ଗଣମାଧ୍ୟମକୁ ଚେତାବନୀ

Leave a Comment
(ଫଟୋ ସୌଜନ୍ୟ: ଦି କୁଇଣ୍ଟ୍)


ଆଗ ପରି ଏବେ ସକାଳେ ଖବରକାଗଜ ପଢ଼ି ଖବର ଜାଣିବାର ସ୍ପୃହା/ଆବଶ୍ୟକତା ପାଠକ ମନରେ ନାହିଁ, ବିଶେଷକରି ଯୁବପିଢ଼ି ପାଇଁ; କାରଣ ଆଧୁନିକ ପିଢ଼ି ସବୁକିଛି ତ୍ୱରିତ୍‌ ଜାଣିବାକୁ ଚାହୁଁଚି ଓ ସେଇ ଅନୁସାରେ ପ୍ରଯୁକ୍ତି ଓ ଜ୍ଞାନକୌଶଳ ବି ଉଦ୍ଭାବିତ ହେଉଚି । ଏବେ ଖବର କେବଳ ଆଉ ଖବରକାଗଜ ବା ଟିଭି ଭିତରେ ସୀମିତ ହୋଇ ରହିନାହିଁ; ପ୍ରତି ମୁହୂର୍ତ୍ତରେ ନୂଆନୂଆ ଖବରରେ ଭର୍ତ୍ତି ହେଉଛି ଟ୍ୱିଟର୍‌/ଫେସ୍‌ବୁକ୍‌ ଭଳି ସୋସିଆଲ୍‌ ମିଡିଆ । ଏସବୁ ଖବରର ବାହକ ବା ଖବରଦାତା କୌଣସି ସାମ୍ବାଦିକ ନୁହନ୍ତି କି ସେମାନଙ୍କ ପାଖରେ ସାମ୍ବାଦିକର କୌଣସି ଯୋଗ୍ୟତା ନାହିଁ; ଅଥଚ ଏବେ ଏଭଳି ଲୋକ କଂପୁ୍ୟଟର କି ମୋବାଇଲ ଫୋନ୍‌ କୀ-ବୋର୍ଡରେ ଟାଇପ୍‌ କରୁଥିବା ଶବ୍ଦସମୂହ ଖବରର ମାନ୍ୟତା ପାଇବାକୁ ଲାଗିଲାଣି । ବିଡ଼ମ୍ବନାର ବିଷୟ ଯେ ଏହାକୁ ପ୍ରୋତ୍ସାହିତ କରୁଚି ଇଲେକ୍‌ଟ୍ରୋନିକ୍‌ ଗଣମାଧ୍ୟମ । ବର୍ତ୍ତମାନ ନିଉଜ୍‌ ଚ୍ୟାନେଲଗୁଡ଼ିକ ଟ୍ୱିଟର୍‌/ଫେସ୍‌ବୁକ୍‌ରୁ କେବଳ ଖବର ଆହରଣ କରୁନାହାନ୍ତି, ନିଜେ ବି ସେଥିରେ ସାମିଲ ହୋଇ ‘ହ୍ୟାସ୍‌ଟ୍ୟାଗ୍‌’ ମାଧ୍ୟମରେ ତ୍ୱରିତ୍‌ ମତାମତ ସଂଗ୍ରହ କରି ସିଧାସଳଖ ପ୍ରସାର କରୁଚନ୍ତି । ଏହାଦ୍ୱାରା ଗୋଟିଏ ମୌଳିକ ସମସ୍ୟା ଉପୁଜୁଚି ଯେ କୌଣସି ଖବର ପ୍ରସାରଣ ପୂର୍ବରୁ ତାହା ସତ୍ୟ ନା ଅସତ୍ୟ, ତାହା ଜାଣିବାର ଅବକାଶ ଆଉ ରହୁନାହିଁ ବା ଖବରରେ ସ୍ଥାନ ପାଉଥିବା ବ୍ୟକ୍ତିବିଶେଷ/ଅଭିଯୋଗକାରୀ/ଅଭିଯୁକ୍ତର ମତାମତ ଲୋଡ଼ିବା ପାଇଁ ଆଉ ସମୟ ନାହିଁ । ଗଣମାଧ୍ୟମର ‘ତ୍ୱରିତ୍‌ ଖବର’ ଦେଇ ‘ଟିଆର୍‌ପି’ ବଢ଼ାଇବାର ଏ ଅନ୍ଧ ପ୍ରତିଯୋଗିତା ଗଣ ପାଇଁ କିନ୍ତୁ ବେଶ୍‌ ମାରାତ୍ମକ, ଏହା ବୁଝିବା ସର୍ବାଦୌ ଆବଶ୍ୟକ ।

ଗତ ମାସରେ (ମାର୍ଚ୍ଚ ୨୦୧୬) ଗୋଟିଏ ମାମଲାର ଶୁଣାଣି କରି ନିଉଜ୍‌ ଚ୍ୟାନେଲଗୁଡ଼ିକର ନୀତିନିର୍ଦ୍ଧାରଣକାରୀ ସ୍ୱାଧୀନ ସଂସ୍ଥା ନିଉଜ୍‌ ବ୍ରଡକାଷ୍ଟିଂ ଷ୍ଟାଣ୍ଡାର୍ଡସ ଅଥରିଟି (ଏନ୍‌ବିଏସ୍‌ଏ)ର ଅଧ୍ୟକ୍ଷ ଅବସରପ୍ରାପ୍ତ ସୁପି୍ରମକୋର୍ଟ ବିଚାରପତି ଆର୍‌.ଭି. ରବୀନ୍ଦ୍ରନ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦେଶ ଦେଇଛନ୍ତି । ୨୦୧୫ରେ ଘଟିଥିବା ଏକ ଅସଦାଚରଣ ଘଟନାର ଠିକ୍‌ଭାବେ ପ୍ରସାର କରାଯାଇନଥିବାରୁ ଗୋଟିଏ ଇଂରେଜୀ ନିଉଜ୍‌ ଚ୍ୟାନେଲ (ଅତ୍ୟନ୍ତ ଆକ୍ରମଣାତ୍ମକ ଶୈଳୀରେ ଉପସ୍ଥାପିତ ‘ଦି ନିଉଜ୍‌ଆୱାର୍‌’ ନାମକ ‘ପ୍ରାଇମ୍‌ଟାଇମ୍‌’ କାର୍ଯ୍ୟକ୍ରମ ପାଇଁ ଏହା ଅପଖ୍ୟାତ)କୁ କ୍ଷମାପ୍ରାର୍ଥନା କରିବାକୁ ଆଦେଶ ଦେବା ସହ ୫୦ ହଜାର ଟଙ୍କାର ଜୋରିମାନା ପ୍ରଦାନ ପାଇଁ କହିଛନ୍ତି ।

ଗତବର୍ଷ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଜସଲୀନ କୌର ରାସ୍ତାରେ ଗଲାବେଳେ ସରବଜିତ ସିଂହ ନାମକ ଜଣେ ଯୁବକ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ । ସେ ସେତେବେଳର ଏକ ଫଟୋ ଫେସ୍‌ବୁକ୍‌ରେ ଛାଡ଼ିଥିଲେ, ଯାହାକୁ ଲକ୍ଷାଧିକ ଲୋକ ‘ଶେୟାର୍‌’ କରିଥିଲେ ଏବଂ ଦିଲ୍ଲୀ ପୁଲିସ ଅଭିଯୁକ୍ତ ଯୁବକଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ଦାୟର କରି ଦିନକ ଭିତରେ ଗିରଫ କରିଥିଲା । ସରବଜିତ ଓ ତାଙ୍କ ପରିବାର ଅଭିଯୋଗକୁ ଖଣ୍ଡନ କରିଥିଲେ ହେଁ ନିଉଜ୍‌ ଚ୍ୟାନେଲଗୁଡ଼ିକ ସେମାନଙ୍କୁ ଆକ୍ରମଣ କଲାଭଳି ଖବର (ଏନ୍‌ବିଏସ୍‌ଏ ଭାଷାରେ “ଆକ୍ରମଣାତ୍ମକ ଓ ଭୟ ସୃଷ୍ଟିକାରୀ”) ପ୍ରସାର କରିବାରୁ ବିରତ ହୋଇନଥିଲେ । ଦିନକ ପରେ ନିଜକୁ ଘଟନାର ସାକ୍ଷୀ କହୁଥିବା ଜଣେ ବ୍ୟକ୍ତି ‘ଯୁବତୀଜଣକ ଘଟନାରେ ରଂଗ ଦେଇ କହିଚି’ ବୋଲି ବୟାନ ଦେଇଥିଲା । ସୋନାକ୍ଷି ସିହ୍ନାଙ୍କ ସମେତ ଅନେକ ତାରକା ସେତେବେଳେ ଜସଲୀନଙ୍କ ସପକ୍ଷରେ କହିଥିଲେ ହେଁ ପରେ କ୍ଷମାପ୍ରାର୍ଥନା କରିଥିଲେ । ତେବେ ମୂଳ କଥାଟି ହେଉଚି ଫେସ୍‌ବୁକ୍‌ ପୋଷ୍ଟ୍‌କୁ ଆଧାର କରି ନିଉଜ୍‌ ଚ୍ୟାନେଲଗୁଡ଼ିକ ଯେଭଳି ଅଭିଯୁକ୍ତକୁ ଦୋଷୀ ବୋଲି ପ୍ରମାଣ କରିବାକୁ ଲାଗିଲେ ଏବଂ ଦଣ୍ଡିତ ହୋଇଥିବା ନିର୍ଦିଷ୍ଟ ନିଉଜ୍‌ ଚ୍ୟାନେଲଟି ସରବଜିତ୍‌ଙ୍କ ସାକ୍ଷାତକାର ନେଇ ତାଙ୍କୁ ଯେମିତି ବାରମ୍ବାର ଦୋଷୀଭାବେ ଚିତ୍ରଣ କଲା, ତାହା ଗଣମାଧ୍ୟମ ଆଚରଣ ସଂହିତାର ଯେ ଉଲ୍ଲଙ୍ଘନ, ସେଥିରେ ସନେ୍ଦହ ନାହିଁ । ଜଷ୍ଟିସ୍‌ ରବୀନ୍ଦ୍ରନ ତାଙ୍କର ନିର୍ଦେଶନାମାରେ ସ୍ପଷ୍ଟଭାବେ କହିଛନ୍ତି, “ଅଭିଯୋଗ ତଦନ୍ତାଧୀନ ଥିବାବେଳେ କିମ୍ବା ନ୍ୟାୟାଳୟ ଜଣେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ ନ କରିବା ପର୍ଯ୍ୟନ୍ତ କାହାକୁ ଦୋଷୀ ଭାବେ ପରିଗଣିତ କରି ଗଣମାଧ୍ୟମ ତା’ର ନିନ୍ଦା କରିପାରିବ ନାହିଁ । ଗଣମାଧ୍ୟମର ଉଦେ୍ଦଶ୍ୟ ଯେତେ ମହତ୍‌ ହୋଇଥାଉ ନା କାହିଁକି, ନ୍ୟାୟାଳୟରେ ବିଚାରାଧୀନ ବା ବିଚାର ଅପେକ୍ଷାରେ ରହିଥିବା କୌଣସି ମାମଲାରେ ତାହା (ଗଣମାଧ୍ୟମ) ବିଚାରପତି, ବିଚାରକ, ବାଦୀ ଓ ତଦନ୍ତକାରୀର କାର୍ଯ୍ୟ କରିପାରିବ ନାହିଁ । ଗଣମାଧ୍ୟମର କ୍ରମାଗତ ଅଭିଯାନ ଫଳରେ ଥରେ ଜଣେ ବ୍ୟକ୍ତିର ସମ୍ମାନ ବା ଇଜ୍ଜତ୍‌ ଚାଲିଗଲେ ଆଉ ଫେରିପାରିବ ନାହିଁ, ସେକଥା ସର୍ବଦା ମନରେ ରଖିବା ଆବଶ୍ୟକ ।”
ଏନ୍‌ବିଏସ୍‌ଏ ଅଧ୍ୟକ୍ଷଙ୍କ ଦ୍ୱାରା ଦିଆଯାଇଥିବା ଏ ନିର୍ଦେଶ ଏଇଥିପାଇଁ ତାତ୍ପର୍ଯ୍ୟପୂର୍ଣ୍ଣ ଯେ ଅଭିବ୍ୟକ୍ତିର ସ୍ୱାଧୀନତାର ଅଧିକାର ଯେତିକି ଗୁରୁତ୍ୱପୂର୍ଣ୍ଣ, ଉଚିତ ନ୍ୟାୟର ଅଧିକାର ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ଉପରୋକ୍ତ ଘଟନାରେ ଅଭିଯୋଗର ବିଚାର କୋର୍ଟରେ ହେବା ପୂର୍ବରୁ, ଏପରିକି ପୁଲିସ ଅଭିଯୋଗଫର୍ଦ ଦାୟର୍‌ କରିବା ପୂର୍ବରୁ ହିଁ ଗଣମାଧ୍ୟମ ଅଭିଯୁକ୍ତର ବିଚାର କରି ତାକୁ ଦୋଷୀ ସଜାଇ ନିନ୍ଦାଗାନ କରିଦେଲା; କିନ୍ତୁ ଏହା ସଂପୃକ୍ତ ବ୍ୟକ୍ତି ପ୍ରତି ଘୋର ଅନ୍ୟାୟ । ଏହି କାରଣରୁ ଏନ୍‌ବିଏସ୍‌ଏ ଚେତାବନୀ ଦେଇଚନ୍ତି ଯେ ବିଚାରାଧୀନ/ତଦନ୍ତାଧୀନ ମାମଲାଗୁଡ଼ିକର ଖବର ପ୍ରକାଶନ/ପ୍ରସାରଣବେଳେ ଅଧିକ ସତର୍କତା ଅବଲମ୍ବନ କରାଯାଉ ।

ମନେ ପକାଇଦେବା ପ୍ରାସଙ୍ଗିକ ହେବ ଯେ ୨୦୧୨ ସେପ୍ଟେମ୍ବରରେ ଉଚିତ ବିଚାରକୁ ନିଶ୍ଚିତ କରିବା ପାଇଁ ବିଚାରବେଳର ରିପୋର୍ଟିଂ ବନ୍ଦ କରାଯିବ କି ନାହିଁ, ସେ ସମ୍ପର୍କରେ ଉଚ୍ଚତମ ନ୍ୟାୟାଳୟ ରାୟ ଦେଇ କେତେକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଥିଲେ । ତକ୍ରାଳୀନ ପ୍ରଧାନ ବିଚାରପତି ଏସ୍‌ ଏଚ୍‌ କପାଡିଆଙ୍କ ନେତୃତ୍ୱାଧୀନ ପାଞ୍ଚଜଣିଆ ଖଣ୍ଡପୀଠ କହିଥିଲେ, “ଆମ ସମ୍ବିଧାନ ଅନୁଯାୟୀ ଅଭିବ୍ୟକ୍ତିର ସ୍ୱାଧୀନତା ନିରଙ୍କୁଶ/ଅସୀମିତ ମୂଲ୍ୟବୋଧ ନୁହେଁ । ଭୁଲିଯିବା ଅନୁଚିତ ଯେ କୌଣସି ଗୋଟିଏ ମୂଲ୍ୟବୋଧ, ତାହା ଯେତେ ମହତ୍‌ ହୋଇଥାଉ ନା କାହିଁକି, ଗଣତାନ୍ତ୍ରିକ ବ୍ୟବସ୍ଥାର ସଂପୂର୍ଣ୍ଣ ବୋଝ ବୋହିପାରିବ ନାହିଁ । ଆମ ସାମ୍ବିଧାନିକ ବ୍ୟବସ୍ଥାରେ ବହୁ ପ୍ରକାରର ମୂଲ୍ୟବୋଧ ରହିଛି, ଯାହା ଆମ ସ୍ୱାଧୀନତାର ସୁରକ୍ଷା କରିଥାଏ, କିନ୍ତୁ ତା’ ଭିତରେ ମଧ୍ୟ ବେଳେବେଳେ ଦ୍ୱନ୍ଦ୍ୱ ଦେଖାଦିଏ । ଆମ ସମ୍ବିଧାନରେ, ବୋଧହୁଏ, କୌଣସି ମୂଲ୍ୟବୋଧ ନିରଙ୍କୁଶ ନୁହେଁ । ତେଣୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ମୂଲ୍ୟବୋଧ ଅନ୍ୟ ସହ ସନ୍ତୁଳନ ରକ୍ଷା କରିଥାନ୍ତି ଓ ବେଳେବେଳେ ପରସ୍ପର ମଧ୍ୟରେ ପ୍ରତିଯୋଗିତା ମଧ୍ୟ । ଅଭିବ୍ୟକ୍ତିର ସ୍ୱାଧୀନତା ପରି ଏସବୁ ମୂଲ୍ୟବୋଧଗୁଡ଼ିକର ବି ସମ୍ମାନ କରାଯିବା ଦରକାର । ଅତଏବ ବାକ୍‌ ସ୍ୱାଧୀନତା, ଉପଯୁକ୍ତ କ୍ଷେତ୍ରରେ ଉଚିତ ବିଚାର ସହ ସମ୍ବନ୍ଧିତ । ଆହୁରି ମଧ୍ୟ ଉପଯୁକ୍ତ କ୍ଷେତ୍ରରେ ଗୋଟିଏ ଅଧିକାର (ଧରାଯାଉ ଅଭିବ୍ୟକ୍ତିର ସ୍ୱାଧୀନତା) ଉଚିତ ନ୍ୟାୟ ଭଳି ଅନ୍ୟ ଅଧିକାର ପାଇଁ ମଧ୍ୟ କାମରେ ଆସିପାରେ ।”

ନିକଟ ଅତୀତରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଦେଶବିରୋଧୀ ସ୍ଲୋଗାନ ଦେବା ଘଟନାରେ ମଧ୍ୟ କେତେକ ଟିଭି ଚ୍ୟାନେଲ ଏଭଳି ନକଲି ଭିଡିଓ ପ୍ରସାରଣ କରିଥିବାର ପ୍ରମାଣ ମିଳିଥିଲା, ଯାହା ଉକ୍ତ ଘଟନାକୁ ହିଂସାତ୍ମକ କରିବା ସହ ନ୍ୟାୟାଳୟରେ ବିଚାର ପୂର୍ବରୁ ହିଁ ଅଭିଯୁକ୍ତମାନଙ୍କୁ ଦୋଷୀ ବୋଲି କୁହାଯାଇ ଗଣମାଧ୍ୟମରେ ନିନ୍ଦିତ କରାଗଲା । ପ୍ରତ୍ୟେକ ଖବରର ପ୍ରଚାରପ୍ରସାର ପୂର୍ବରୁ ଗଣମାଧ୍ୟମ ତାକୁ ଭଲଭାବେ ନିରେଖି/ପରଖିବାର ଆବଶ୍ୟକତା ରହିଚି । ଗଣମାଧ୍ୟମ ନକାରାତ୍ମକତା ପ୍ରତି ବେଶି ଦୃଷ୍ଟି ନ ଦେଇ କିମ୍ବା କ୍ଷମତାଶାଳୀଙ୍କ ସପକ୍ଷବାଦୀ ନହୋଇ ନିଷ୍ପକ୍ଷ ଭାବେ ସକାରାତ୍ମକ ଦୃଷ୍ଟିକୋଣ ଆପଣାଇଲେ ତା’ର ସମ୍ମାନ ବଢ଼ିବ ।

(ସମାଜରେ 'ଚତୁର୍ଥ ସ୍ତମ୍ଭ" ସ୍ତମ୍ଭରେ ୧୦.୪.୨୦୧୬ ରବିବାର ଦିନ ପ୍ରକାଶିତ)
Next PostNewer Post Previous PostOlder Post Home

0 comments:

Post a Comment

ଏହି ବ୍ଲଗର ସମସ୍ତ ସାମଗ୍ରୀ ଲେଖକଙ୍କ ସର୍ବସ୍ବତ୍ତ୍ବ ସଂରକ୍ଷିତ. Powered by Blogger.