି ଲୋକପ୍ରିୟ ଗଣମାଧ୍ୟମରେ ଭାରତମାତାର ଚିତ୍ରଣ ଏକ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ହସ୍ତକ୍ଷେପ, ଯିଏ ଜଣେ ସ୍ୱାଧୀନ ଅଥଚ ଦୁଃଖୀ ମହିଳା ଏବଂ ନ୍ୟାୟ ପାଇଁ ନିଜ ପୁତ୍ରକୁ ହତ୍ୟା କରିବାକୁ ବି ପଛାଏ ନାହିଁ (ଉଲ୍ଲେଖଯୋଗ୍ୟ: ପ୍ରମୁଖ ଚରିତ୍ରରେ ନର୍ଗିସ ଅଭିନୟ କରିଥିବାବେଳେ ନିର୍ଦେଶକ ଥିଲେ ମେହବୁବ୍‌ ଖାଁ; ଉଭୟେ ମୁସଲମାନ) ।

ତେବେ କୌଣସି ଦେଶର ବ୍ୟକ୍ତିତ୍ୱକରଣ ଯେ ପ୍ରମାଦପୂର୍ଣ୍ଣ ହୋଇପାରେ, ତାହା ରବୀନ୍ଦ୍ରନାଥ ଠାକୁର ନିଜର ଏକ କବିତା ‘ଭାରତତୀର୍ଥ’ରେ ଦର୍ଶାଇଚନ୍ତି । ସେ ଭାରତକୁ ଏଭଳି ଏକ ସ୍ଥାନ ଭାବେ ସ୍ୱୀକାର କରିଚନ୍ତି, ଯେଉଁଠିକି ସେ ଆର୍ଯ୍ୟ-ଅନାର୍ଯ୍ୟ, ହିନ୍ଦୁ-ମୁସଲମାନ, ଇଂରେଜ, ଖ୍ରୀଷ୍ଟିଆନ, ଦ୍ରାବିଡ଼, ଚୀନା, ଶକ, ହୁଣ, ପଠାଣ, ମୋଗଲ ସଭିଙ୍କୁ ଆହ୍ୱାନ କରି ଗୋଟିଏ ଶରୀରରେ ପରିଣତ ହେବାକୁ କହିଛନ୍ତି । ସତେଯେମିତି ଭାରତ ସମଗ୍ର ପୃଥିବୀର ମଣିଷଙ୍କୁ ନିଜ କୋଳରେ ସ୍ଥାନ ଦେବ ବୋଲି ସେ କରୁଥିଲେ କଳ୍ପନା । ସେ ଜାତୀୟତାବାଦର କୌଣସି ସଂକୀର୍ଣ୍ଣ ସଂଜ୍ଞାକୁ ଗ୍ରହଣ କରିପାରିନଥିଲେ, ଯାହାକୁ ସେ ତାଙ୍କର ଏକ ପ୍ରସିଦ୍ଧ ଉପନ୍ୟାସ ‘ଘରେବାଇରେ’ (ସତ୍ୟଜିତ୍‌ ରାୟ ଏହାକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିଚନ୍ତି)ର ଏକ ଚରିତ୍ର ନିଖିଳ ମାଧ୍ୟମରେ ଦର୍ଶାଇଚନ୍ତି । ବିମଳା ତା’ ସ୍ୱାମୀ ନିଖିଳ ଉପରେ ଏଇଥିପାଇଁ ଖପ୍ପା ହୋଇଚି ଯେ ସେ ବନେ୍ଦ ମାତରଂ ସ୍ଲୋଗାନ ଦେବାକୁ ମନା କରିଚି; ଭାରତକୁ ଦେବୀ କହି ବନ୍ଦନା କରିବାକୁ ବି ମନା କରିଚି । ସେ ମନେପକାଇଚି ଯେ ତା’ ଶିକ୍ଷକ ତାକୁ କହିଥିଲେ ଦେଶ ଅର୍ଥ ପାଦ ତଳର ମାଟି ନୁହେଁ, ତା’ ଉପରେ ବିଚରଣ କରୁଥିବା ଲୋକ ।

ଠିକ୍‌ ଏଇ ମର୍ମ ଆମେ ଦେଖିବାକୁ ପାଉ ପଣ୍ଡିତ ଜବାହରଲାଲ ନେହେରୁଙ୍କ ‘ଡିସ୍କଭରି ଅଫ୍‌ ଇଣ୍ଡିଆ’ (ଭାରତ ଆବିଷ୍କାର) ପୁସ୍ତକରେ । ସେ ଲେଖିଚନ୍ତି, “କେବେକେବେ ମୁଁ କୌଣସି ସଭାରେ ପହଞ୍ଚିଲେ ‘ଭାରତମାତା କୀ ଜୟ’ ସ୍ଲୋଗାନରେ ମୋର ସ୍ୱାଗତ କରାଯାଏ । ମୁଁ ସାଂଗେସାଂଗେ ପଚାରିବସେ ଯେ ଅନ୍ତତଃ ଏ ସ୍ଲୋଗାନର ଅର୍ଥ ସେମାନଙ୍କ ପାଇଁ କ’ଣ? ସେମାନେ ଯାହାର ଜୟଜୟକାର କରୁଚନ୍ତି, ସେହି ଭାରତମାତା କିଏ? ମୋ ପ୍ରଶ୍ନରେ ସେମାନେ ଆଶ୍ଚର୍ଯ୍ୟ ହୁଅନ୍ତି ଓ ମୋ ମୁହଁକୁ ବଲବଲ କରି ଅନାନ୍ତି । ମୁଁ ପୁଣି ପଚାରେ । ଶେଷରେ (ଏକଦା) ଜଣେ ଯୋଦ୍ଧାଭଳି ଦିଶୁଥିବା ଜାଠ ଲୋକ ଉଠି ଠିଆ ହୋଇ କହେ, ଏହି ଧରଣୀ, ଭାରତର ପ୍ରିୟ ଧରଣୀ ଭାରତମାତା । କେଉଁ ଧରଣୀ, ତା’ ନିଜ ଗାଁର ମାଟି ନା ତା’ ଜିଲା, ରାଜ୍ୟର ଧରଣୀ, ନା ସମଗ୍ର ଭାରତର ଧରଣୀ? ଏହିପରି ଭାବେ ଆମ ଭିତରେ ପ୍ରଶ୍ନୋତ୍ତର ସେ ପର୍ଯ୍ୟନ୍ତ ଚାଲୁରହେ, ଯେ ପର୍ଯ୍ୟନ୍ତ ସେମାନେ ମୋ’ଠୁ ଉତ୍ତର ପାଇବାକୁ ନ ଚାହାନ୍ତି । ମୁଁ ଉତ୍ତର ଦେବାକୁ ଚେଷ୍ଟା କରେ । ଭାରତ ସେହି ସବୁକିଛି, ଯେମିତି ସେମାନେ ଭାବନ୍ତି; କିନ୍ତୁ ତାହା ତା’ଠୁ ବି ବହୁତ ଅଧିକ । ଭାରତର ପାହାଡ଼ପର୍ବତ, ନଦୀ, ଜଙ୍ଗଲ, ଆମକୁ ଭୋଜନ ଦେଉଥିବା ବିସ୍ତୃତ କ୍ଷେତ, ସବୁ ଆମର ପ୍ରିୟ; କିନ୍ତୁ ସର୍ବୋପରି ଆମର ସବୁଠୁ ବେଶି ପ୍ରିୟ ଭାରତର ଲୋକ, ତୁମ ଓ ମୋ ପରି ଲୋକ, ଯେଉଁମାନେ ଏହି ବିଶାଳ ଭୂଖଣ୍ଡର ପ୍ରତ୍ୟେକ ଜାଗାରେ ବାସ କରନ୍ତି । ପ୍ରକୃତରେ ସେହି କୋଟିକୋଟି ଲୋକ ହିଁ ଭାରତମାତା; ଏବଂ ଭାରତମାତାର ବିଜୟର ଅର୍ଥ ପ୍ରକୃତରେ ସେମାନଙ୍କ ବିଜୟ । ଆପଣ ସମସ୍ତେ ଭାରତମାତାର ଅଙ୍ଗ । ମୁଁ ସେମାନଙ୍କୁ କହେ, ବରଂ ଗୋଟିଏ କଥାରେ କହିଲେ ଆପଣ ହିଁ ଭାରତମାତା... ।”

ମନନଯୋଗ୍ୟ ଯେ ‘ଭାରତମାତା’ର ପରିକଳ୍ପନା ପ୍ରାଚୀନ ବା ମଧ୍ୟଯୁଗୀୟ ଭାରତରେ କେବେ ନ ଥିଲା । ଭୂଖଣ୍ଡଟିର ନାମ ସର୍ବପ୍ରଥମେ ‘ଭାରତ’ ବୋଲି ପ୍ରାକୃତରେ ଲିଖିତ ସମ୍ରାଟ ଖାରବେଳଙ୍କ ସମୟର ଶିଳାଲେଖରେ ଦେଖିବାକୁ ମିଳେ ବୋଲି ପ୍ରଖ୍ୟାତ ଐତିହାସିକ ଇର୍‌ଫାନ ହବିବ୍‌ଙ୍କ ମତ । ନିକଟରେ ବିପନଚନ୍ଦ୍ର ସ୍ମୃତି ବ୍ୟାଖ୍ୟାନରେ ଯୋଗଦେଇ ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶକୁ ମାତା ବା ପିତା ଭଳି ମାନବୀୟ ରୂପ ଦେବା ପ୍ରାଚୀନ ଭାରତରେ ନଥିଲା ଏବଂ ଏହା ରାଷ୍ଟ୍ରବାଦର ଉଦ୍ଭବ ସହ ଆରମ୍ଭ ହୋଇଥିବା ୟୁରୋପର ଏକ ଆମଦାନୀ, ଯାହା ବ୍ରିଟେନ, ରୁଷିଆ ଆଦି ଦେଶରେ ଦେଖାଯାଏ । ହିନ୍ଦୁଙ୍କ ସଙ୍କଳ୍ପ ଶ୍ଳୋକ (ଜମ୍ବୁଦ୍ୱୀପେ, ଭାରତବର୍ଷେ, ଭାରତଖଣ୍ଡେ, ଆର୍ଯ୍ୟବର୍ତ୍ତେ ଇତ୍ୟାଦି) ହେଉ ବା ଋଷିମୁନିଙ୍କ ରଚନା, କେଉଁଠି ‘ଭାରତମାତା’ ଦେଖାଯାଏ ନାହିଁ । ଭାରତୀୟ ମୁନିଋଷି ସର୍ବଦା ସମଗ୍ର ବିଶ୍ୱର ଧରିତ୍ରୀକୁ ହିଁ ମାତା ରୂପେ କଳ୍ପନା କରିଚନ୍ତି ଓ ଗାଇଚନ୍ତି ଭାବବିଭୋର ହୋଇ ‘ମାତା ପୃଥିବୀ ମହିତମ୍‌’ (ଋଗ୍‌ବେଦ) ଅର୍ଥାତ ଏହି ବିଶାଳ ପୃଥିବୀ ଆମର ମାତା; ମାତା ଭୂମିଃ ପୁତ୍ରୋ ଅହଂ ପୃଥିବ୍ୟାଃ (ଅଥର୍ବବେଦ) ଅର୍ଥାତ ପୃଥିବୀ ମୋର ମାତା ଓ ମୁଁ ତାଙ୍କରି ପୁତ୍ର ।
କୌଣସି ବ୍ୟକ୍ତି, ବସ୍ତୁ, ସ୍ଥାନ ବା ମନୁଷ୍ୟେତର ଜୀବକୁ ମାତା ସମ୍ବୋଧନ କରିବାରେ ସମସ୍ୟା ନାହିଁ (ମହାତ୍ମା ଗାନ୍ଧି ଗୀତାକୁ ମାତା କହୁଥିଲେ ଓ ‘ଗୀତା-ମାତା’ ନାମକ ଏକ ସ୍ତମ୍ଭ ଲେଖୁଥିଲେ); କିନ୍ତୁ ତା’ର ସମ୍ବନ୍ଧ ମନୁଷ୍ୟର ବ୍ୟକ୍ତିଗତ ଭାବନା ସହ ହିଁ ହେବା ଚାହି । ଏହାକୁ ରାଜନୈତିକ/ସରକାରୀ/ବାଧ୍ୟ ବିଚାର କରିବାର ପ୍ରୟାସ ହିଂସାତ୍ମକ/ଅବୈଜ୍ଞାନିକ । ଏଇଠି ମନେପଡ଼ୁଚି, ୧୯୪୬ ଫେବୃୟାରୀରେ ହୋଇଥିବା ବିଫଳ ନୌବିଦ୍ରୋହର ସମର୍ଥନ କରି ଆନେ୍ଦାଳନକାରୀମାନେ ମୁମ୍ବଇରେ ଲୋକଙ୍କୁ ଯେତେବେଳେ ‘ଜୟ ହିନ୍ଦ୍‌’ ସ୍ଲୋଗାନ ଦେବାକୁ ବାଧ୍ୟ କରୁଥିଲେ, ଗାନ୍ଧି ସେତେବେଳେ କହିଥିଲେ, “କୌଣସି ଜଣେ ବ୍ୟକ୍ତିକୁ ମଧ୍ୟ ଜୟ ହିନ୍ଦ୍‌ କହିବାକୁ ବାଧ୍ୟ କରିବା ଅର୍ଥ ସ୍ୱରାଜର କଫିନରେ ଗୋଟିଏ ଗୋଟିଏ କଣ୍ଟା ବାଡ଼େଇବା ।” (ହରିଜନ, ମାର୍ଚ୍ଚ ୩, ୧୯୪୬) ଏକଥା ଆମ ସମ୍ବିଧାନ ପ୍ରଣେତାମାନେ ବି ଭଲଭାବେ ବୁଝିଥିଲେ । ଆମ ରାଜନୈତିକ ନେତୃତ୍ୱ ମଗଜରେ କେବେ ଏ ଚେତନା ଉଦୟ ହେବ?

(ସମାଜରେ ଚିନ୍ତାବିକଳ୍ପ ସ୍ତମ୍ଭରେ ୧୮.୦୪.୨୦୧୬ ରେ ପ୍ରକାଶିତ)
Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.